ଚିଙ୍ଗୁଡ଼ିଖୋଲରେ ବର୍ଷାର ତାଣ୍ଡବ ।

0 8

ବେଗୁନିଆପଡ଼ା,୧୩/୦୮(ପିପିଟି ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ଗାଁର ବିଭିନ୍ନ ସ୍ଥାନ ସହ ଜଗନ୍ନାଥ ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମି ରହିଛି। ଏହାକୁ ନେଇ ଗ୍ରାମବାସୀ ଓ ଭକ୍ତମାନେ ହନ୍ତସନ୍ତ ହେଉଛନ୍ତି। ବର୍ଷା ଜଳ ଜମି ରହିବା ଯୋଗୁଁ ମନ୍ଦିରକୁ ଯିବା ପାଇଁ ଭକ୍ତମାନଙ୍କୁ ପାଣି ଭିତରେ ଯାତାୟାତ କରିବାକୁ ପଡ଼ୁଛି। ଅନ୍ୟପଟେ ଗାଁର ରାସ୍ତାଘାଟରେ ମଧ୍ୟ ପାଣି ଜମି ରହିଥିବାରୁ ଲୋକଙ୍କ ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଞ୍ଚଳରେ ଜଳ ନିଷ୍କାସନ ଏକ ବଡ଼ ସମସ୍ୟା ହୋଇ ଦେଖାଦେଉଛି। ଠିକ୍‌ ଭାବରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ହେଲେ ପାଣି ଜମି ରହୁଛି। ଫଳରେ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।
ବିଶେଷକରି ମନ୍ଦିର ପରିସରରେ ପାଣି ଜମି ରହିବା ଯୋଗୁଁ ଧାର୍ମିକ ଭାବନା ସହ ଜଡ଼ିତ ଏହି ସ୍ଥାନର ପରିବେଶ ମଧ୍ୟ ପ୍ରଭାବିତ ହେଉଛି। ପାଣି ଜମି ରହିବା ଯୋଗୁଁ ମଶା ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ିବା ସହ ରୋଗ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି।ଗ୍ରାମବାସୀ ତୁରନ୍ତ ପ୍ରଶାସନର ହସ୍ତକ୍ଷେପ ଦାବି କରିବା ସହ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଏବଂ ବର୍ଷା ଜଳର ତୁରନ୍ତ ନିଷ୍କାସନ ପାଇଁ ଦାବି କରିଛନ୍ତି। ଏବେ ଦେଖିବାର କଥା, ପ୍ରଶାସନ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏନେଇ ବାରମ୍ବାର ପ୍ରଶାସନ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବା ସହ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ବର୍ଷା ଆସିଲେ ସମାନ ସମସ୍ୟା ଦେଖାଦେଉଥିବାରୁ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।ବାରମ୍ବାର କହିବା ସତ୍ତ୍ୱେ କାହିଁକି ପ୍ରଶାସନ ନିରବ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.