ଜନସ୍ୱାର୍ଥ ଭିତ୍ତିକ ସାମ୍ବାଦିକତାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରେସ କ୍ଲବ ଗଠନ।

0 186

ବୋଲଗଡ଼,୧୨/୦୭(ପିପିଟି):ସାମ୍ବାଦିକଙ୍କ ଏକତା, ବୃତ୍ତିଗତ ଦକ୍ଷତାର ବିକାଶ ଏବଂ ଜନସ୍ୱାର୍ଥ ଭିତ୍ତିକ ସାମ୍ବାଦିକତାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ କେନ୍ଦ୍ରସ୍ଥଳ ରାଜସୁନାଖଳାରେ ରାଜସୁନାଖଳା ପ୍ରେସ କ୍ଲବ ଗଠନ କରାଯାଇଛି। ଅଞ୍ଚଳର ବହୁ ସାମ୍ବାଦିକଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତାମାନଙ୍କୁ ମନୋନୀତ କରାଯାଇଥିଲା। ନୂତନ କମିଟିରେ ରାକେଶ ଚନ୍ଦ୍ର ପାଢ଼ୀ ସଭାପତି ଏବଂ ନିରଞ୍ଜନ ସେଠୀ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ରାଜୀବ ଲୋଚନ ପ୍ରଧାନ, ଉପସଭାପତି ଭାବେ ନିରଞ୍ଜନ ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀନିବାସ ବେହେରା, ସହ-ସମ୍ପାଦକ ଭାବେ ବଲ୍ଲଭ ପ୍ରଧାନ ଓ ସଦାଶିବ ପାଣ୍ଡି, କୋଷାଧ୍ୟକ୍ଷ ଭାବେ ପ୍ରସନ୍ନ କୁମାର ସାହୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁଶାନ୍ତ କୁମାର ପ୍ରଧାନ ଓ ଅଶୋକ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଉପଦେଷ୍ଟା ଭାବେ ଦେବୀ ପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରଭାତ କୁମାର ରଥ, ଆଚାର୍ଯ୍ୟ ବିଶ୍ୱରଞ୍ଜନ ଓ ପ୍ରସନ୍ନ କୁମାର ସ୍ୱାଇଁ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି। ବୈଠକରେ ଉପସ୍ଥିତ ସାମ୍ବାଦିକମାନେ କହିଥିଲେ ଯେ, ପ୍ରେସ କ୍ଲବ କେବଳ ସାମ୍ବାଦିକଙ୍କ ଏକ ସଂଗଠନ ନୁହେଁ, ବରଂ ସମାଜ ଓ ପ୍ରଶାସନ ମଧ୍ୟରେ ଏକ ଦାୟିତ୍ୱବାନ ସେତୁ ଭାବେ କାର୍ଯ୍ୟ କରିବ। ଗ୍ରାମାଞ୍ଚଳର ସମସ୍ୟା, ଜନସ୍ୱାର୍ଥ ପ୍ରସଙ୍ଗ, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସାଧାରଣ ଲୋକଙ୍କ ସ୍ୱରକୁ ଅଧିକ ପ୍ରାଧାନ୍ୟ ଦେଇ ସାମ୍ବାଦିକତାକୁ ଆଗକୁ ନେବା ପାଇଁ ସମସ୍ତ ସଦସ୍ୟ ସଂକଳ୍ପବଦ୍ଧ ବୋଲି ମତ ପ୍ରକାଶ ପାଇଥିଲା। ନବନିର୍ବାଚିତ ସଭାପତି ରାକେଶ ଚନ୍ଦ୍ର ପାଢ଼ୀ କହିଥିଲେ ଯେ, ପ୍ରେସ କ୍ଲବ ସମସ୍ତ ସାମ୍ବାଦିକଙ୍କୁ ଏକାଠି କରି ସେମାନଙ୍କ ବୃତ୍ତିଗତ ସ୍ୱାର୍ଥ ସୁରକ୍ଷା, ଦକ୍ଷତା ବୃଦ୍ଧି ଓ ସାମାଜିକ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବ। ସମ୍ପାଦକ ନିରଞ୍ଜନ ସେଠୀ ମଧ୍ୟ କହିଥିଲେ ଯେ, ନିରପେକ୍ଷ, ନିର୍ଭୀକ ଓ ତଥ୍ୟଭିତ୍ତିକ ସାମ୍ବାଦିକତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ବୈଠକ ଶେଷରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ସଦସ୍ୟମାନେ ଅଭିନନ୍ଦନ ଜଣାଇବା ସହ ରାଜସୁନାଖଳା ଅଞ୍ଚଳରେ ଏକ ସକ୍ରିୟ ଓ ଆଦର୍ଶ ସାମ୍ବାଦିକ ସଂଗଠନ ଭାବେ ପ୍ରେସ କ୍ଲବକୁ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.