ବରଷା ରାଣୀ

0 0

ନୀଳ ଅମ୍ବରେ ମେଘର ଓଢଣା ଟାଣି
ଆସ ଏ ଧରାକୁ ଶୀତଳ ଛୁଆଁରେ
ତୁମେ ଗୋ ବରଷା ରାଣୀ…..!!
ମେଘ ମହ୍ଲାରର ସଂଗୀତ ସ୍ବରରେ
ତୁମେ ଗୋ ରାଗିଣୀ ତୋଳି…..
ନାଚି ଯାଅ କେବେ ବଣ ପାହାଡ଼ରେ
ଅନୁଢା ସୁନ୍ଦରୀ ଭଳି…..!!
ତୁମ ଆଗମନେ ମୟୂର ନାଚଇ
ଆକାଶରେ ଦେଖି ମେଘ…..
ପୁଲକିତ ମନ ଅମ୍ବୁଜ ଚଳନେ
ଚରଣ ଚଞ୍ଚଳ ବେଗ……!!
ଭିଜାଇ ଦିଅଏ ଶୁଷ୍କ ଧରଣୀ
ନିଦାଘ ତାଡନା କଷ୍ଟ…..
ତପ୍ତ ବଳୟ ହୁଅଇ ଶୀତଳ
ତୁମେ ହିଁ ଜଗତେ ଶ୍ରେଷ୍ଠ……!!
ତୁମର ସ୍ପର୍ଶରେ ରୁକ୍ଷ ମରୁଭୂମି
ଶ୍ଯାମଳ ସୁନ୍ଦର ଦିଶେ…..
ସବୁଜୀମାମୟ ହୁଅଇ ଅରଣ୍ୟ
ନିର୍ଝର କଲ୍ଲୋଳ ଭାଷେ…..!!
ବେଙ୍ଗ ବେଙ୍ଗୁଲୀଏ ଯୁଗଳ ସଂଗୀତ
ଗାଆନ୍ତି ବର୍ଷାରେ ଭିଜି……
ପ୍ରେମ ପ୍ରଣୟର ଋତୁ କାହା ପାଇଁ
ପ୍ରେମିକ ରସିକ ସାଜି……!!
କେଦାରେ କେଦାର ଚାଷୀ ମାଳ ମାଳ
କୃଷିରେ ନିମଗ୍ନ ଚିତ୍ତ…..
ବରଷା ରାଣୀର ଚପଳ ଛନ୍ଦରେ
ସୁଖ ସୌଭାଗ୍ୟର ବିତ୍ତ…..!!
ବରଷା ରାଣୀ ତ ମୃତ୍ୟୁ ସଞ୍ଜୀବନୀ
ଏ ସୃଷ୍ଟିର ମୂଳ ଉତ୍ସ…..
ତୁମ ବିନା ମୃତ୍ୟୁ ସମ୍ଭବ ସର୍ବତ୍ର
ଏ କଥା ନୁହେଁ ଟି ମିଛ……!!

(କବି କେଶବ ଚନ୍ଦ୍ର ନାୟକ)(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.