ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବିପତ୍ର ପ୍ରଦାନ ।

0 9

ପୋଲସରା ‌୨୪/୦୯(ପିପିଟି ): ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟ ବୃନ୍ଦଙ୍କ ଚାକିରି ନିୟମିତ କରିବାକୁ ଦାବିକରି ସମଗ୍ର ଓଡ଼ିଶା ପୌର ଚୁକ୍ତିଭିତ୍ତିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପ୍ରେସ ବିବୃତ୍ତି ଜରିଆରେ ଓଡିଶା ସରକାରଙ୍କ ଗୃହ ନିର୍ମାଣ , ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ିକରେ ବହୁ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରିଆସୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ରାଜ୍ୟର ସହରାଞ୍ଚଳ ବିକାଶ ଓ ଜନସାଧାରଣଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବାରେ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି। ସହରାଞ୍ଚଳର ଡାଟା ମ୍ୟାନେଜମେଣ୍ଟ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିସାବ କିତାବ ରଖିବା ଏବଂ ତୃଣମୂଳ ସ୍ତରରେ ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବାରେ ଏହି କର୍ମଚାରୀମାନେ ଦିନରାତି ପରିଶ୍ରମ କରୁଛନ୍ତି। ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ କରି କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ମାତ୍ର ଦୁଃଖର ବିଷୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ପୌର ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏପର୍ଯ୍ୟନ୍ତ ନିଜର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି। ଦୀର୍ଘ ବର୍ଷର ସେବା ପରେ ମଧ୍ୟ ଚାକିରି ନିୟମିତ ହୋଇ ନଥିବାରୁ କର୍ମଚାରୀ ଓ ସେମାନଙ୍କ ପରିବାର ମଧ୍ୟରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଏବଂ ମାନସିକ ଚିନ୍ତା ବୃଦ୍ଧି ପାଉଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘ସମାନ କାମକୁ ସମାନ ଦରମା’ ନିର୍ଦ୍ଦେଶାବଳୀ ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ କଲ୍ୟାଣ ନୀତିକୁ ଆଧାର କରି ସଂଘ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରାଯାଉଛି:
୧. ସମସ୍ତ ଚୁକ୍ତିଭିତ୍ତିକ ପଦବୀର ତୁରନ୍ତ ନିୟମିତକରଣ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଏମଆଇଏସ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଏବଂ ଆକାଉଣ୍ଟାଣ୍ଟମାନଙ୍କ ଚାକିରିକୁ ସ୍ଥାୟୀ ବା ନିୟମିତ କରାଯାଉ।
୨. ବିଗତ ସେବା ଅବଧିର ଗଣନା: କର୍ମଚାରୀମାନେ ଯେଉଁ ଦିନଠାରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି, ସେହି ଦିନଠାରୁ ସେମାନଙ୍କର ସେବା ଅବଧିକୁ ହିସାବକୁ ନିଆଯାଇ ଚାକିରି ସେବା ସର୍ତ୍ତାବଳୀ ନିର୍ଦ୍ଧାରଣ କରାଯାଉ।

ଓଡ଼ିଶ ସରକାରଙ୍କ ମୁଖ୍ୟମନ୍ତ୍ରୀ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅନୁରୋଧ କରିଛନ୍ତି ଯେ, ସଂଘର ସଭାପତି ଏବଂ ପଦାଧିକାରୀଙ୍କ ସହ ଆଲୋଚନା କରିବା ସହ ଏହି ବିଷୟକୁ ଗୁଡ଼ିକୁ ସହାନୁଭୂତିର ସହ ବିଚାର କରି ତୁରନ୍ତ ଏକ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରନ୍ତୁ। ଯଦି ସରକାର ଆମର ଏହି ନ୍ୟାଯ୍ୟ ଦାବି ପ୍ରତି ଶୀଘ୍ର ଦୃଷ୍ଟି ନ ଦିଅନ୍ତି, ତେବେ ସଂଘ ନିଜର ହକ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.