ଭଞ୍ଜନଗର, ୦୫/୦୭(ପିପିଟି ):ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ଥାନା ଅଞ୍ଚଳରେ ଗତ ୨ଦିନରେ ୨ଟି ବଡ଼ ଧରଣର ଚୋରି ହୋଇଛି।ଶୁକ୍ରବାର ରାତିରେ ଏହି ଥାନା ଅନ୍ତର୍ଗତ ବେଙ୍ଗସର ଠାରେ ଥିବା ରାଜା ଜୁଏଲର୍ସରେ ଦୁର୍ବୁତ୍ତ ମାନେ କଳାକନା ବୁଲାଇ ଥିବା ବେଳେ ଶନିବାର ରାତିରେ ଗାଲେରୀ ପାଟଣା ସାହିରେ ଥିବା ପ୍ରସିଦ୍ଧ କାଳୀ ମନ୍ଦିର ରୁ ସୁନା ରୁପା ଅଳଙ୍କାର ଓ ନଗଦ ଟଙ୍କା ଚୋରୀ ହୋଇଥିବା ଜଣାପଡିଛି। ଦୁର୍ବୁତ୍ତ ମାନେ ମା’ଙ୍କର ସୁନା ମୁକୁଟ ଓ ଆଲମୀରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କା ମଧ୍ୟ ନେଇ ଯାଇଛନ୍ତି।ମନ୍ଦିରଟି ସାହିର ମଧ୍ୟ ଭାଗରେ ଥିବା ବେଳେ ଗତ ରାତିରେ ଅତ୍ୟଧିକ ବର୍ଷା ଯୋଗୁଁ ଏହାର ସୁଯୋଗରେ ଚୋରମାନେ ୪ଟି ତାଲା ଭାଙ୍ଗି ଏଭଳି କାଣ୍ଡ ଘଟାଇଛନ୍ତି । ମା’ଙ୍କର ମଥା ମଣି ଓ ମୁକୁଟକୁ ମିଶାଇ ପ୍ରାୟ ୪ଶହ ଗ୍ରାମ ସୁନା ଅଳଙ୍କାର ଏବଂ ପ୍ରାୟ ୧୨କେଜି ରୁପା ଅଳଙ୍କାର ଚୋରୀ ହୋଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ତାରାସିଂଙ୍ଗ ପୋଲିସ, ଏସ୍ଡିପିଓ ଓ ଆଡିସିନାଲ ଏସପି ପହଂଚି ତଦନ୍ତ କରୁଛନ୍ତି । ଚୋରମାନେ ପ୍ରମାଣ ନଷ୍ଟ କରିବା ପାଇଁ ସିସି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି।ସ୍ଥାନୀୟ ଅଞ୍ଚଳରେ ମାଙ୍କ ପ୍ରତି ରହି ଥିବା ଧର୍ମୀୟ ଭାବନା ପ୍ରତି ଗଭୀର ଆଘାତ ପହଁଚିଛି। ତେଣୁ ପୋଲିସ ତୁରନ୍ତ ଏହି ଚୋରଙ୍କୁ ଧରିଵା ପାଇଁ ଲୋକମାନେ ଦାବି କରୁଛନ୍ତି ।
ରିପୋର୍ଟ -ଜେ କେ ପଟ୍ଟନାୟକ