ପୋଲସରା ,୨୭/୧୧(ପିପିଟି) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡିର ପୋଚାଳୁଣ୍ଡି ଗ୍ରାମରେ ୨୩/୧୧/୨୦୨୬ ତାରିଖ ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ ଘଣ୍ଟା ସମୟରେ ନିର୍ଜନ ସ୍ଥାନରେ ଘରକରି ରହିଥିବା ପରିବାର ଘରେ ଏକ ଦୁଃସାହାସିକ ଡକାୟତି ଘଟଣା ଘଟିଥିଲା। ଡକାୟତମାନେ ଘରର ମୁଖ୍ୟ ଦ୍ୱାର ଭାଙ୍ଗି ଘରେ ପଶି, ପିସ୍ତଲ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇ, ଆଲମାରୀ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ। ଦକାୟତିର ଶିକାର ହୋଇଥିବା ପରିବାରଙ୍କ ଲିଖିତ ଅଭିଯୋଗ ପରେ ବୁଗୁଡ଼ା ଥାନା କେଶ ନମ୍ବର ୫୮୦/୨୦୨୬ ପ୍ରକାରେ ବିଏନଏସ ଧାରା ୩୩୨(ଖ)/୩୧୦(୨) ଏବଂ ଅସ୍ତ୍ର ଆଇନ ଧାରା ୨୫/୨୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସନ୍ଧାନୀ କୁକୁର ଓ ଜିଲ୍ଲା ବୈଜ୍ଞାନିକ ଟିମ୍ ଆସି ଅନୁସନ୍ଧାନ କରିଥିଲେ। ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ବୁଗୁଡ଼ା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ଓ ବାଲିପଦର ଫାଣ୍ଡି ଓଆଇସି କେ. ନୀଳାଦ୍ରୀ ରେଡ୍ଡୀଙ୍କ ମିଳିତ ନେତୃତ୍ୱରେ ଏଏସଆଇ ସୁମନ୍ତ ବେହେରା, କନେଷ୍ଟବଳ ଉମେଶ କୁମାର ଗୌଡ ଓ ଶିବରାମ ଗୌଡ, ଓଡିଶା ସଶସ୍ତ୍ର ବାହିନୀ ଲୋକନାଥ ନାୟକ ଏବଂ ହୋମଗାର୍ଡ ଚନ୍ଦନ ନାୟକ ଙ୍କୁ ନେଇ ଗଠିତ ଟିମ୍ ମାତ୍ର ତିନି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ୨୬/୧୧/୨୬ ତାରିଖ ଦିନ ଡକାୟତ ଦଳକୁ ଗିରଫ କରିବା ସହ ଡକାୟତି କରିଥିବା ସାମଗ୍ରୀ ଜବତ କରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ (୧)ହିତେଶ ସ୍ୱାଇଁ, ୨୪ ବର୍ଷ, ଅରଖପୁର, ଥାନା ବୁଗୁଡ଼ା, (୨)ରୁଦ୍ର ନାରାୟଣ ସେଠୀ, ୨୦ ବର୍ଷ, ଭାମଶ୍ୟାଳି, ବୁଗୁଡ଼ା ଥାନା, (୩)କାହ୍ନା ପଲାଇ, ୨୪ ବର୍ଷ, ବୋଲୋସରା, ବର୍ତ୍ତମାନ ହାତୀଓଟ, କବିସୂର୍ଯ୍ୟ ନଗର ଥାନା ଏବଂ (୪) ବିକ୍ରମ ପ୍ରଧାନ, ୨୨ବର୍ଷ, ସୁକୁଳା, ପୁରୁଷୋତ୍ତମପୁର ଥାନା। ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତଦନ୍ତରୁ ଜଣାପଡ଼ିଛି ଯେ ହିତେଶ ସ୍ୱାଇଁ ଓ ରୁଦ୍ର ନାରାୟଣ ସେଠୀ ଅଭ୍ୟାସଗତ ଅପରାଧୀ ଅଟନ୍ତି। ଏହି ଦୁଇ ଅପରାଧୀ ଜେଲରୁ ମୁକୁଳିବା ପରେ ସଂଗଠିତ କରି ଏହି ଡକାୟତି ଘଟଣା ଘଟାଇଥିଲେ। ସେମାନଙ୍କ ଠାରୁ ଲୁଟ୍ ହୋଇଥିବା ୬୫ ଗ୍ରାମ ସୁନା ଅଳଙ୍କାର, ନଗଦ ୧୩୩୦/- ଟଙ୍କା, ଅପରାଧରେ ବ୍ୟବହୃତ ପିସ୍ତଲ , ଛୁରୀ ଓ ଗାଡ଼ି ଜବତ କରିବା ସହ ଅଭିଯୁକ୍ତ ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଳ୍ପ ସମୟ ମଧ୍ୟରେ ପୋଲିସର ଏହି ସଫଳତାକୁ ବୁଦ୍ଧିଜିବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା