​ବିଇଓଙ୍କ ନିର୍ଦ୍ଦେଶକୁ ଖାତିରି ନାହିଁ ।

0 14

​ରେଢ଼ାଖୋଲ,୦୭/୦୯: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ଚୁବୁକାଦାଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଆହୁରି ଜଟିଳ ହେବାରେ ଲାଗିଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ପ୍ରତିଶୃତି ଓ ସରକାରୀ ନିର୍ଦ୍ଦେଶନାମାକୁ ନୂତନ ନିଯୁକ୍ତ ଶିକ୍ଷକ ଖାତିରି କରୁନଥିବା ଅଭିଯୋଗ ହୋଇଛି। ବିଇଓଙ୍କ ବଦଳି ନିର୍ଦ୍ଦେଶକୁ ୭ ଦିନ ଅତିବାହିତ ହୋଇସାରିଥିଲେ ସୁଦ୍ଧା ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟରେ ଯୋଗ ନଦେବାରୁ ସୋମବାର ଗ୍ରାମବାସୀ ଓ ଅଭିଭାବକମାନେ ପୁନର୍ବାର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।ବାଲୱାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଥିବା ଏହି ବିଦ୍ୟାଳୟରେ ଦୀର୍ଘଦିନ ହେଲା ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ କରୁଥିବାରୁ ପାଠପଢ଼ା ଗୁରୁତର ବାଧାପ୍ରାପ୍ତ ହେଉଥିଲା। ଏହାର ସ୍ଥାୟୀ ପ୍ରତିକାର ଦାବିରେ ଗତ ଅଗଷ୍ଟ ୨୦ ତାରିଖରେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ। ଖବର ପାଇ ଅଗଷ୍ଟ ୨୧ ତାରିଖ ସକାଳେ ବିଇଓ ରଞ୍ଜିତ ଭୋଇ ଘଟଣାସ୍ଥଳରେ ପହଞ୍ଚି ୭ ଦିନ ମଧ୍ୟରେ ଜଣେ ଶିକ୍ଷକଙ୍କୁ ପଠାଇବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବିଇଓଙ୍କ ପ୍ରତିଶୃତି ମୁତାବକ, ଅଫିସ ଆଦେଶ ପତ୍ର ନଂ ୮୮୧ (ତାରିଖ ୦୧.୦୯.୨୦୨୬) ବଳରେ ଭରତାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ମକରନ୍ଦ ମାଝୀଙ୍କୁ ଚୁବୁକାଦାଦର ସ୍କୁଲରେ ବଦଳି କରି ଚୁବୁକାଦାଦାର ସ୍କୁଲ ରେ ଯୋଗଦାନ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଦେଶର ନକଲ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଓ ସମ୍ପୃକ୍ତ ଶିକ୍ଷକଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ମାତ୍ର ଆଜି ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଶିକ୍ଷକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି।

ବିଇଓଙ୍କ ଆଦେଶ ପ୍ରହସନରେ ପରିଣତ ହେବା ପରେ ଆଜି କ୍ରୋଧାନ୍ୱିତ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ପୁନର୍ବାର ତାଲା ପକାଇ ଦେଇଛନ୍ତି। ଫଳରେ କୋମଳମତି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରାଙ୍ଗଣରେ ତଳେ ତ୍ରିପାଲ ବିଛାଇ ବସି ରହିଥିବା ଦେଖିବାକୁ ମିଳିଛି।
​ସ୍କୁଲ ପରିଚାଳନା କମିଟି ସଭାପତି ବିଶେଶ୍ୱର ପ୍ରଧାନ ଓ ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଇଓ ନିଜେ ଲିଖିତ ପ୍ରତିଶୃତି ଦେଇଥିଲେ। ପ୍ରଶାସନ ଆମ ଦାବିକୁ ହାଲୁକା ଭାବେ ନେଉଛି। ଶିକ୍ଷକ ଯୋଗ ନଦେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହୁଁ।ଏ ନେଇ ବିଇଓ ରଞ୍ଜିତ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ଘଟଣା ସମ୍ପର୍କରେ ଅବଗତ ହେଲିଣି ମୋର ସ୍ୱାସ୍ଥ୍ୟଗତ କାରଣରୁ ମୁଁ ଯାଇ ପାରି ନାହିଁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଠାଇଛି ବୋଲି କହିବା ସହ ମୁଁ ଆସନ୍ତାକାଲି ନିଜେ ଯିବି ସମସ୍ୟାର ସମାଧାନ କରିବି ବୋଲି କହିଥିଲେ ।

Leave A Reply

Your email address will not be published.