ଚେତାବନୀ ଦେଲା ଯୋଗାଣ ସହାୟକ ସଙ୍ଘ।

0 60

କଟକ,୧୬/୦୬:ଯୋଗାଣ ସହାୟକଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ସାମୁହିକ ଛୁଟି ଆନ୍ଦୋଳନକୁ ଓହ୍ଲାଇବ।
ରାଜ୍ୟ ଯୋଗାଣ ସହାୟକ ସଂଘ, ଓଡ଼ିଶା ପକ୍ଷରୁ ବିନମ୍ରତା ପୂର୍ବକ ଜଣାଉଛୁ ଯେ, ଗତ ୧୪ ବର୍ଷ ଧରି ଆମ୍ଭମାନେ ପଞ୍ଚାୟତ ସ୍ତରରେ ଯୋଗାଣ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯଥା PDS ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ନିର୍ବାଚନ କାର୍ଯ୍ୟ, କୋଭିଡ଼-୧୯ ସମୟରେ ଜନସେବା ଏବଂ ବର୍ତ୍ତମାନ ଚାଲିଥିବା e-KYC କାର୍ଯ୍ୟ ନିଷ୍ଠା, ଦକ୍ଷତା ଓ ସତତାର ସହିତ ସମ୍ପାଦନ କରିଆସୁଛୁ।

ଦୀର୍ଘ ୧୪ ବର୍ଷର ଅଭିଜ୍ଞତା ଓ ନିରନ୍ତର ସେବା ସତ୍ତ୍ୱେ, ଆମ୍ଭମାନେ ଆଜି ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାର୍ଯ୍ୟରତ ଅଛୁ ଏବଂ ମାତ୍ର ୮,୦୦୦/- ଟଙ୍କା ମାସିକ ପାରିଶ୍ରମିକ ପାଉଛୁ। ଏହି ସ୍ୱଳ୍ପ ପାରିଶ୍ରମିକରେ ବର୍ତ୍ତମାନର ଦ୍ରବ୍ୟମୂଲ୍ୟ ବୃଦ୍ଧି ପରିସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଆମେ ସମସ୍ତେ ସ୍ନାତକ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ହେବା ସହିତ ଦୀର୍ଘ ଅଭିଜ୍ଞତା ମଧ୍ୟ ଅର୍ଜନ କରିଛୁ।

ପୂର୍ବରୁ ଗ୍ରାମ ରୋଜଗାର ସେବକ (GRS) ମାନଙ୍କୁ ସ୍ଥାୟୀକରଣ କରାଯାଇ ADEO ପଦବୀ ପ୍ରଦାନ କରାଯାଇଥିବା ପରିପ୍ରେକ୍ଷୀରେ, ଆମ୍ଭମାନଙ୍କ ପ୍ରତି ମଧ୍ୟ ସମାନ ନ୍ୟାୟସଙ୍ଗତ ବିଚାର କରି ଚାକିରି ସ୍ଥାୟୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଆମେ ଦୃଢ଼ ଭାବେ ଦାବି କରୁଛୁ।

ଆମେ ସରକାରଙ୍କ ନୂତନ CMAY ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ପୂର୍ଣ୍ଣ ସମର୍ଥନ ଓ ସମ୍ମାନ ଜଣାଇ ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସଦା ପ୍ରସ୍ତୁତ ଅଛୁ। ତଥାପି, ଆମ୍ଭମାନଙ୍କର ଦୀର୍ଘଦିନର ନ୍ୟାୟୋଚିତ ଦାବି ଯଦି ଆସନ୍ତା ୧୦ ଜୁଲାଇ ୨୦୨୬ ସୁଦ୍ଧା ପୂରଣ ନହୁଏ, ତେବେ ସଂଘ ବାଧ୍ୟ ହୋଇ ସେହି ତାରିଖ ଠାରୁ ସାମୂହିକ ଛୁଟି (Mass Leave) ଗ୍ରହଣ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଆରମ୍ଭ କରିବୁ। ଏହା ସହିତ ଆଗାମୀ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ବଣ୍ଟନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବୁ।

ଅତଏବ, ଆମ୍ଭମାନଙ୍କର ନ୍ୟାୟସଙ୍ଗତ ଦାବିକୁ ସହାନୁଭୂତିର ସହିତ ବିଚାର କରି ଯଥାଶୀଘ୍ର ଚାକିରି ସ୍ଥାୟୀକରଣ ସମ୍ବନ୍ଧରେ ସକାରାତ୍ମକ ଓ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିନମ୍ର ଅନୁରୋଧ କରୁଛୁ।

Leave A Reply

Your email address will not be published.