ମାଲକାନଗିରି,୧୯/୦୮(ପିପିଟି): ଜଣେ ଯୁବକ ଏକ ମୃତ ବୋଡା ସାପକୁ ଘୋଷାଡି ଘୋଷାଡି ନେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା । ସେହି ବ୍ୟକ୍ତି ଜଣଙ୍କ ମାଲକାନଗିରି ରେଞ୍ଜ ଅନ୍ତର୍ଗତ ସତୀଗୁଡା ଡ୍ୟାମ ନିକଟ ବାସିନ୍ଦା ବୋଲି ଅନୁସନ୍ଧାନରୁ ଜଣା ପଡ଼ିବା ପରେ ତାକୁ ଗିରଫ କରାଯାଇଛି।
କିଛି ଦିନ ହେଲା ମଲା ବୋଡ଼ା ସର୍ପକୁ ନେଉଥିବା ଏକ ଭିଡିଓ ଫୁଟେଜ୍ ମୋବାଇଲ ରୁ ମୋବାଇଲକୁ ଘୂରି ବୁଲୁଥିଲା । ଏହାକୁ ଆଧାର କରି ମାଲକାନଗିରି ବନ କର୍ମଚାରୀମାନେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲେ । ୨୦୨୨ ସଂଶୋଧନ ଅନୁଯାୟୀ ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ, ୧୯୭୨ ର ଉଲ୍ଲଂଘନ ଅଭିଯୋଗରେ ମାଲକାନଗିରି ରେଞ୍ଜର ସତୀଗୁଡା ଗ୍ରାମରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଜଣଙ୍କ ହେଉଛି ଉଦୟ ନାଗ, ପିତା ମଦନ ନାଗ । ତାଙ୍କ ଘରେ ଚଢ଼ାଉ ସମୟରେ ବୋଡ଼ା ସାପର ୫୦ ଗ୍ରାମ ଶୁଖିଲା ମାଂସ ,ହାଡ ଓ ଚମଡା ଜବତ କରାଯାଇଛି। ଆବଶ୍ୟକ ସାମଗ୍ରୀ ରଖି ବୋଡା ସାପର ମାଂସ କୁ ବାଡି ପଛପଟେ ପୋତି ଦେଇଥିଲା। ମାଲକାନଗିରି ଏସିଏଫ ହିମାନ ନାଏକ, ମାଲକାନଗିରି
ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ,ବନପାଳ ରବିନାରାୟଣ ଖଣ୍ଡୁଆଳ, ବନରକ୍ଷୀ ବଳରାମ ପାଣିଗ୍ରାହୀ, ରାମଚନ୍ଦ୍ର ମାଝୀ, ବାବୁ ରାମ ଦୁରୁଆ, କୈଳାସ ମହାରଣା ପ୍ରମୁଖ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଥିଲେ। ଆଜି ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆସନ୍ତା କାଲି କୋର୍ଟକୁ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)