ପୋଲସରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ।

0 3

ପୋଲସରା ,୦୧/୦୯(ପିପିଟି):ପୋଲସରା ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମ୍ୟୁନସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇ ପୋଲସରା ସହରର ସାମଗ୍ରିକ ବିକାଶ ସହ ପୌରାଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ନାଗରିକ ସେବାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀ ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ପ୍ରଧାନ , ମ୍ୟୁନସିପାଲିଟି ଅଧ୍ୟକ୍ଷା ସଙ୍ଗୀତା ବେହେରା , ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ , ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ପ୍ରଭାକର ପଣ୍ଡା , ଦୀପକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହର ବିକାଶ ମୂଳକ କାର୍ଯ୍ୟ ଏବଂ ସ୍ବ- ଶାସନର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପୋଲସରା ମ୍ୟୁନସିପାଲିଟିର ନୂତନତା ଆଣିବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମ ପୋଲସରା ଏକ ସେଲଫି ପଏଣ୍ଟକୁ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା । ସହରର ବିକାଶ ପାଇଁ ରାସ୍ତାଘାଟର ଉନ୍ନତି, ଡ୍ରେନେଜ୍ ବ୍ୟବସ୍ଥାର ସୁଧାର, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ସହ ବିଭିନ୍ନ ମୌଳିକ ନାଗରିକ ସେବାର ଉନ୍ନତି ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ପୋଲସରାକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସହର ଭାବେ ଗଢ଼ିତୋଳିବା ପାଇଁ ପୌର ପ୍ରଶାସନର ବିକାଶମୂଳକ ପଦକ୍ଷେପକୁ ଆହୁରି ଗତିଶୀଳ କରିବା ଉପରେ ସେ ମତ ରଖିଥିଲେ। ପୌରାଞ୍ଚଳର ବିଭିନ୍ନ ସ୍ଥାନର ସୌନ୍ଦର୍ଯ୍ୟକରଣ, ରାସ୍ତାକଡ଼ରେ ସବୁଜିମା ସୃଷ୍ଟି, ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା, ସାର୍ବଜନୀନ ସ୍ଥାନର ଉନ୍ନତି ଓ ସ୍ୱଚ୍ଛତାକୁ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସହରର ଚେହେରା ବଦଳାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ତେବେ ବିକାଶମୂଳକ କାର୍ଯ୍ୟ କେବଳ ପୌର ପ୍ରଶାସନର ଦାୟିତ୍ୱ ନୁହେଁ, ଏଥିପାଇଁ ସହରବାସୀଙ୍କ ସକ୍ରିୟ ସହଯୋଗ ଓ ସଚେତନତା ମଧ୍ୟ ଆବଶ୍ୟକ ବୋଲି ମନ୍ତ୍ରୀ ମତ ଦେଇଥିଲେ। ସେ କହିଥିଲେ, ପୋଲସରାର ବିକାଶ ପାଇଁ ସରକାର ଓ ପୌର ପ୍ରଶାସନ ନିଜ ନିଜ ସ୍ତରରେ କାର୍ଯ୍ୟ କରୁଛନ୍ତି। ହେଲେ ବିକାଶର ଧାରାକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱବୋଧ ଓ ସହଯୋଗ ଜରୁରୀ। ସହରକୁ ସ୍ୱଚ୍ଛ ରଖିବା, ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା କରିବା ଏବଂ ପୌରପାଳିକାର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା ଦ୍ୱାରା ଏକ ସୁନ୍ଦର ଓ ବିକଶିତ ପୋଲସରା ଗଠନ ସମ୍ଭବ। ସ୍ୱାୟତ୍ତ ଶାସନ ଦିବସ କେବଳ ଉତ୍ସବ ପାଳନର ଅବସର ନୁହେଁ, ବରଂ ପୌରାଞ୍ଚଳର ବିକାଶକୁ ସମୀକ୍ଷା କରି ଆଗାମୀ ଦିନ ପାଇଁ ନୂଆ ସଂକଳ୍ପ ନେବାର ଏକ ଅବସର ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ପୋଲସରା ସହରର ସାମଗ୍ରିକ ବିକାଶକୁ ନେଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ଓ ସାମାଜିକ ସଂଗଠନ ଓ କିଛି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉତ୍ସାହିତ କରାଯିବା ସହ ସେମାନଙ୍କୁ ଉପଢୌକନ ମାନପତ୍ର ଦେଇ ଟ୍ରଫି ପ୍ରଦାନ କରିଥିଲେ । ପରି ଶେଷରେ ସହରର ପରିମଳ ଓ ସ୍ୱଚ୍ଛତାକୁ ନେଇ ବିଭିନ୍ନ ସ୍କୁଲ କଲେଜରରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.