ଏଡ୍‌ଟେକ୍ ସଂସ୍ଥା ‘ଭାନ୍‌ଜୁ’କୁ ଜିଲ୍ଲା ଖାଉଟି ଆୟୋଗଙ୍କ ଝଟ୍‌କା: ସୁଧ ସହ ୩୯,୨୬୨ ଟଙ୍କା ଫେରସ୍ତ ଓ ୩୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ।

0 126

ବ୍ରହ୍ମପୁର,୨୦/୧୧(ପିପିଟି): ଅନଲାଇନ୍ ଶିକ୍ଷାଦାନ ନାଁରେ ପାଠ୍ୟକ୍ରମ ଫି’ ନେବା ପରେ ସେବାରେ ତ୍ରୁଟି ଏବଂ ନିୟମ ଅନୁଯାୟୀ ଟଙ୍କା ଫେରସ୍ତ ନକରିବା ଏଡ୍‌ଟେକ୍ ସଂସ୍ଥା ‘ଭାନ୍‌ଜୁ’ (Bhanzu) ପାଇଁ ମହଙ୍ଗା ପଡ଼ିଛି । ବ୍ରହ୍ମପୁରସ୍ଥିତ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ ଏହି ମାମଲାର ଶୁଣାଣି କରି ଅଭିଯୋଗକାରିଣୀଙ୍କୁ ବଳକା ପାଠ୍ୟକ୍ରମ ଫି’ ବାବଦକୁ ୩୯,୨୬୨ ଟଙ୍କା ସୁଧ ସହ ଫେରସ୍ତ ଦେବା ସହିତ ମାନସିକ ନିର୍ଯାତନା ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୩୫,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବଗୁଲି ଷ୍ଟ୍ରିଟ୍ ନିବାସୀ ଆରାଧନା ଦାସ ଗତ ୨୦୨୪ ମସିହା ଜାନୁଆରୀ ୬ ତାରିଖରେ ନିଜ ପୁଅ ପାଇଁ ହାଇଦ୍ରାବାଦସ୍ଥିତ ଅନଲାଇନ୍ ଗଣିତ କୋଚିଂ ସଂସ୍ଥା ‘ଭାନ୍‌ଜୁ’ (ଏକ୍ସପ୍ଲୋରିଂ ଇନଫିନାଇଟ୍ସ ଏଡ୍‌ଟେକ୍ ପ୍ରାଇଭେଟ୍ ଲିମିଟେଡ୍)ର ‘ମ୍ୟାଥ୍ ୱିଜାର୍ଡ’ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ମୋଟ ୫୭,୯୯୯ ଟଙ୍କାର ପାଠ୍ୟକ୍ରମରେ ‘ସପ୍‌ସି’ (ShopSe) ରିହାତି ପରେ ୫୧,୨୬୨.୩୨ ଟଙ୍କା ଏଚ୍‌ଡିଏଫ୍‌ସି (HDFC) ବ୍ୟାଙ୍କରୁ ଶିକ୍ଷା ଋଣ ଜରିଆରେ ସଂସ୍ଥାକୁ ପୈଠ କରାଯାଇଥିଲା ।

ସଂସ୍ଥାର ‘ସାର୍ଟିଫିକେଟ୍ ଅଫ୍ ଆସ୍ୟୁରାନ୍ସ’ (ଟଙ୍କା ଫେରସ୍ତ ନୀତି) ଅନୁଯାୟୀ, ଛାତ୍ର ୨୦ଟି କ୍ଲାସ୍ କରିବା ପରେ ଏବଂ ୮୦ ପ୍ରତିଶତରୁ ଅଧିକ ଉପସ୍ଥାନ ଥିଲେ, ପାଠ୍ୟକ୍ରମ ବାତିଲ କରି ବଳକା ଟଙ୍କା ଫେରସ୍ତ ପାଇପାରିବେ ବୋଲି ସର୍ତ୍ତ ରହିଥିଲା। ତେବେ କ୍ଲାସ୍ ଆରମ୍ଭ ହେବା ପରେ ଶିକ୍ଷାଦାନର ମାନ ନିମ୍ନମାନର ଥିବା ଜାଣିବାକୁ ପାଇ ଅଭିଯୋଗକାରିଣୀ ପାଠ୍ୟକ୍ରମ ବାତିଲ କରିବାକୁ ଆବେଦନ କରିଥିଲେ । ସେତେବେଳକୁ ତାଙ୍କ ପୁଅ ୪୬ଟି କ୍ଲାସ୍‌ରୁ ୩୭ଟି କ୍ଲାସ୍ (୮୦.୪୩% ଉପସ୍ଥାନ) କରିସାରିଥିଲେ। ମାତ୍ର ସଂସ୍ଥା ପକ୍ଷରୁ କୌଣସି କାରଣ ନଦର୍ଶାଇ ଟଙ୍କା ଫେରସ୍ତ ଆବେଦନକୁ ଖାରଜ କରିଦେଇଥିଲା ଏବଂ ବଳକା ଟଙ୍କା ଆଡଜଷ୍ଟ କରିବା ପାଇଁ ଅନ୍ୟ ଜଣେ ପିଲାଙ୍କୁ ନାମ ଲେଖାଇବାକୁ ଚାପ ପକାଇଥିଲା। ଅନ୍ୟପଟେ ବ୍ୟାଙ୍କ ପକ୍ଷରୁ ମଧ୍ୟ ଇଏମ୍‌ଆଇ (EMI) କଟାଯିବା ଜାରି ରହିବାରୁ ସେ ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି ସମୟରେ ‘ଭାନ୍‌ଜୁ’ ସଂସ୍ଥା ପକ୍ଷରୁ କେହି ହାଜର ହୋଇନଥିଲେ। ସମସ୍ତ ପ୍ରମାଣପତ୍ରକୁ ତର୍ଜମା କରି ଗଞ୍ଜାମ ଜିଲ୍ଲା ଖାଉଟି ଆୟୋଗର ଭାରପ୍ରାପ୍ତ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ ଗତ ନଭେମ୍ବର ୯ ତାରିଖରେ ଏହି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ।

ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ:
ଟଙ୍କା ଫେରସ୍ତ: ‘ଭାନ୍‌ଜୁ’ ସଂସ୍ଥା ଅଭିଯୋଗକାରିଣୀଙ୍କୁ ବଳକା ପାଠ୍ୟକ୍ରମ ଫି’ ବାବଦକୁ ୩୯,୨୬୨ ଟଙ୍କା ଫେରସ୍ତ ଦେବ ଏବଂ ୨୦୨୪ ଜୁଲାଇ ୧୧ ତାରିଖରୁ ଟଙ୍କା ପୈଠ ହେବା ପର୍ଯ୍ୟନ୍ତ ଏହା ଉପରେ ବାର୍ଷିକ ୯ ପ୍ରତିଶତ ସୁଧ ପ୍ରଦାନ କରିବ ।

କ୍ଷତିପୂରଣ ଓ ଖର୍ଚ୍ଚ: ମାନସିକ ନିର୍ଯାତନା ଓ ଅସାଧୁ ବ୍ୟବସାୟିକ ନୀତି ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା (ମୋଟ ୩୫,୦୦୦ ଟଙ୍କା) ଅଭିଯୋଗକାରିଣୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟାଙ୍କକୁ ନିର୍ଦ୍ଦେଶ: ଏହି ମାମଲାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କୌଣସି ପ୍ରତ୍ୟକ୍ଷ ତ୍ରୁଟି ନଥିବା ଦର୍ଶାଇ ଆୟୋଗ ବ୍ୟାଙ୍କକୁ ଆର୍ଥିକ ଜରିମାନାରୁ ମୁକ୍ତ କରିଛନ୍ତି । ତେବେ ଟଙ୍କା ସମାଧାନ ହେବା ପରେ ଋଣ ଖାତା ବନ୍ଦ କରି ତୁରନ୍ତ ‘ନୋ ଡ୍ୟୁଜ୍ ସାର୍ଟିଫିକେଟ୍’ (NOC) ପ୍ରଦାନ କରିବାକୁ ଏବଂ ଅଭିଯୋଗକାରିଣୀଙ୍କ ସିବିଲ୍ (CIBIL) ସ୍କୋର ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଦେଶ ପାଇବାର ୪୫ ଦିନ ମଧ୍ୟରେ ‘ଭାନ୍‌ଜୁ’ ସଂସ୍ଥା ଏହି ନିର୍ଦ୍ଦେଶ ପାଳନ ନକଲେ, ମାମଲା ଦାୟର ତାରିଖ (୧୯.୦୩.୨୦୨୪)ଠାରୁ ବାର୍ଷିକ ୧୨ ପ୍ରତିଶତ ଦଣ୍ଡମୂଳକ ସୁଧ ସହ ଟଙ୍କା ଆଦାୟ କରିବା ପାଇଁ ଅଭିଯୋକରିଣୀ ଉପଭୋକ୍ତାଙ୍କୁ ସ୍ବାଧୀନତା ପ୍ରଦାନ କରିଛନ୍ତି ଆୟୋଗ ।

Leave A Reply

Your email address will not be published.