ବ୍ରହ୍ମପୁର,୧୨/୦୮(ପିପିଟି): ବ୍ରହ୍ମପୁର ଉପଖଣ୍ଡ ନିର୍ବାଚ଼ନ ସାକ୍ଷରତା କ୍ଲବ ମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳ ଅବିନାଶ କୁମାର ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସୁବ୍ରତ ରାମ ବିରାମ ଶତପଥିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ବ୍ରହ୍ମପୁର ଉପଖଣ୍ଡର ୧୩ଟି ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ମହାବିଦ୍ୟାଳୟ ତରଫରୁ ଦୁଇ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦାନ କରିଥିଲେ । ନିର୍ବାଚନ ତଥା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧିତ ପ୍ରଶ୍ନୋତ୍ତରକୁ ନେଇ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଏବଂ ଶଶୀଭୂଷଣ ରଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି କୁଇଜ୍ ପ୍ରତିଯୋଗିତା ଆୟୋଜନରେ ନିର୍ବାଚନ ଉପବିଭାଗର ଅଧିକାରୀ ସହଯୋଗ କରିଥିଲେ ।