କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭାରତ ସରକାର, ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

0 210

ବ୍ରହ୍ମପୁର,୩୦/୦୭(ପିପିଟି): ୧୮୬୦ ମସିହାର ଇଣ୍ଡିଆନ୍ ପେନାଲ କୋଡ଼ (IPC) ପରିବର୍ତ୍ତନ ହୋଇ ଭାରତୀୟ ନ୍ୟାୟ ସଂହିତା, ୧୯୭୩ ର କୋଡ଼ ଅଫ୍ କ୍ରିମିନାଲ୍ ପ୍ରୋସିଜିୟୋର୍ ଆକ୍ଟ ପରିବର୍ତ୍ତନ ହୋଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ରୂପାନ୍ତର ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ନେଇ ଜନ ସଚେତନତା ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଯୋଗୋପଯୋଗୀ ନ୍ୟାୟିକ ବ୍ୟବସ୍ଥା ସହ ସାଧାରଣ ଜନତାଙ୍କୁ ଯୋଡିବାର ଉପକ୍ରମ ସ୍ୱରୂପ ଭାରତ ସରକାରଙ୍କ ସୂଚ଼ନା ଓ ପ୍ରସାରଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ରୀୟ କାର୍ଯ୍ୟାଳୟ, ବ୍ରହ୍ମପୁର ତଥା ରଙ୍ଗେଇଲୁଣ୍ଡା ବ୍ଳକ ପ୍ରଶାସନର ମିଳିତ ପ୍ରୟାସରେ ଲୁହାଝର ପଞ୍ଚାୟତରେ ଆୟୋଜିତ ଏକ ଦୁଇଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଞ୍ଚଳର ଜନପ୍ରତିନିଧି ତଥା ସରପଞ୍ଚ କମଳା ରେଡ୍ଡି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶତାଧିକ ମହିଳାଙ୍କ ଅଂଶଗ୍ରହଣ ସହ ଏକ ବିଶାଳ ଜନ ସଚେତନତା ପଦଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଯୁବ ଏବଂ ସମାଜ ବିକାଶ ସଂଗଠନର ସଂଯୋଜକ ସୁଦୀପ ଚକ୍ରବର୍ତ୍ତୀ, ବ୍ଳକ୍ ସଂଯୋଜକ ମାମାଲି ପଣ୍ଡା, କେଶବ ପାତ୍ର, ବୁଦ୍ଧିଜୀବୀ ସୁଦର୍ଶନ ସ୍ୱାଇଁ, ଉମାଶଙ୍କର ସାହୁ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ତଥା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆଇନ୍ ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ କହିଥିଲେ କି, “ଭାରତୀୟ ନ୍ୟାୟ ସଂହିତା (BNS) ୨୦୨୩ ହେଉଛି ଭାରତର ନୂତନ ଅପରାଧିକ ଆଇନ୍, ଯାହା ବ୍ରିଟିଶ ଅମଳ ତଥା ୧୮୬୦ ମସିହାର ଭାରତୀୟ ଦଣ୍ଡ ସଂହିତା (IPC) ସ୍ଥାନରେ ଲାଗୁ ହୋଇଛି । କେବଳ ଦଣ୍ଡ ଦେବା ବଦଳରେ ନାଗରିକଙ୍କୁ ନ୍ୟାୟ ପ୍ରଦାନ ଏବଂ ଅପରାଧ ନିୟନ୍ତ୍ରଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଜିରୋ ଏଫ୍ଆଇଆର୍ ମାଧ୍ୟମରେ ଯେକୌଣସି ଥାନାରେ ଅପରାଧର ରିପୋର୍ଟ ଲେଖାଯାଇପାରିବ,ଯାହା ପରବର୍ତ୍ତୀ ସମୟରେ ସଂପୃକ୍ତ ଥାନାକୁ ପଠାଯାଇପାରିବ । CCTNS ପୋର୍ଟାଲ୍ ମାଧ୍ୟମରେ ଇ- ଏଫ୍ଆଇଆର୍ (e-FIR)ର ବ୍ୟବହାର ବୃଦ୍ଧି ପାଉଛି ବୋଲି ସେ ଦର୍ଶାଇଥିଲେ ।” ଭାରତୀୟ ନ୍ୟାୟ ସଂହିତା ପ୍ରାବଧାନ ଅନୁଯାୟୀ ମହିଳା ଓ ଶିଶୁ ସମ୍ବନ୍ଧୀୟ ଗୁରୁତର ଅପରାଧଗୁଡିକର ୬୦ ଦିନ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜସିଟ୍ କୋର୍ଟରେ ଦାଖଲ କରିବାକୁ ପୋଲିସ୍ କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ମହିଳା ସୁରକ୍ଷା ପାଇଁ କଠୋର ନିୟମ ଓ ସ୍ୱତନ୍ତ୍ର ଆଇନଗତ ପ୍ରାବଧାନ ରହିଛି । ମୁଖ୍ୟ ଅତିଥି ଶ୍ରୀମତୀ ରେଡ୍ଡି ପୁରୁଣା ଆଇପିସି ତୁଳନାରେ ଭାରତୀୟ ନ୍ୟାୟ ସଂହିତାରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ସ୍ୱତନ୍ତ୍ର ପରିଶିଷ୍ଟରେ ରଖି କଠୋର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ, ବ୍ରହ୍ମପୁରର ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତ ସିଂହାର ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରମୋଦ ସାବତ ଏବଂ ଆଲୋକ ବିଶୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର କଳାକାରମାନଙ୍କ ଦ୍ୱାରା ସୂଚ଼ନାଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.