ଛତ୍ରପୁର,୦୯/୦୮(ପିପିଟି): ଚାଷୀମାନଙ୍କୁ ନିର୍ଦ୍ଧାରିତ ଓ ଉଚିତ ମୂଲ୍ୟରେ ସାର ଯୋଗାଣ ସୁନିଶ୍ଚିତ କରିବା ସହ ସାର ବିକ୍ରୟରେ ସ୍ୱଚ୍ଛତା ଓ ନିୟମିତତା ବଜାୟ ରଖିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସାରର ନିର୍ଦ୍ଧାରିତ ମୂଲ୍ୟ ସମ୍ପର୍କରେ ସୂଚନା ପ୍ରକାଶ କରାଯାଇଛି। ଚାଷୀମାନେ ସାର କିଣିବା ସମୟରେ ନିର୍ଦ୍ଧାରିତ ମୂଲ୍ୟ ଯାଞ୍ଚ କରିବା ସହ ବିକ୍ରୟ ରସିଦ ନିଶ୍ଚିତ ଭାବେ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପ୍ରକାଶିତ ତାଲିକା ଅନୁଯାୟୀ, ୟୁରିଆ ସାରର ନିର୍ଦ୍ଧାରିତ ମୂଲ୍ୟ ପ୍ରତି ବସ୍ତା ୨୬୬ ଟଙ୍କା ୫୦ ପଇସା ରହିଛି। ଡିଏପି ସାରର ମୂଲ୍ୟ ୧,୩୫୦ ଟଙ୍କା ଏବଂ ଏମ୍ଓପି ସାରର ପୁରୁଣା ଓ ନୂତନ ମୂଲ୍ୟ ଯଥାକ୍ରମେ ୧,୯୭୫ ଟଙ୍କା ଓ ୨,୨୦୦ ଟଙ୍କା ରହିଛି ।
ସେହିପରି ୨୦-୨୦-୦-୧୩ (ଏନ୍ପିକେ) ସାରର ଇଫକୋ ମୂଲ୍ୟ ୧,୪୫୦ ଟଙ୍କା ଏବଂ ପିପିଏଲ୍ ମୂଲ୍ୟ ୨,୧୦୦ ଟଙ୍କା ରହିଛି। ୧୬-୧୬-୧୬ (ଏନ୍ପିକେ) ସାରର ମୂଲ୍ୟ ୨,୦୫୦ ଟଙ୍କା ରହିଥିବା ବେଳେ ଏସ୍ଏସ୍ପି (ଦାନାଦାର)ର ମୂଲ୍ୟ ୮୦୦ ଟଙ୍କା ଏବଂ ଏସ୍ଏସ୍ପି (ଗୁଣ୍ଡ)ର ମୂଲ୍ୟ ୭୭୫ ଟଙ୍କା ରହିଛି ।
ଏହା ବ୍ୟତୀତ ଆମୋନିୟମ୍ ସଲ୍ଫେଟ୍ର ପିପିଏଲ୍ ମୂଲ୍ୟ ୧,୪୦୦ ଟଙ୍କା ଏବଂ ଏଚ୍ୟୁଆର୍ଏଲ୍ ମୂଲ୍ୟ ୧,୬୫୦ ଟଙ୍କା ରହିଛି। ୨୮-୨୮-୦ (ଏନ୍ପିକେ) ସାରର ଇଫକୋ ନିର୍ଦ୍ଧାରିତ ମୂଲ୍ୟ ପ୍ରତି ବସ୍ତା ୧,୭୫୦ ଟଙ୍କା ରହିଛି। ତାଲିକାରେ ଉଲ୍ଲେଖିତ ଏହି ମୂଲ୍ୟଗୁଡ଼ିକ ୮ ଅଗଷ୍ଟ ୨୦୨୫ ଠାରୁ ପ୍ରଚଳିତ ଥିବା ସୂଚନା ଦିଆଯାଇଛି ।
ଚାଷୀମାନେ ସାର କ୍ରୟ ସମୟରେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଅର୍ଥ ପ୍ରଦାନ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । କୌଣସି ବିକ୍ରେତା ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦାମରେ ସାର ବିକ୍ରୟ କରୁଥିଲେ, ସାର ଯୋଗାଣରେ ଅନିୟମିତତା କରୁଥିଲେ କିମ୍ବା ସାର କ୍ରୟ ସମୟରେ ଚାଷୀଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଉଥିଲେ, ତେବେ ଚାଷୀମାନେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇପାରିବେ ।
ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ହେଲ୍ପଲାଇନ୍ ନମ୍ବର ୦୬୮୦-୨୨୩୩୨୬୨ ଜାରି କରାଯାଇଛି । ଏହି ନମ୍ବରରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅଭିଯୋଗ ଜଣାଇପାରିବେ । ସେହିପରି ୨୪ ଘଣ୍ଟିଆ ଅଭିଯୋଗ ପାଇଁ ହ୍ୱାଟ୍ସଆପ୍ ନମ୍ବର ୭୭୮୯୦୩୨୬୨୦ରେ ଅଭିଯୋଗ ଜଣାଇବାକୁ ଚାଷୀମାନଙ୍କୁ କୁହାଯାଇଛି ।
ସାର ବିକ୍ରୟ ସମୟରେ ବ୍ୟବସାୟୀମାନେ ଆଇଏଫ୍ଏମ୍ଏସ୍ ବିଲ୍ ମାଧ୍ୟମରେ ନିର୍ଦ୍ଧାରିତ ଦରରେ ସାର ବିକ୍ରୟ କରିବାକୁ ନିର୍ଦ୍ଦେଶ ରହିଛି। ଚାଷୀମାନେ ସାର କ୍ରୟ ସମୟରେ ନିର୍ଦ୍ଧାରିତ ଦର ଯାଞ୍ଚ କରିବା ସହ ବିକ୍ରୟ ରସିଦ ନେବାକୁ ଏବଂ କୌଣସି ପ୍ରକାର ଅନିୟମିତତା ନଜରକୁ ଆସିଲେ ତୁରନ୍ତ ଅଭିଯୋଗ ଜଣାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଚାଷୀଙ୍କ ହିତ ସୁରକ୍ଷା, ସାରର କଳାବଜାରୀ ଓ ବେଆଇନ ମୂଲ୍ୟବୃଦ୍ଧି ରୋକିବା ଏବଂ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନର ନିରୀକ୍ଷଣ ଓ ଆବଶ୍ୟକ ପଦକ୍ଷେପ ଜାରି ରହିବ ।