ଚାଉଳିଆଗଞ୍ଜ ଥାନା ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା।

0 205

କଟକ,୦୪/୦୭:ଚାଉଳିଆଗଞ୍ଜ ଥାନା ପରିସର କ୍ୱାର୍ଟର ଭିତରୁ ଅଧିକାରୀ ବିୟୁଟି ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟା ୫୫ ପ୍ରଯ୍ୟନ୍ତ ଅଧିକାରୀ ବିଉଟି ମହାନ୍ତି ଥାନା କାର୍ଯ୍ୟ ତୁଲାଇ ଥିଲେ। ପରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ସେ ଥାନାର ଉପର ମହଲାରେ ଥିବା ନିଜ କ୍ୱାର୍ଟରକୁ ଯାଇଥିଲେ, ହେଲେ ଆଜି ସକାଳେ ଥାନାରେ ନିୟମିତ ହେଉଥିବା ବ୍ରିଫିଙ୍ଗ ରୋଲକଲକୁ ଆସିନଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ ଦିନ ପ୍ରାୟ ୯ଟା ବେଳେ ଥାନା କର୍ମଚାରୀ କ୍ୱାର୍ଟରକୁ ଯାଇ ତାଙ୍କୁ ଙ୍କୁ ଡାକିଥିଲେ। ମାତ୍ର ରୁମ ଭିତରୁ କିଛି ଉତ୍ତର ନ ମିଳିବାରୁ ସନ୍ଦେହ ଉପୁଜିଥିଲା। ଏ ସମ୍ପର୍କରେ ଜୋନ ଏସିପି ସୁଧାଂଶୁ ଜେନାଙ୍କୁ ସୂଚନା ଦିଆଯାଇଥିଲା। ପରେ ଏସିପିଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯିବାରୁ ଥାନା ଅଧିକାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୋଲିସ ପକ୍ଷରୁ ଉକ୍ତ ରୁମକୁ ସିଲ କରାଯାଇଛି। ଖବର ପାଇ ଡିସିପି ଖିଲାରୀ ଋଷିକେଶଙ୍କ ସମେତ ମୃତକର ପରିବାର ଲୋକେ ପହଞ୍ଚିଛନ୍ତି। ସାଇଣ୍ଟଫିକ ଟିମ ସାହାଯ୍ୟରେ ଘଟଣାସ୍ଥଳରୁ ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ଗଲା କିଛି ମାସ ତଳେ ଇନ୍ସପେକ୍ଟର ବିଉଟି ମହାନ୍ତି ଚାଉଳିଆଗଞ୍ଜ ଥାନାରେ ଦାୟିତ୍ୱ ନେଇଥିଲେ। ଏହା ପୂର୍ବରୁ ସେ କଟକ ମହିଳା ଥାନା, ଭୁବନେଶ୍ୱର ପାହାଳ ଥାନା, କଟକ ମର୍କତନଗର ଥାନାରେ ଇନ୍ସପେକ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କର ଗୋଟିଏ ପୁଅ ଅଛି। କଟକ ସଦର ଥାନା ଅଞ୍ଚଳରେ ଥିବା ବାପ ଘରେ ନିକଟରେ ପୁଅର ଜନ୍ମଦିନ ପାଳନ କରିଥିଲେ। ବ୍ୟବସାୟୀ ସ୍ୱାମୀ କଟକ ବାହାରେ ରୁହନ୍ତି। ତେବେ ଆତ୍ମହତ୍ୟା ପଛର ସଠିକ କାରଣ ଜଣାପଡିନାହିଁ। ଇନ୍ସପେକ୍ଟର ବିଉଟି ମହାନ୍ତି ମୁଣ୍ଡ ବିନ୍ଧା(ସାଇନୋ ସାଇଡ) ରୋଗରେ ପୀଡ଼ିତ ଥିଲେ ବୋଲି କିଛି ସହକର୍ମୀ କହିଛନ୍ତି। ପ୍ରାୟ ସମୟ ସେ ମୁଣ୍ଡ ବିନ୍ଧା ଔଷଧ ମଧ୍ୟ ଖାଉଥିଲେ। ମୁଣ୍ଡ ବିନ୍ଧା ଉପରେ ଅତ୍ୟଧିକ କାମ ଚାପ ଯୋଗୁଁ ସେ ବ୍ୟତିବ୍ୟସ୍ତ ହୋଇପଡୁଥିଲେ। ଏମିତିକି ନିଜର ଶାରୀରିକ ଅସୁସ୍ଥତା ପାଇଁ ସେ ଚାଉଳିଆଗଞ୍ଜ ଥାନାରୁ ଅନ୍ୟତ୍ର ବଦଳି ପାଇଁ ଡିସିପିଙ୍କୁ ଆବେଦନ ମଧ୍ୟ କରିଥିଲେ ବୋଲି ସୂଚନା ମିଳିଛି । ଅନ୍ୟପଟେ, ପାରିବାରିକ ବିବାଦ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

Leave A Reply

Your email address will not be published.