ବ୍ରହ୍ମପୁର,୧୩/୦୯(ପିପିଟି): ଲୋକଶକ୍ତି ଅଭିଯାନର ରାଷ୍ଟ୍ରୀୟ ଆବାହକ ପ୍ରଫୁଲ୍ଲ ସାମନ୍ତରା ଓ ଅଖିଳ ଭାରତ କିଶାନ୍ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରର ଆଦିବାସୀ ମନ୍ତ୍ରଣାଳୟ, କର୍ପୋରେଟ୍ କମ୍ପାନୀଙ୍କ ସ୍ୱାର୍ଥରେ ଦେଶର ଆଦିବାସୀମାନଙ୍କ ଗ୍ରାମସଭା ପରି ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେବାକୁ ଆଇନର ମିଥ୍ୟା ତର୍ଜମା କରୁଛି ବୋଲି ଅଭିଯୋଗ କରିଛନ୍ତି ।
୨୦୨୬ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟକୁ ଜଣାଇଛି ଯେ, ଜଙ୍ଗଲ ଅଧିକାର ଆଇନ, ୨୦୦୬ (FRA – ୨୦୦୬)ରେ ଅଣ-ଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମିର ବ୍ୟବହାର/ହସ୍ତାନ୍ତର ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ପାଇଁ ଗ୍ରାମସଭାର ସମ୍ମତି ଆବଶ୍ୟକ ବୋଲି କୌଣସି ବ୍ୟବସ୍ଥା ନାହିଁ ଏବଂ “ଏପରି ବିଷୟଗୁଡ଼ିକ” ତାହାର ଅଧିକାର କ୍ଷେତ୍ର ବାହାରେ ରହିଛି । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏହି ଆଦିବାସୀ ବିରୋଧୀ ମତ ଆଇନର ଏକ ଗୁରୁତର ଭୁଲ ବ୍ୟାଖ୍ୟା ଅଟେ । ଏହାଦ୍ୱାରା ମନ୍ତ୍ରଣାଳୟ ନିଜର ଆଇନଗତ ଦାୟିତ୍ୱରୁ ପଛକୁ ଘୁଂଚିବାକୁ ସୂଚାଇ ଦେଉଛି । ଏହା ବିଶେଷ ଭାବେ ଚିନ୍ତାଜନକ, କାରଣ ଏହା ମନ୍ତ୍ରଣାଳୟର ଅତିତରେ ଜାରୀ ସମସ୍ତ ପୂର୍ବ ନିର୍ଦ୍ଦେଶାବଳୀ ଓ ସ୍ପଷ୍ଟୀକରଣର ବିରୋଧାଚରଣ କରୁଛି । ଏହା କେବଳ ଦେଶର ଖଣି କାରବାରେ ବଡ଼ ଭୂମିକା ନେଉଥିବା ଆଦାନୀ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଖଣି କମ୍ପାନୀଙ୍କ ଚାପର ପରିଣାମ ଅଟେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୨ ଜୁଲାଇ ୧୨ ତାରିଖରେ ରାଜ୍ୟ ସରକାରମାନଙ୍କୁ ପଠାଇଥିବା ଚିଠିରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MoTA) ସ୍ପଷ୍ଟ କରିଥିଲା ଯେ, FRA, ୨୦୦୬ ର ଧାରା ୪ ଅନୁଯାୟୀ ବନଜମି ହସ୍ତାନ୍ତର ଏବଂ ବନ ଉପରେ ନିର୍ଭରଶୀଳ ସମୁଦାୟଙ୍କ ପୁନର୍ବାସ ପୂର୍ବରୁ ଆଇନର ଅନୁପାଳନ ଆବଶ୍ୟକ ।
ଏହା ସହିତ, ୨୦୧୮ ଜାନୁଆରୀ ୧୨ରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEFCC) ସହ ହୋଇଥିବା ଏକ ବୈଠକରେ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ବନ ହସ୍ତାନ୍ତର ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ଅଧିକାର ଆଇନର ଅନୁପାଳନର ଆବଶ୍ୟକତାକୁ ହ୍ରାସ କରିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ପ୍ରସ୍ତାବକୁ ସ୍ପଷ୍ଟ ଭାବରେ ବିରୋଧ କରିଥିଲା । ଏହା ଚେତାବନୀ ଦେଇଥିଲା ଯେ, ପରବର୍ତୀ ପର୍ଯ୍ୟାୟକୁ ଏହି ଆବଶ୍ୟକତାକୁ ଠେଲିଦେଲେ FRA Free “ହୋଇସାରିଥିବା ବିଷୟ” ଭାବରେ ଧରି ନିଆଯାଇପାରେ ।
ପରବର୍ତ୍ତୀ ସମୟରେ, ୨୦୧୮ ଡିସେମ୍ବର ୨୮ରେ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ (MoTA) ସଂସଦରେ ସ୍ପଷ୍ଟ କରିଥିଲା ଯେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଅଧିକାରର ସ୍ୱୀକୃତି ଓ ସମାଧାନ ଏବଂ ଗ୍ରାମସଭାର ସମ୍ମତି—ବନଜମି ହସ୍ତାନ୍ତର ସମ୍ପର୍କିତ ପ୍ରସ୍ତାବଗୁଡ଼ିକ ପାଇଁ ବାଧ୍ୟତାମୂଳକ । ଏହି ମତ ବନ (ସଂରକ୍ଷଣ ଓ ସମ୍ପର୍ଦ୍ଧନ) ଆଇନ, ୨୦୨୩ରେ ମଧ୍ୟ ପ୍ରତିଫଳିତ ହୋଇଛି। ନିୟମ ୧୧(୭) ଅନୁଯାୟୀ, ହସ୍ତାନ୍ତର ଅନୁମତି ଆଦେଶ ଜାରି ହେବା ପୂର୍ବରୁ FRA, ୨୦୦୬ ର ଅନୁପାଳନ ଏବଂ FRA – ୨୦୦୬ ଅନୁଯାୟୀ ଅଧିକାରର ସମାଧାନ ଆବଶ୍ୟକ ।
ଜଙ୍ଗଲ ଅଧିକାର ଆଇନ – ୨୦୦୬ର ଧାରା -୫ରେ ଗ୍ରାମସଭାକୁ ଧାରା ୩ ଅନୁଯାୟୀ ସ୍ୱୀକୃତ ଆଦିବାସୀ ସମୁଦାୟଙ୍କ ଅଧିକାର ଓ ସମ୍ପଦର ସୁରକ୍ଷା କରିବାର କ୍ଷମତା ପ୍ରଦାନ କରିଛି। ଏହାକୁ ସୁପ୍ରିମକୋର୍ଟଙ୍କ ଐତିହାସିକ ଓଡିଶା ଖଣି ନିଗମ ବନାମ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ଏପ୍ରିଲ ୨୦୧୩ ରାୟ—ଯାହା ସାଧାରଣତଃ ନିୟମଗିରି ମାମଲା ଭାବେ ପରିଚିତ—ସହ ମିଶାଇ ପଢ଼ିଲେ, ଜଙ୍ଗଲ ଅଧିକାର ଓ ବନ ସମ୍ପଦ ସମ୍ପର୍କିତ ନିଷ୍ପତିରେ ଗ୍ରାମସଭାର କେନ୍ଦ୍ରୀୟ ଭୂମିକା ସ୍ପଷ୍ଟ ହୋଇଥାଏ । ଏହି ସୁରକ୍ଷା ବ୍ୟବସ୍ଥାଗୁଡ଼ିକ କେବଳ ଆଇନଗତ ଔପଚାରିକତା ନୁହେଁ। ଆଦିବାସୀ ଏବଂ ବନବାସୀ ସମୁଦାୟମାନେ ନିଜ ଜଳ, ଜଙ୍ଗଲ ଓ ଜମିର ଅଧିକାର ସୁରକ୍ଷା ପାଇଁ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଉପରେ ନିର୍ଭର କରିଆସିଛନ୍ତି । ଦେଶର ଆଦିବାସୀମାନଙ୍କ ବିକାଶ ଓ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତଣାଳୟ ଗଠିତ ହୋଇଛି । ଜଙ୍ଗଲ ଅଧିକାର ଆଇନ – ୨୦୦୬ରେ ମଧ୍ୟ ସ୍ପଷ୍ଟ ଭାବରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟକୁ ଏହି ଆଇନ କାର୍ଯ୍ୟକାରୀ କରିବାର ନୋଡାଲ୍ ମନ୍ତ୍ରଣାଳୟ ଭାବେ ଘୋଷଣା କରିଛି ଏବଂ ତେଣୁ ଏହି ଆଇନ ଯେଉଁ ଅଧିକାରର ଗ୍ୟାରେଂଟି ଦେଇଛି, ସେଗୁଡ଼ିକର ସୁରକ୍ଷା କରିବା ମଧ୍ୟ ଆଦିବାସୀ ମନ୍ତ୍ରଣାଳୟର ଦାୟିତ୍ୱ ।
ଆଜି ଯେତେବେଳେ ଏହି ଅଧିକାରଗୁଡ଼ିକ ବିପଦରେ ଏବଂ ତୃଣମୂଳ ସ୍ତରରେ ଚାପରେ ରହିଛି, ସେତେବେଳେ ଜନଜାତି ମନ୍ତ୍ରଣାଳୟ ଜଙ୍ଗଲ ଅଧିକାର ଆଇନ, ୨୦୦୬ ର କାର୍ଯ୍ୟାନ୍ୱୟନରୁ ନିଜକୁ ଦୂରେଇ ରଖିପାରିବ ନାହିଁ । ଏପରି କରିବା କେବଳ ଜଙ୍ଗଲ ଅଧିକାର ଆଇନ, ୨୦୦୬ର ବିଧିଗତ ଯୋଜନାକୁ ଦୁର୍ବଳ କରିବ ନାହିଁ, ବରଂ ଯେଉଁ ସମୁଦାୟଙ୍କ ସୁରକ୍ଷା ପାଇଁ ଏହି ଆଇନ ପ୍ରଣୟନ କରାଯାଇଥିଲା, ସେମାନଙ୍କୁ ମଧ୍ୟ ଅସହାୟ କରିଦେବ। ଯାହାଦ୍ୱାରା କଂପାନୀଗୁଡ଼ିକୁ ହଜାର ହଜାର ଏକର ଜଙ୍ଗଲ ଜମି ଓ ଡଙ୍ଗର ପାହାଡ଼ ଗ୍ରାମସଭାର ବିନା ସମ୍ମତିରେ ହସ୍ତାନ୍ତର ହୋଇଯିବ ।
ଐତିହାସିକ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ମିଳିଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାରକୁ ଛଡ଼ାଇ ନେବାକୁ ଆଦିବାସୀ ମନ୍ତ୍ରଣାଳୟ ଆଇନକୁ କଦର୍ଥ କରି ନିଜର କର୍ତବ୍ୟ ଓ ଉତ୍ତର ଦାୟିତ୍ୱରୁ ଖସିବାକୁ ଉଦ୍ୟମ କରିବା ବେଳେ ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ସରକାର ନୀରବ ରହିବା ରାଜ୍ୟର ଏକ କୋଟିରୁ ଉର୍ଦ୍ଧ୍ୱ ଆଦିବାସୀ ତଥା ପାରମ୍ପରିକ ଜଙ୍ଗଲବସୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଶ୍ରୀ ସାମନ୍ତରା କହିଛନ୍ତି । ଏପରି ମତ ଦେବା, ୨୦୧୩ ଏପ୍ରିଲ ୧୩ ତାରିଖରେ ନିୟମଗିରିରେ ଖଣି ଖନନ ପାଇଁ ଗ୍ରାମସଭାର ସମ୍ମତି ଅନିବାର୍ଯ୍ୟ ବୋଲି ରାୟ ଦେଇଥିବା ଦେଶର ସୁପ୍ରିମ କୋର୍ଟଙ୍କ ଆଦେଶକୁ ମଧ୍ୟ ଉଲଂଘନ କରୁଛି । ଏହି ଐତିହାସିକ ରାୟକୁ ଦେଶର ଅନ୍ୟତ୍ର ଲାଗୁ ନକରିବା ସମ୍ବିଧାନର ଧାରା – ୧୪ ଯାହାକି ସମଗ୍ର ଦେଶ ପାଇଁ ଓ ସମସ୍ତଙ୍କ ପାଇଁ ସମାନ ଆଇନ ଲାଗୁ ହେବାର ବିରୁଦ୍ଧାଚରଣ କରୁଛି ।
ନିକଟରେ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ – ୧୯୫୭ (ଗଗଊଜ ଇମଗ୍ଧ -୧୯୫୭)କୁ ସଂଶୋଧନ କରି କେନ୍ଦ୍ରର ବିଜେପି ସରକାର ରାଜ୍ୟର ଟିକସ ଅଧିକାର ଛଡ଼ାଇ ନେବା ସହ ରାଜ୍ୟର ଖଣିଜ ଦ୍ରବ୍ୟ ଗଚ୍ଛିତ ଥିବା ଜମି ବା ଅଂଚଳକୁ ନିଜ ହାତକୁ ନେଇ ଯାଇଛନ୍ତି । ଏହାସହ ଶିଳ୍ପପାଇଁ ଉଦ୍ଦିଷ୍ଟ ଖଣିଜ ଦ୍ରବ୍ୟକୁ କମ୍ପାନୀମାନେ ବିଦେଶକୁ ଶତ ପ୍ରତିଶତ ରପ୍ତାନି କରିବାକୁ ଅନୁମତି ଦେବା ଦ୍ୱାରା ଆଗାମୀ ଦିନରେ ଆମ ରାଜ୍ୟରେ ଖଣି ଲୁଟ୍ ବ୍ୟାପକ ହେବାକୁ ଯାଉଛି। ସେହି ଲୁଟ୍ ବେଳେ ଗ୍ରାମସଭା ଯେପରି ବାଧକ ନହେବ ସେଥିପାଇଁ ଜମି ଓ ଜଙ୍ଗଲ ହସ୍ତାନ୍ତର ପାଇଁ ଗ୍ରାମସଭାର ଅଧିକାର ନାହିଁ ବୋଲି କହି ଆଦିବାସୀ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଜଳବିଦ୍ୟୁତ କର୍ପୋରେସନ (NHPC)କୁ ଚିଠି ଲେଖିବା ମୂଳରେ ଦେଶର ପ୍ରାକୃତିକ ସମ୍ବଳକୁ ବିକ୍ରୀକରି ଦିଆଯିବାକୁ ସହଜ ହୋଇଯିବ। ଏପରି ବିନାଶକାରୀ ଯୋଜନାକୁ ପଣ୍ଡ କରିବାକୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ,ରାଜ୍ୟର ସମସ୍ତ ବିରୋଧି ଦଳ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟର ଏପରି ସମ୍ବିଧାନ ବିରୋଧୀ ତଥା ଆଦିବାସୀ ବିରୋଧି ମତକୁ କାର୍ଯକାରୀ ନକରିବାକୁ ପ୍ରତିରୋଧ କରନ୍ତୁ ବୋଲି ଶ୍ରୀ ସାମନ୍ତରା ଓ ଶ୍ରୀ ଷଡ଼ଙ୍ଗୀ ଆହ୍ୱାନ କରିଛନ୍ତି ।
ରାଜ୍ୟର ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଜଣେ ପ୍ରମୁଖ ନେତ୍ରୀ ଆମର ରାଷ୍ଟ୍ରପତି ହୋଇଛନ୍ତି । ସେହିଭଳି କେନ୍ଦ୍ରର ଜନଜାତି ମନ୍ତ୍ରଣାଳୟର ମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ହୋଇଥିବା ବେଳେ ରାଜ୍ୟର ଆଦିବାସୀଙ୍କ ଅଧିକାର ଉପରେ ଏଭଳି ଆକ୍ରମଣ କାହିଁକି ? ଏହାର ଉତ୍ତର ଜନସାଧାରଣ ମାଗନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।
କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ନିଜର ଭୂଲ ମତ ରଖିଥିବା ପତ୍ରକୁ ତୁରନ୍ତ ପ୍ରତ୍ୟାହାର କରାଯାଉ,ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ଜଙ୍ଗଲ ଅଧିକାର ଆଇନର ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ନୋଡାଲ୍ ମନ୍ତ୍ରଣାଳୟ ଭାବରେ ନିଜର ସାମ୍ବିଧାନିକ ଓ ଆଇନଗତ ଦାୟିତ୍ୱ ପାଳନ କରୁ,କୌଣସି ପ୍ରକାରର ଜଙ୍ଗଲ ଜମି ହସ୍ତାନ୍ତର ପୂର୍ବରୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ସମସ୍ତ ପ୍ରକାରର ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦିଆଯାଉ, କୌଣସି ପ୍ରକାରର ଛାଡ଼ ବିନା, ପୂର୍ବରୁ ସମ୍ପୂର୍ଣ୍ଣ ସୂଚନା ଦେଇ ଗ୍ରାମସଭାର ସ୍ୱାଧୀନ ସମ୍ମତି ଅନିବାର୍ଯ୍ୟ ଭାବେ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଛି ।