ବୋଲଗଡ଼ , ୧୩/୧୧ (ପିପିଟି): ଶିକ୍ଷାର ପ୍ରସାର ଓ ପ୍ରାକୃତିକ ବିପର୍ଯ୍ୟୟରୁ ଜନଜୀବନକୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରିଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ପରିସରସ୍ଥ ଦୁଇ ମହଲା ବିଶିଷ୍ଟ ବାତ୍ୟା ଆଶ୍ରୟସ୍ଥଳୀ ଆଜି ନିଜେ ବିପଦସଙ୍କୁଳ ଅବସ୍ଥାରେ ରହି ଶିକ୍ଷାଦାନରେ ପ୍ରତିବନ୍ଧକ ସାଜିଛି।
ସୂଚନା ଅନୁସାରେ, ୧୯୯୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅନୁଦାନ ୫୦ ଲକ୍ଷ ଟଙ୍କାରେ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମିତ ହୋଇଥିଲା। କଂଗ୍ରେସ କର୍ମୀ ରମେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ନିର୍ମିତ ଏହି ଗୃହରେ ଦୀର୍ଘ ବର୍ଷ ଧରି ବାମନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରି ଆସୁଥିଲେ।
କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ମରାମତି ଅଭାବରୁ ଉକ୍ତ କୋଠାଟି ଅତ୍ୟନ୍ତ ଜରାଜୀର୍ଣ୍ଣ ତଥା ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲି ଯାଇଛି। ଫଳସ୍ୱରୂପ ଶତାଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଶ୍ରେଣୀଗୃହର ତୀବ୍ର ଅଭାବ ଦେଖା ଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ୧୯୪୩ ମସିହାରେ ସ୍ଥାପିତ ଏହି ପିଏମଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ବୋଲଗଡ଼ ବ୍ଲକର ପ୍ରାଚୀନତମ ତଥା ପ୍ରମୁଖ ଶିକ୍ଷାନୁଷ୍ଠାନ। ଏଠାରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସମସ୍ତ ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବର୍ତ୍ତମାନ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ଅଭାବରୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି।
ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ତୁରନ୍ତ ଏହି ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀକୁ ଭାଙ୍ଗି ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିହାର ରଞ୍ଜନ ପରମଗୁରୁ ଓ ପୂର୍ବତନ ସଭାପତି ଅଶୋକ କୁମାର ଦଳବେହେରା ସମେତ ସମସ୍ତ ସଦସ୍ୟ ସଦସ୍ୟା ଜୋରଦାର ଦାବି କରିଛନ୍ତି।
ପ୍ରକାଶ ଥାଉ ଯେ, ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶୀ ଲାଲ ବିଦ୍ୟାଳୟର ଉନ୍ନତି ନିମନ୍ତେ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।