କୋଦଳା,୨୬/୧୧(ପିପିଟି): ବିଦ୍ୟୁତ୍ ତାର ଟାଣିବା ପାଇଁ ଗଛର ଡାଳ କାଟିବାକୁ ମିଳିଥିଲା ଅନୁମତି, ହେଲେ ଏହାର ସୁଯୋଗ ନେଇ ଗଛର ଗଣ୍ଡି କାଟି କାଠ ଲୁଟ୍ ଚାଲିଥିବା ଅଭିଯୋଗ। ରାସ୍ତା ପାର୍ଶ୍ୱର ସବୁଜିମା ଉଜାଡ଼ି ଦିଆଯାଉଥିବା ବେଳେ ବନ ବିଭାଗର ଭୂମିକାକୁ ନେଇ ଏବେ ଜନସାଧାରଣଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ। ପ୍ରାପ୍ତ ସୂଚନା ଅନୁଯାୟୀ, ଭେଜିପୁଟଠାରୁ ପଥୁରୀ ନାଳ ଛାଞ୍ଚୁଣିଆ ଜଙ୍ଗଲ ପାର୍ଶ୍ୱ ଦେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁମଣ୍ଡଳ ଫିଡରକୁ ୩୩ ହଜାର ଭୋଲ୍ଟ ବିଦ୍ୟୁତ୍ ଯୋଗାଣ ଏବଂ ଶାଳିଆ ମେଗା ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ପାଇଁ ଖୁଣ୍ଟ ପୋତାଯିବା ସହ ତାର ଟାଣିବା କାମ ଚାଲିଛି। ଏଥିପାଇଁ ବନ ବିଭାଗର ଅନୁମତି ନେଇ ଗଛର ଅଗ୍ରଭାଗ ଓ ଡାଳ ସଫା କରାଯାଇଥିଲା। କିନ୍ତୁ ଡାଳ କାଟିବାରେ ସୀମିତ ରହିଲାନି କାମ। ଅଭିଯୋଗ ହେଉଛି, ଗଛର ଗଣ୍ଡିକୁ ଅଧାରୁ କାଟି କାଠ ନେଇଯାଉଛନ୍ତି କିଛି ଲୋକ। ଫଳରେ ରାସ୍ତା ପାର୍ଶ୍ୱର ସବୁଜ ବନାନୀ ଧୀରେ ଧୀରେ ଶ୍ରୀହୀନ ହେବାରେ ଲାଗିଛି। ସୁମଣ୍ଡଳ ବନ ବିଭାଗ କିଛି କାଠ ଜବତ କରି କାର୍ଯ୍ୟାଳୟ ପରିସରରେ ରଖି କାମ ସାରିଦେଇଥିବା ବେଳେ ଅନ୍ୟପଟେ ଗଛ କଟା ଓ କାଠ ଚାଲାଣ ଅବାଧରେ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ବିନା ଆବଶ୍ୟକ କାଗଜପତ୍ରରେ କାଠ ଚାଲାଣ ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ସୁମଣ୍ଡଳଠାରୁ ମାନପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ କରାଯାଇଥିବା ବନୀକରଣ ଏହି ଅଞ୍ଚଳର ପରିବେଶକୁ ସୁନ୍ଦର କରିଥିଲା। ଏହି ସବୁଜିମା ଫଟୋଗ୍ରାଫରଙ୍କ ପାଇଁ ମଧ୍ୟ ଆକର୍ଷଣୀୟ ସ୍ଥାନ ପାଲଟିଥିଲା। ହେଲେ ଏବେ ଗଛଗୁଡ଼ିକୁ ଅଧାରୁ କାଟି ଦିଆଯାଉଥିବାରୁ ସବୁଜ ପରିବେଶ ଧ୍ୱଂସ ହେବାକୁ ବସିଛି। ଯେଉଁ ଗଛରେ ନୂଆ ପତ୍ର କଅଁଳିବା କଥା, ସେହି ଗଛର ଗଣ୍ଡି ହିଁ କାଟି ନିଆଯାଉଛି। ତେବେ ପ୍ରଶ୍ନ ଉଠୁଛି, ଡାଳ କାଟିବାକୁ ଅନୁମତି ଥିଲା ନା ଗଛର ଗଣ୍ଡି କାଟିବାକୁ ମଧ୍ୟ ଅନୁମତି ମିଳିଥିଲା? ଯଦି ଅନୁମତି କେବଳ ଡାଳ ସଫା ପାଇଁ ଥିଲା, ତେବେ ଗଛର ଗଣ୍ଡି କାଟି କାଠ ନେଉଥିବା ଲୋକଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ଜବତ କାଠର ହିସାବ କେତେ ଏବଂ ବାକି କାଠ କୁଆଡ଼େ ଗଲା? ବନ ସୁରକ୍ଷାର ଦାୟିତ୍ୱ ଯେଉଁ ବିଭାଗର ହାତରେ, ସେହି ବିଭାଗର ନାକ ତଳେ ଯଦି ଗଛ କଟା ଓ କାଠ ଚାଲାଣ ଚାଲିଥାଏ, ତେବେ ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ? ଘଟଣାର ନିରପେକ୍ଷ ତଦନ୍ତ କରି ଅବୈଧ ଗଛ କଟାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ସହ କାଠର ହିସାବ ସାର୍ବଜନୀନ କରିବାକୁ ଦାବି ହେଉଛି।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ