ଗଞ୍ଜାମରେ ବନ୍ୟା ସ୍ଥିତିରେ ସୁଧାର;୫୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ଥାନାନ୍ତରଣ, ୩୭୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ଜାରି ।
ଛତ୍ରପୁର,୩୧/୧୦(ପିପିଟି): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଗତକାଲି ୨୧ଟି ଗାଁ ବନ୍ୟା ଜଳ ଘେରରେ ଥିବା ବେଳେ ଆଜି ଏହି ସଂଖ୍ୟା ୩କୁ ହ୍ରାସ ପାଇଛି । ଜିଲ୍ଲାର ପ୍ରାୟ ୫୬ ହଜାର ୫୧ ଜଣଙ୍କୁ ୩୬୭ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଆଜି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବନ୍ୟା ସ୍ଥିତି ଓ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଣ ପାଇଁ ଜିଲ୍ଲାର ୩୭୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଯେପରି ଖାଦ୍ୟ ସାମଗ୍ରୀର ଅଭାବ ନ ହୁଏ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଜଳବନ୍ଦୀ ଗାଁଗୁଡ଼ିକୁ ଆକାଶମାର୍ଗରୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ପ୍ରାୟ ୭୦୦ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ସେମାନଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ଉପରେ ନଜର ରଖାଯାଇଛି ।
ବନ୍ୟା ପରିସ୍ଥିତିରେ ଆସିକା ଓ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ମଧ୍ୟ ଜଳବନ୍ଦୀ ହୋଇଥିଲା । ବର୍ତ୍ତମାନ ନଦୀଗୁଡ଼ିକର ଜଳସ୍ତର କମୁଥିଲେ ମଧ୍ୟ କେତେକ ସ୍ଥାନରେ ଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ନଦୀବନ୍ଧ,ଜଳଭଣ୍ଡାର ଏବଂ ଜଳ ନିଷ୍କାସନ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଆଗକୁ ପୁଣି ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଓ ପ୍ରସ୍ତୁତି ଜାରି ରହିଛି ।
ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ମୁଖ୍ୟ ରାସ୍ତାଗୁଡ଼ିକର ପୁନରୁଦ୍ଧାରକୁ ଗୁରୁତ୍ୱ ଦିଆଯାଉଛି। ହିଞ୍ଜିଳିରୁ ଭଞ୍ଜନଗରକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଚାଲିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ରାସ୍ତାଗୁଡ଼ିକର ମରାମତି କରାଯିବ। ସୋରଡ଼ା-ଦାରିଙ୍ଗବାଡ଼ି ଘାଟି ରାସ୍ତା ଏବଂ ମୋହନା-ବ୍ରହ୍ମପୁର ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏହାର ପୁନରୁଦ୍ଧାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ବନ୍ୟାରେ କ୍ଷତିଗ୍ରସ୍ତ ଆନିକଟ ଓ ନଦୀବନ୍ଧଗୁଡ଼ିକର ମରାମତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।
ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ପାଇଁ ଟାଟା ପାୱାର ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ସମସ୍ତ ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରାଯାଇଥିବା ବେଳେ ଆଉ କେତେକ ସ୍ଥାନରେ ମରାମତି କାର୍ଯ୍ୟ ବାକି ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି ।
ସ୍ୱାସ୍ଥ୍ୟସେବା ଓ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧,୨୬୨ ଜଣ ଗର୍ଭବତୀ ମହିଳାଙ୍କ ତଥ୍ୟ ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରୁ ୬୬୧ ଜଣ ଗର୍ଭବତୀଙ୍କୁ ମା’ ଗୃହ ଓ ହସ୍ପିଟାଲକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ୩୯୧ଟି ସୁରକ୍ଷିତ ପ୍ରସବ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ୨୮ଟି ମେଡିକାଲ୍ ରେସପନ୍ସ ଟିମ୍ ଏବଂ ୨୩ଟି ପ୍ରାଣୀଧନ ଜରୁରୀକାଳୀନ ଟିମ୍ ମୁତୟନ ହୋଇଛନ୍ତି ।
ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ODRAF, NDRF, ଅଗ୍ନିଶମ ଓ ଅନ୍ୟ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ୧୪ଟି ODRAF ଟିମ୍ର ୪୨ଟି ୟୁନିଟ୍ ଏବଂ ୧୦ଟି NDRF ଟିମ୍ର ୩୦ଟି ୟୁନିଟ୍ ବିଭିନ୍ନ ବ୍ଲକରେ ମୁତୟନ ଅଛନ୍ତି । ଏହାବ୍ୟତୀତ ୨୪ଟି ଅଗ୍ନିଶମ ୟୁନିଟ୍ ଓ ରାଜ୍ୟ ପକ୍ଷରୁ ଅତିରିକ୍ତ ୨୫ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି । SRCଙ୍କ ପକ୍ଷରୁ ୫ଟି ମୋଟରଚାଳିତ ବୋଟ୍ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛି । ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ୟ ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।
ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ପାଇଁ ବିଭିନ୍ନ ରଣନୀତିକ ସ୍ଥାନରେ ଯନ୍ତ୍ରପାତି ଓ ମାନବ ସମ୍ବଳ ମୁତୟନ କରାଯାଇଛି । ଡ୍ରେନ୍ରୁ ପଙ୍କ ଓ ଅବରୋଧ ହଟାଇବା ସହ ଜମି ରହିଥିବା ବର୍ଷା ଜଳ ନିଷ୍କାସନ କାର୍ଯ୍ୟ ଚାଲିଛି ।
ଜିଲ୍ଲାର ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟରର ହେଲ୍ପଲାଇନ୍ ନମ୍ବର ୦୬୮୧୧-୨୬୩୯୭୮ ଜରିଆରେ ଜନସାଧାରଣ ଜରୁରୀ ସହାୟତା ପାଇଁ ଯୋଗାଯୋଗ କରିପାରିବେ । ଉପକୂଳ ଅଞ୍ଚଳରେ ମାଛଧରା ଉପରେ କଟକଣା ଜାରି ରହିଥିବା ବେଳେ ସାମୁଦ୍ରିକ ପୋଲିସ, ମତ୍ସ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ ଏବଂ ସଚେତନତା କାର୍ଯ୍ୟ ଚାଲିଛି ।
ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ଆଗାମୀ ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ।