ଜିଲ୍ଲାପାଳଙ୍କ ମାଟାପାକା ପଞ୍ଚାୟତ ଗସ୍ତ: ଉନ୍ନୟନ କାର୍ଯ୍ୟ ସମୀକ୍ଷା ।

0 0

ମାଲକାନଗିରି,୧୭/୦୮(ପିପିଟି):ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ଜନସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମାଟାପାକା ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ପ୍ରଥମେ ମାଟାପାକା ସ୍ଥିତ ପ୍ରଗତି ପଥେ ଯୁବା ମାଲକାନଗିରି କେନ୍ଦ୍ର ପରିଦର୍ଶନ କରିଥିଲେ, ଯାହା ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାସହ ନିର୍ମାଣଧୀନ ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଅଗ୍ରଗତି ବୁଲି ଦେଖିବା ସହ ଲୋକଙ୍କୁ ଉତ୍ତମ ସରକାରୀ ସେବା ଯୋଗାଇଦେବା ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଗସ୍ତ କାଳରେ କମଳପଦର ଗ୍ରାମର ହିତାଧିକାରୀ ଭୀମା ବେଟିଙ୍କ ମତ୍ସ୍ୟ ପୋଖରୀ ଯୋଜନା ପ୍ରକଳ୍ପର ମଧ୍ୟ ସମୀକ୍ଷା କରାଯାଇ ସରକାରୀ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଉପରେ ବିଭାଗୀୟ ଆଲୋଚନା ହୋଇଥିଲା।
ଏହାପରେ ସେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଉପ-ଖଣ୍ଡ ଅଧିକାରୀ ଏବଂ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସହ କୋଟାମାଟେରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ସମସ୍ୟା ବୁଝିଥିଲେ। ବିଦ୍ୟାଳୟରେ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ଏବଂ ସୌର ଶକ୍ତି ବ୍ୟବସ୍ଥା ଦୀର୍ଘ ଦିନରୁ ଅଚଳ ଥିବା ଜାଣିବା ପରେ, ଏହାର ବିକଳ୍ପ ସ୍ୱରୂପ ଖୁବ୍ ଶୀଘ୍ର ବିଦ୍ୟାଳୟକୁ ଏକ ଜେନେରେଟର (ବିଦ୍ୟୁତ ସଂରକ୍ଷଣ ଯନ୍ତ୍ର) ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେଠାରେ ଆଉ ଏକ ଗଭୀର ନଳକୂପ ନିର୍ମାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମାଟାପାକାରୁ କୋଟାମାଟେରୁକୁ ସଂଯୋଗ କରୁଥିବା ରାସ୍ତାକୁ ଅଗ୍ରାଧିକାର ଭିତ୍ତିରେ ମରାମତି କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଶେଷରେ ମାଟାପାକା ହାଇସ୍କୁଲର ନବନିର୍ମିତ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.