କାମ ନହୋଇ ଫଲସ୍ ବିଲ୍ ପାଇଁ ଚାଲିଛି ମସୁଧା ଅଭିଯୋଗ ପତ୍ର ରଖିଲେନି ବେଗୁନିଆପଡ଼ା ବିଡ଼ିଓ ।

0 112

କୋଦଳା ,୦୩/୦୮(ପିପିଟି):ଗଞ୍ଜାମ ବେଗୁନିଆପଡ଼ା ବ୍ଲକରେ ଅଭାବନୀୟ ପରିସ୍ଥିତି। ଦୁର୍ନୀତିକୁ ନେଇ ଅଭିଯୋଗ କଲେ ଅଭିଯୋଗ ପତ୍ର ରଖୁ ନାହାନ୍ତି ଖୋଦ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ବ୍ଲକ ପ୍ରଶାସନର ଜାଣତରେ ଦୁର୍ନୀତି ହେଉଥିବା କଥା ଏବେ ସାଧାରଣରେ ଆଲୋଚନା ହେଉଛି। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଗାଁର ଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ। ଏହି ପଞ୍ଚାୟତର ନୂଆଗଡ କାଳୀ ମନ୍ଦିରକୁ ରାସ୍ତା ନ ଥିବା ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ସ୍ଥାନୀୟ ଲୋକେ। ଏପରିକି ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଭକ୍ତ ମାନଙ୍କ ସୁବିଧା ପାଇଁ କିଛି ସ୍ବେଛାସେବୀ ମାନେ ଗତ ୩ ମଇ ରେ ଜେସିବି ଲଗାଇ ରାସ୍ତା ନିର୍ମାଣ କଲେ। ସ୍ବେଛାସେବୀକଂ ନିଜସ୍ବ ଉଦ୍ୟମରେ ରାସ୍ତା ନିର୍ମାଣ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ସ୍ଥାନକୁ ଯାଇ କିଛି ଲୋକ ଫଟୋ ଉଠାଇ ଆସୁଛନ୍ତି। କେବଳ ଫଟୋ ଉଠାଇ ନିଜକୁ ଶ୍ରମିକ ବୋଲି ଦର୍ଶାଇ କାଗଜପତ୍ରରେ କାମ କରି ମିଥ୍ଯା ବିଲ୍ କରି ଅର୍ଥ ହରିଲୁଟ୍ ପାଇଁ ଚାଲିଛି ମସୁଧା। ବିଭାଗୀୟ ଅଧିକାରୀ ମାନଙ୍କୁ ଏନେଇ ପଚାରିଲେ ସଠିକ୍ ଉତ୍ତର ମିଳୁନି। ଯାହାକୁ ନେଇ ଗ୍ରାମବାସୀ ସୋମବାର ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ। ଦୁର୍ଭାଗ୍ୟର କଥା ବିଡ଼ିଓ ମହାଶୟ ନିଜେ ଉପସ୍ଥିତ ଥାଇ ମଧ୍ୟ ଅଭିଯୋଗ ପତ୍ର ଗ୍ରହଣ କଲେନି ।ଗ୍ରାମବାସୀଙ୍କୁ ଦେଖି ଅଫିସ ରୁ ଚାଲି ଆସିଲେ। ହଠାତ୍ କେଉଁଆଡ଼େ ପ୍ରୋଗ୍ରାମ ଥିବା ଦର୍ଶାଇ ଗାଡି ପାଖକୁ ଆସିଗଲେ। ଗ୍ରାମର ଯୁବକ ମାନେ ବିଡ଼ିଓଙ୍କୁ ଗୋଡାଇ ଗୋଡାଇ ଆସି ଗାଡି ପାଖରେ ଅଭିଯୋଗ ପତ୍ର ନେବାକୁ ଅନୁରୋଧ କରିଥିଲେ ମଧ୍ୟ ଶୁଣି ନଥିଲେ ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ସାମନ୍ତ। ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧି ଘଟଣାକୁ ନେଇ ବିଡ଼ିଓଙ୍କୁ ପ୍ରଶ୍ନ କରି ମଧ୍ୟ ସଠିକ ଉତ୍ତର ପାଇ ନଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇ ଦିଅନ୍ତୁ ବୋଲି କହିଥିଲେ ବିଡ଼ିଓ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏନେଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ବିଡ଼ିଓଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଥିବାରୁ ପ୍ରତିକ୍ରିୟା ହସ୍ତଗତ ହୋଇ ପାରି ନାହିଁ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.