ଜାଫ୍ରା ନର୍ସରୀ ପରିଦର୍ଶନ କଲେ ଜିଲ୍ଲାପାଳ ।

0 3

ମାଲକାନଗିରି, ୦୭/୦୬(ପିପିଟି):ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପପୁଲୁର ଗ୍ରାମପଞ୍ଚାୟତର ନାଗଲୁର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ପରିଦର୍ଶନ କରିଥିଲେ। ଏହି ନର୍ସରୀକୁ ଆଇଟିଡିଏ ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟାନ୍ବୟନ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ମୋଟ ୩ଟି ଜାଫ୍ରା ନର୍ସରୀ ସ୍ଥାପିତ ହୋଇଥିବାବେଳେ ସେଥିରେ ପ୍ରାୟ ୮ ଲକ୍ଷ ଚାରା ଉତ୍ପାଦନ କ୍ଷମତା ରହିଛି।ଜିଲ୍ଲାପାଳ ନର୍ସରୀରେ ଚାରାଗୁଡିକର ସ୍ଥିତି ଓ ରକ୍ଷଣାବେକ୍ଷଣ ଦେଖି ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ଦଳରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ହଳଧର ଶବର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅନିଲ ପ୍ରହରାଜ
ଏବଂବପ୍ରକଳ୍ପ ପରିଚାଳକ ଆଇଟିଡିଏ ବିଶ୍ୱନାଥ ମିଶ୍ର ଉପସ୍ଥିତ ଥିଲେ।ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଖାଲ ଖୋଳା ଓ ଚାରା ରୋପଣ କାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାଫ୍ରା ଚାଷୀମାନଙ୍କ ଠାରୁ ଜାଫ୍ରା ମଞ୍ଜି ସଠିକ ଭାବେ କ୍ରୟ ଓ ବିପଣନ ପାଇଁ ଏକ ଜାଫ୍ରା ମଣ୍ଡି ସ୍ଥାପନ କରିବାକୁ ପ୍ରକଳ୍ପ ପ୍ରଶାସକ ଆଇଟିଡିଏଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।ପପୁଲୁର ଗ୍ରାମପଞ୍ଚାୟତର ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପାନୀୟ ଜଳ ଓ ଜଳସେଚନ ସୁବିଧା ପାଇଁ ଗ୍ରାଭିଟି ଭିତ୍ତିକ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଏହା ସହିତ ସେମାନେ ଏଫଆରଏ ପଟ୍ଟା ପ୍ରଦାନ ସମ୍ପର୍କରେ ମଧ୍ୟ ଦାବି ଉଠାଇଥିଲେ।
ଏହାର ଉତ୍ତରରେ ଜିଲ୍ଲାପାଳ ୭୫ ବର୍ଷରୁ ଅଧିକ ସମୟ ଧରି ଦଖଲରେ ଥିବା ଜମି ସମ୍ବନ୍ଧୀୟ ତଥ୍ୟ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ।କୋଣ୍ଡା ରେଡ୍ଡି ସମ୍ପ୍ରଦାୟର ଲୋକମାନେ ଜାଫ୍ରା ଚାଷ ମାଧ୍ୟମରେ ଜୀବିକା ନିର୍ବାହ କରିବା ପାଇଁ ସମ୍ମତି ପ୍ରକାଶ କରିଥିବା ସହ ଯଦି ଜାଫ୍ରା ଚାଷ ପାଇଁ ସହଯୋଗ ମିଳେ ତେବେ ଗଞ୍ଜେଇ ଚାଷ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପରିଦର୍ଶନ ଶେଷରେ ଜିଲ୍ଲାପାଳ ଜାଫ୍ରା ଚାଷୀ ଓ ହିତାଧିକାରୀମାନଙ୍କ ସହ ଗ୍ରୁପ ଫଟୋ ଉଠାଇଥିଲେ ଏବଂ ଏହି ପ୍ରୟାସ ପ୍ରତି ସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଲୋକଙ୍କୁ ସକ୍ରିୟ ଭାଗିଦାରି ପାଇଁ ଉତ୍ସାହିତ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.