କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ ହେଲା ।

0 195

କନ୍ଧମାଳ,୧୬/୦୬(ପିପିଟି): କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ “ମୋବାଇଲ ରିକଭରି ମେଳା” ଆୟୋଜିତ ହୋଇଥିଲା । ସମଗ୍ର ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରୀ ହୋଇଥିବା ମୋବାଇଲ ଗୁଡିକୁ ପୋଲିସ ଉଦ୍ଧାର କରିଥିଲା l ଉଦ୍ଧାର ହୋଇଥିବା ୬୨ଟି ହଜିଯାଇଥ‌ିବା ଓ ଚୋରି ହୋଇଥିବା ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏସ୍‌ପି ରାମେନ୍ଦ୍ର ପ୍ରସାଦ, ଏଏସ୍‌ପି ବିଭୂତି ଭୂଷଣ ମହାପାତ୍ର, ଏସ୍‌ଡିପିଓ ଶୁଭ୍ରଜିତ ବିଶ୍ବାଳ ଏବଂ ସାଇବର କ୍ରାଇମ ଇନ୍ସପେକ୍ଟର ଗେଲି ସାହୁ ଉପସ୍ଥିତ ରହି ମୋବାଇଲ ଫୋନ ଗୁଡ଼ିକୁ ମାଲିକମାନଙ୍କ ହାତରେ ହସ୍ତାନ୍ତର କରିଥିଲେ। ପୁଲିସର ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ଥାନାରେ ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ସମ୍ପର୍କରେ ପ୍ରାୟ ୧୭୦ରୁ ୧୮୦ଟି ଅଭିଯୋଗ ଓ ଏତଲା ରୁଜୁ ହୋଇଥିଲା। ଗତ ଜୁନ ୧ରୁ ୧୫ ତାରିଖ ମଧ୍ୟରେ ଚାଲିଥିବା ସ୍ବତନ୍ତ୍ର ଅଭିଯାନରେ ଜିଲ୍ଲା ସାଇବର ସେଲ୍ ଓ ବିଭିନ୍ନ ଥାନା ପୁଲିସର ମିଳିତ ପ୍ରୟାସରେ ୬୨ଟି ମୋବାଇଲ ଫୋନ ଠାବ କରାଯାଇ ଥିଲା । ଆଧୁନିକ ପ୍ରଯୁକ୍ତି, ଟେକ୍ନିକାଲ ବିଶ୍ଳେଷଣ ଏବଂ ନିରନ୍ତର ତଦନ୍ତ ଫଳରେ ଏହି ସଫଳତା ମିଳିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏସପି ରାମେନ୍ଦ୍ର ପ୍ରସାଦ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ମୋବାଇଲ ଫୋନ ହଜିଯିବା କିମ୍ବା ଚୋରି ହେଲେ ତୁରନ୍ତ ନିକଟସ୍ତ ଥାନାରେ ଅଭିଯୋଗ କରିବା ସହ ଫୋନ କିଣିଥିବାର ପ୍ରମାଣପତ୍ର ଏବଂ ନିଜର ପରିଚୟ ପତ୍ର ଦାଖଲ କରିବା ଉଚିତ । ଏଥିସହ CEIR ପୋର୍ଟାଲରେ ଅଭିଯୋଗ ପଞ୍ଜିକରଣ କଲେ ମୋବାଇଲ ଫୋନର ଶୀଘ୍ର ଟ୍ରାକିଂ ଓ ଉଦ୍ଧାର ସମ୍ଭବ ହୋଇଥାଏ। କନ୍ଧମାଳ ପୁଲିସ ପକ୍ଷରୁ କୁହାଯାଇଛି ଯେ, ସାଇବର ଅପରାଧ ରୋକିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏଭଳି ପ୍ରଯୁକ୍ତି ନିର୍ଭର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.