କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଙ୍କ ଯାଜପୁର ଗସ୍ତ ବିଭାଗୀୟ କାର୍ଯ୍ୟର ସମୀକ୍ଷା ।

0 0

ଯାଜପୁର,୨୪/୦୭(ପିପିଟି):ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାସ୍ତରୀୟ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

ଏହି ଅବସରରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ସାରର ଉପଲବ୍ଧତା ଓ ବଣ୍ଟନ ବ୍ୟବସ୍ଥା, ଅଗ୍ରିଷ୍ଟାକ କୃଷକ ରେଜିଷ୍ଟ୍ରି,ପ୍ରଧାନମନ୍ତ୍ରୀ ଫସଲ ବୀମା, ଯୋଜନା,ଫସଲ ଚାଷର ଅଗ୍ରଗତି, ବିହନ ଯୋଗାଣ, ଜଳସେଚନ ବ୍ୟବସ୍ଥା, ବଜାର ସୁବିଧା ଚାଷୀମାନଙ୍କ ସମସ୍ୟା ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କୌଣସି ଚାଷୀ ଯେପରି ସାର, ବିହନ କିମ୍ବା ଅନ୍ୟାନ୍ୟ କୃଷି ଉପକରଣ ପାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦାମୋଦରପୁର ସ୍ଥିତ ଉଦ୍ୟାନ କୃଷି କେନ୍ଦ୍ର ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସେ ସିଧାସଳଖ ଅବଗତ ହୋଇ କୃଷି ଉତ୍ପାଦନ ବୃଦ୍ଧି ଓ ଆଧୁନିକ କୃଷି ପଦ୍ଧତି ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ଚନ୍ଦମା ସ୍ଥିତ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ଗସ୍ତ କରି ସେଠାରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶିବାନନ୍ଦ ସ୍ବାଇଁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ପ୍ରକଳ୍ପ, ଯାଜପୁର, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଯାଜପୁର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.