ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ ।

0 32

ଭୁବନେଶ୍ୱର,୧୧/୦୯(ପିପିଟି): ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୋଲିସ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ । ଡିଜିପି ବିନୟତୋଷ ମିଶ୍ର ଆଜି ଡିଜିପି କ୍ୟାମ୍ପ ଅଫିସ୍, ଭୁବନେଶ୍ୱରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନ ସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି।

ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି।

ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି।
ସୁଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ୍ ସୁଶାସନ ପଦକ୍ଷେପର ପରିସରରେ ଏହି ସେବାକୁ ସାମିଲ କରାଯାଇଛି। ଏହା ମାଧ୍ୟମରେ ପୋଲିସ ସେବାକୁ ନାଗରିକଙ୍କ ହାତପାହାନ୍ତାରେ ପହଞ୍ଚାଇବା ଲକ୍ଷ୍ୟ ରହିଛି।

‘ଆମ ସାଥୀ’ ହେଉଛି ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା। ହ୍ୱାଟ୍ସଆପ୍ ମାଧ୍ୟମରେ ଏଥିରେ ବିଭିନ୍ନ ସରକାରୀ ସେବା ସହଜରେ ଉପଲବ୍ଧ ହେଉଛି।

ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି।

ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ। ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ। ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍‌ରେ ପାଇପାରିବେ।

ହ୍ୱାଟ୍ସଆପ୍‌ରେ ମିଳିବ ନିମ୍ନଲିଖିତ ୧୪ଟି ପୋଲିସ ସେବା

୧. ଚରିତ୍ର ପ୍ରମାଣପତ୍ର
୨. ବରିଷ୍ଠ ନାଗରିକ ପଞ୍ଜୀକରଣ
୩. କର୍ମଚାରୀ ସତ୍ୟାପନ
୪. ହଜିଯାଇଥିବା ସମ୍ପତ୍ତି/ଦଲିଲ୍ ସମ୍ପର୍କିତ ରିପୋର୍ଟ
୫. ଲାଉଡ୍‌ସ୍ପିକର୍ ଅନୁମତି ପାଇଁ NOC
୬. ଭଡ଼ାଟିଆ/PG ସତ୍ୟାପନ
୭. ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ
୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ
୯. ଅଭିଯୋଗ ପଞ୍ଜୀକରଣ
୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ
୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି
୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି
୧୩. FIRର ନକଲ ପ୍ରଦାନ
୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ Final Formର ନକଲ ପ୍ରଦାନ

କିପରି ବ୍ୟବହାର କରିବେ ‘ଆମ ସାଥୀ’

୧. ‘Hi’ ଲେଖି ପଠାନ୍ତୁ:
‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍‌ରେ ପଞ୍ଜିକୃତ କରି ‘Hi’ ଲେଖି ପଠାନ୍ତୁ।

୨. ସେବା ଚୟନ କରନ୍ତୁ:
ଭାଷା ଚୟନ ପରେ ଉପଲବ୍ଧ ପୋଲିସ ସେବାଗୁଡ଼ିକର ତାଲିକା ଦେଖାଯିବ। ଆବଶ୍ୟକ ସେବା ଚୟନ କରନ୍ତୁ।

୩. ତଥ୍ୟ ଓ ଦଲିଲ୍ ଦିଅନ୍ତୁ:
ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କରନ୍ତୁ।

୪. ଆବେଦନ ଦାଖଲ ହେବ:
ତଥ୍ୟ ଓ ଦଲିଲ୍ ଦାଖଲ ପରେ ଆବେଦନଟି ସମ୍ପୃକ୍ତ ପୋଲିସ କାର୍ଯ୍ୟାଳୟ/କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଏକ ରେଫରେନ୍ସ/ଆବେଦନ ନମ୍ବର ମିଳିବ।

୫. ଆବେଦନର ସ୍ଥିତି ଜାଣନ୍ତୁ:
ରେଫରେନ୍ସ/ଆବେଦନ ନମ୍ବର ବ୍ୟବହାର କରି ହ୍ୱାଟ୍ସଆପ୍‌ରେ ଆବେଦନର ସ୍ଥିତି ଜାଣିପାରିବେ।

୬. ଡିଜିଟାଲ୍ ଦଲିଲ୍ ପାଆନ୍ତୁ:
ପ୍ରକ୍ରିୟା ସମାପ୍ତ ପରେ, ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ।

‘ଆମ ସାଥୀ’ରେ ୧୪ଟି ପୋଲିସ ସେବା ଯୋଡ଼ାଯିବା ଓଡ଼ିଶାରେ ଡିଜିଟାଲ୍ ଓ ନାଗରିକ-କେନ୍ଦ୍ରିକ ପୋଲିସିଂକୁ ଆହୁରି ସୁଦୃଢ଼ କରିବ। ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ପୋଲିସ ସେବାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଆଇଜି ଏସଟିଏଫ ହିମାଂଶୁ ଲାଲ, ଆଇଜି( ଇଣ୍ଟେଲିଜେନ୍ସ) ସତ୍ୟବ୍ରତ ଭୋଇ, ଆଇଜି ( କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ, CMGI ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସପି( କମ୍ପ୍ୟୁଟର )ଅମୁଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.