ବାରିପଦା, ୦୬/୧୦: ବାରିପଦା-ଭୁବନେଶ୍ୱର ମଧ୍ୟରେ ହେଲିଟ୍ୟାକ୍ସି ସେବା ଆରମ୍ଭ ନେଇ ଗତ ଫେବ୍ରୁଆରୀରେ ସଫଳ ପରୀକ୍ଷଣ ହୋଇଥିଲେ ମଧ୍ୟ ଏହାର ବାଣିଜ୍ୟିକ ସେବା ଏଯାଏଁ ଆରମ୍ଭ ହୋଇନାହିଁ। ପରୀକ୍ଷଣକୁ ଇତିମଧ୍ୟରେ ପ୍ରାୟ ୮ ମାସ ବିତିଥିବାରୁ ପ୍ରସ୍ତାବିତ ହେଲିଟ୍ୟାକ୍ସି ସେବାର ଭବିଷ୍ୟତ ନେଇ ମୟୂରଭଞ୍ଜବାସୀଙ୍କ ମଧ୍ୟରେ ପୁଣି ପ୍ରଶ୍ନ ଉଠିଛି। ଫେବ୍ରୁଆରୀ ୨୫ରେ ପବନ ହଂସର ୬ ଆସନ ବିଶିଷ୍ଟ ହେଲିକପ୍ଟର ଭୁବନେଶ୍ୱରରୁ ଉଡ଼ି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିବା ସହ ସଫଳ ଟ୍ରାଏଲ୍ ରନ୍ କରିଥିଲା। ଏହା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ମାସକୁ ୪ରୁ ୫ ଥର ବାରିପଦା ପୁଲିସ ଲାଇନ୍ ହେଲିପ୍ୟାଡ୍ରୁ ଭୁବନେଶ୍ୱର ବିମାନବନ୍ଦରକୁ ହେଲିଟ୍ୟାକ୍ସି ଚଳାଚଳ କରିବ ବୋଲି ଘୋଷଣା କରାଯାଇଥିଲା।
ପ୍ରସ୍ତାବିତ ସେବା ଆରମ୍ଭ ହେଲେ ଶିମିଳିପାଳ, ବରେହିପାଣି ଓ ଯୋରନ୍ଦା ଭଳି ପର୍ଯ୍ୟଟନସ୍ଥଳୀକୁ ଅଧିକ ପର୍ଯ୍ୟଟକ ଆସିବା ସହ ମୟୂରଭଞ୍ଜର ପର୍ଯ୍ୟଟନ ଓ ଆର୍ଥିକ ବିକାଶକୁ ଗତି ମିଳିବ ବୋଲି ଆଶା କରାଯାଇଥିଲା। ଭୁବନେଶ୍ୱର ସହ ବାରିପଦାର ଦ୍ରୁତ ଯୋଗାଯୋଗ ପାଇଁ ଏହାକୁ ଏକ ନୂଆ ପଦକ୍ଷେପ ଭାବେ ଦେଖାଯାଇଥିଲା। ତେବେ ଟ୍ରାଏଲ୍ ରନ୍ର ଦୀର୍ଘ ସମୟ ପରେ ମଧ୍ୟ ସେବା ଆରମ୍ଭ ନହେବାରୁ ପବନ ହଂସ ସହ ହୋଇଥିବା ବୁଝାମଣା ଓ ଯୋଜନାର କାର୍ଯ୍ୟକାରିତା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ପ୍ରକଳ୍ପଟି କେବେ ଆରମ୍ଭ ହେବ ଏବଂ ପ୍ରସ୍ତାବିତ ହେଲିଟ୍ୟାକ୍ସି ସେବା ବାସ୍ତବ ରୂପ ନେବ କି ନାହିଁ, ତାହା ଏବେ ମୟୂରଭଞ୍ଜବାସୀଙ୍କ ଅପେକ୍ଷାର ବିଷୟ ହୋଇଛି।