ଯାଜପୁର ,୧୦/୦୯(ପିପିଟି): ଦିନ ଥିଲା ଗାଁଗଣ୍ଡାରେ ଦୁଃସାହସିକ ‘ବାଉଁଶରାଣୀ’ ଖେଳ ଦେଖିବାକୁ ମିଳୁଥିଲା। ସମୟ ବଦଳିବା ସହ ବେସରକାରୀ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ସୁଯୋଗ ବଢ଼ିବା ପରେ ଲୋକେ ଧୀରେ ଧୀରେ ଏଭଳି ବିପଦସଙ୍କୁଳ ଖେଳରୁ ମୁହଁ ଫେରାଇ ନେଇଥିଲେ। ଫଳରେ ଏହି ପାରମ୍ପରିକ ତଥା ବିପଦପୂର୍ଣ୍ଣ କ୍ରୀଡ଼ା ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଥିଲା। ତେବେ ବରୀ ଅଞ୍ଚଳରେ ପୁଣିଥରେ ଏହି ବିପଦପୂର୍ଣ୍ଣ ଖେଳର ପ୍ରଦର୍ଶନ ଦେଖିବାକୁ ମିଳିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ବରୀ ମାଉଣ୍ଡ ବଜାରରେ ଏଭଳି ଏକ ଦୁଃସାହସିକ ଖେଳର ପ୍ରଦର୍ଶନ ଚାଲିଥିବା ଦେଖିବାକୁ ମିଳିଛି। ଦୁଇ ପାର୍ଶ୍ୱରେ ଦୁଇଟି ବାଉଁଶ ଖୁଣ୍ଟ ପୋତାଯାଇ ଏହାର ଉପରିଭାଗରେ ଏକ ଦଉଡ଼ି ବା ସୂତାଖିଅ ସଂଯୋଗ କରାଯାଇଛି। ସଙ୍ଗୀତର ତାଳେ ତାଳେ ‘ବାଉଁଶରାଣୀ’ ଭାବେ ପରିଚିତ ଜଣେ ନାବାଳିକା ମୁଣ୍ଡ ଉପରେ ଓଜନିଆ ବସ୍ତୁ ଧାରଣ କରି ଦଉଡ଼ି ଉପରେ ଚାଲି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଛି।
ବାଉଁଶ ଖୁଣ୍ଟ ମୂଳରେ ରଖାଯାଇଥିବା ଏକ ଡାଲାରେ ଦର୍ଶକମାନେ ନିଜ ଇଚ୍ଛାନୁସାରେ ଯେଉଁ ସାମାନ୍ୟ ଅର୍ଥ ପକାଉଛନ୍ତି, ତାହା ହିଁ ନାବାଳିକାଟିର ଗୁଜୁରାଣ ମେଣ୍ଟାଇବାର ମାଧ୍ୟମ ସାଜିଛି। ପେଟ ପାଇଁ ଏଭଳି ବିପଦସଙ୍କୁଳ ଖେଳ ପ୍ରଦର୍ଶନ କରିବାକୁ ପଡ଼ୁଥିବାରୁ ଘଟଣାଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଦୁର୍ଘଟଣାର ଆଶଙ୍କା ଏବଂ ନାବାଳିକାଟିର ଅସହାୟତାକୁ ଦେଖି ଦେଖଣାହାରୀମାନେ ତା’ର ସାହସକୁ ପ୍ରଶଂସା କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ତେବେ ଜୀବନକୁ ବାଜି ଲଗାଇ ଜଣେ ନାବାଳିକାଙ୍କ ଦ୍ୱାରା ଏଭଳି ଦୁଃସାହସିକ ଖେଳ ପ୍ରଦର୍ଶନ କରାଯିବା ଘଟଣା ସଚେତନ ମହଲରେ ଚିନ୍ତାର କାରଣ ହୋଇଛି।
ଶିଶୁ ଶ୍ରମିକ ନିଷେଧ ସହ ନାବାଳିକାମାନଙ୍କୁ ବିପଦସଙ୍କୁଳ ଓ ଦୁଃସାହସିକ କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ଆଇନଗତ କଟକଣା ରହିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରି ନାବାଳିକାଟିର ଏହି ବିପଦସଙ୍କୁଳ ଖେଳ ପ୍ରଦର୍ଶନ ବନ୍ଦ କରିବା ସହ ତା’ର ସୁରକ୍ଷା, ଥଇଥାନ ଓ ଭବିଷ୍ୟତରେ ସ୍ୱାବଲମ୍ବୀ ହେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହୋଇଛି।