ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନିଖୁଣ କାରିଗରୀ ।

0 0

ରେଙ୍ଗାଲିକ୍ୟାମ୍ପ,୨୪/୦୭: ଆଜିକାଲିର ଯୁଗରେ ଯେଉଁ ବୟସରେ ପିଲାମାନଙ୍କ ହାତରେ ମୋବାଇଲ୍ ଫୋନ୍ ଏବଂ ଭର୍ଚୁଆଲ୍ ଗେମ୍‌ର ନିଶା ଖେଳିଯାଇଛି, ଠିକ୍ ସେହି ସମୟରେ ମାଟିର ବାସ୍ନା ଏବଂ ଭକ୍ତିର ପବିତ୍ରତାରେ ନିଜକୁ ବାନ୍ଧି ରଖିଛନ୍ତି ଜଣେ କୋମଳମତି ବାଳକ। ସେ ହେଉଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ସିଂହପାଲି (ରଙ୍ଗାଟିକ୍ରା) ର ତଥା ସିଂହପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶକ୍ତି ମେହେର। ଶ୍ରୀଜଗନ୍ନାଥଙ୍କ ପ୍ରତି ଅନାବିଳ ଭଲପାଇବା ଏବଂ ଅପାର ଭକ୍ତି କିପରି ଜଣେ କୁନି ପିଲାକୁ ଜଣେ ନିଖୁଣ କଳାକାରରେ ପରିଣତ କରିପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଶକ୍ତି ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଟିଭି ପରଦାରେ ଦେଖିବା ମାତ୍ରେ ପଞ୍ଚମ ଶ୍ରେଣୀରେ ପଢ଼ିବା ଦିନରୁ ଶକ୍ତିଙ୍କ ମନରେ ଏକ ଅଲୌକିକ ଭାବନା ଜାଗ୍ରତ ହୋଇଥିଲା। ସେ ପ୍ରଥମେ ମାଟିରେ ଜଗନ୍ନାଥଙ୍କର ଛୋଟ ଛୋଟ ମୂର୍ତ୍ତି ଓ କଣ୍ଢେଇ ନିର୍ମାଣ କରି ନିଜର ଭକ୍ତି ପ୍ରକଟ କରିଥିଲେ। ପରେ ପରେ ବିସ୍କୁଟ କାର୍ଟୁନ୍, ତେଲ କାର୍ଟୁନ୍, ସୋଲ ଏବଂ ରଙ୍ଗୀନ ତାମଡ଼ା କାଗଜ ସାହାଯ୍ୟରେ କ୍ରମାଗତ ତିନି ବର୍ଷ ଧରି (ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀରେ) ନିଜ ପ୍ରଚେଷ୍ଟାରେ ଏକ ସୁନ୍ଦର ସୁନ୍ଦର ରଥ ତିଆରି କରିଥିଲେ। ସେତେବେଳେ ଏହି ରଥ ତିଆରି ପାଇଁ ପ୍ରାୟ ୪ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଘରୁ ମାତ୍ର ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଏହି କାଗଜ ରଥକୁ ସେ ନିଜ ସାଙ୍ଗସାଥୀ ଓ ଗ୍ରାମବାସୀଙ୍କ ସହ ମିଶି ଟାଣିଥା’ନ୍ତି।

କାଗଜରୁ କାଠ: ଅକ୍ଷୟ ତୃତିଆରୁ ଆରମ୍ଭ ହେଲା ସାଧନା
ଜଗନ୍ନାଥ ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳିରେ ଅନୁପ୍ରାଣିତ ହୋଇ ଶକ୍ତି ଏଥର କାଗଜ ବଦଳରେ ପ୍ରକୃତ କାଠରେ ରଥ ନିର୍ମାଣ କରିବାକୁ ମନସ୍ଥ କଲେ। ଏହି କଥା ସେ ଯେତେବେଳେ ନିଜ ବାପାଙ୍କୁ କହିଲେ, ବାପା ମଧ୍ୟ ପୁଅର ଏପରି ପବିତ୍ର ଇଚ୍ଛାକୁ ସମର୍ଥନ ଜଣାଇ କହିଲେ— “ତୋର ଯଦି ଇଚ୍ଛା ଅଛି, ତୁ ନିଶ୍ଚୟ କର।”ସଂଯୋଗବଶତଃ, ଘରର କବାଟ-ଝରକା ପାଇଁ ଦୁଇ ବର୍ଷ ପୂର୍ବରୁ ଏକ ନିମ୍ବ ଗଛ କଟାଯାଇ ରହିଥିଲା। ସେହି ଲିମ୍ବ କାଠକୁ ବିଧିବଦ୍ଧ ଭାବେ ପୂଜା କରାଯାଇ, ୨୦୨୬ ମସିହା ଅକ୍ଷୟ ତୃତିଆ ଦିନ ପ୍ରଭୁଙ୍କ ଆଜ୍ଞା ମାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

[ରାତିର ନିସ୍ତବ୍ଧତାରେ କଳାର ତପସ୍ୟା ]

ଦିନବେଳା ସ୍କୁଲର ପାଠପଢ଼ା ଏବଂ ସ୍କୁଲରୁ ମିଳିଥିବା ଗୃହକାର୍ଯ୍ୟ ସାରିବା ପରେ, ଶକ୍ତିଙ୍କର ଅସଲ କର୍ମକ୍ଷେତ୍ର ଆରମ୍ଭ ହୁଏ। ପ୍ରତିଦିନ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ନିରୋଳାରେ ବସି ସେ ଖୋଦେଇ କାମରେ ଲାଗିଯାଆନ୍ତି। କଳା ପ୍ରତି ତାଙ୍କର ଏପରି ନିଶା ଥିଲା ଯେ, କାମ କରୁ କରୁ ବେଳେବେଳେ ସେ ସେହିଠାରେ ହିଁ ଥକିଯାଇ ଶୋଇପଡ଼ନ୍ତି ବୋଲି ତାଙ୍କ ମାଆ ଗର୍ବର ସହ କହନ୍ତି।
ପୁରୀ ଶ୍ରୀମନ୍ଦିରର ବିଶ୍ୱପ୍ରସିଦ୍ଧ ନନ୍ଦିଘୋଷ ରଥର ଶୈଳୀକୁ ଆଖିରେ ଆଗରେ ରଖି ସେ ଏହି ରଥକୁ ଅତି ସୂକ୍୍ଷ୍ମ ଭାବେ ତିଆରି କରିଛନ୍ତି। ରଥ ଉପରେ କଳସ, ଓଲଟା ଶୁଆ ଏବଂ ରଥର ଚତୁର୍ପାଶ୍ୱରେ ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ଆକର୍ଷକ ମୂର୍ତ୍ତି ସେ ନିଜ ହାତରେ ଖୋଦେଇ କରିଛନ୍ତି। କାଦୋବାହାଲରୁ ନିମ୍ବ କାଠରେ ତିଆରି ସୁନ୍ଦର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ଦିଅଁଙ୍କ ମୂର୍ତ୍ତିକୁ ସେ ୧୨,୫୦୦ ଟଙ୍କା ଦେଇ ସଂଗ୍ରହ କରିଥିବା ବେଳେ, ପ୍ରଭୁଙ୍କ ବସିବା ପାଇଁ ସେ ନିଜେ କାଠରେ ସୁନ୍ଦର ଆସନ ମଧ୍ୟ ନିର୍ମାଣ କରିଛନ୍ତି। ଭବିଷ୍ୟତରେ ଏହି ରଥକୁ ସମ୍ପୂର୍ଣ୍ଣ ଶାସ୍ତ୍ରୀୟ ଜଗନ୍ନାଥ ତତ୍ତ୍ୱ ତଥା ରୀତିନୀତି ଅନୁସାରେ ନିର୍ମାଣ କରିବାର ଉଚ୍ଚାଳାଷା ତାଙ୍କର ରହିଛି।
ନିଖୁଣ କଳକୌଶଳର ଅପରୂପ ସୃଷ୍ଟି
କୁନି ହାତର ଏହି କଳାକୃତି ସମସ୍ତଙ୍କୁ ଚକିତ କରିଛି। ଶକ୍ତିଙ୍କ ଦ୍ୱାରା ନିର୍ମିତ ଏହି କାଠ ରଥର ଉଚ୍ଚତା୧୦ ଫୁଟ,
ବ୍ୟବହୃତ କାଠ ସଂଖ୍ୟା ୧୭୬ ଖଣ୍ଡ ,ଚକ ସଂଖ୍ୟା ୪ (ପ୍ରତି ଚକର ବ୍ୟାସ ୩ ଫୁଟ), ଥର୍ମୋକୋଲରେ ନିର୍ମିତ ୪ଟି ଆକର୍ଷକ ଘୋଡ଼ା ରଥରେ ଯୋଚାଯାଇଛି।

[ଚିତ୍ରାଙ୍କନରେ ମଧ୍ୟ ପ୍ରତିଭାର ସ୍ୱାକ୍ଷର]
କେବଳ କାଠ କାମ ନୁହେଁ, ଚିତ୍ରାଙ୍କନ କ୍ଷେତ୍ରରେ ମଧ୍ୟ ଶକ୍ତିଙ୍କର ଅସାଧାରଣ ଦକ୍ଷତା ରହିଛି। ପିଲାଟି ଦିନରୁ ସ୍କୁଲ୍ ହେଉ ଅବା ପଞ୍ଚାୟତ ସ୍ତରୀୟ ପ୍ରତିଯୋଗିତା— ଯେଉଁଠି ମଧ୍ୟ ସେ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇଛନ୍ତି, ସେଠାରୁ ସବୁବେଳେ ପୁରସ୍କାର ହାସଲ କରି ଗ୍ରାମର ଗୌରବ ବଢ଼ାଇଛନ୍ତି।
ଭକ୍ତି, ଶ୍ରଦ୍ଧା ଏବଂ ନିଃସ୍ୱାର୍ଥପର ସମର୍ପଣ
ଚଳିତ ବର୍ଷ ରଥଯାତ୍ରା ଦିନ ଏହି ଦିବ୍ୟ ରଥ ପ୍ରତିଷ୍ଠା ହୋଇଥିଲା। ଘରେ ପୂଜା ପାଉଥିବା ତିନି ଠାକୁରଙ୍କ ସହ ନୂତନ ବିଗ୍ରହ ଙ୍କୁ ରଥରେ ବିରାଜମାନ କରାଇ ସେ ନିଜ ପଡ଼ାରେ ରଥ ଟାଣିଥିଲେ। ବାଳକର ଏହି ନିଷ୍ଠା ଓ ପରିଶ୍ରମ ଦେଖି ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁମାନେ ରଥ ଉପରେ ସ୍ୱେଚ୍ଛାରେ ଅର୍ଥ ସହଯୋଗ କରିଥିଲେ। ଗତବର୍ଷମାନଙ୍କରେ ଯେଉଁଠି ୧୦୦ ରୁ ୧୫୦ ଟଙ୍କା ସଂଗ୍ରହ ହେଉଥିଲା, ଚଳିତ ବର୍ଷ ଭକ୍ତମାନଙ୍କ ଶ୍ରଦ୍ଧାରୁ ପ୍ରାୟ ୭୦୦ ଟଙ୍କା ସଂଗ୍ରହ ହୋଇଛି। ଏହି ସମସ୍ତ ଅର୍ଥକୁ ଶକ୍ତି କେବଳ ନିଜ ବ୍ୟକ୍ତିଗତ କାମରେ ନଲଗାଇ, ପ୍ରତିଦିନ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ଲଗାଇବାରେ ଉପଯୋଗ କରୁଛନ୍ତି।

“ଜଗନ୍ନାଥଙ୍କ ପ୍ରତି ମୋର ଭଲପାଇବା ପିଲାଦିନରୁ ରହିଛି। ଟିଭିରେ ରଥ ଦେଖି ମୋ ଭିତରେ ଏହି ପ୍ରେରଣା ଆସିଥିଲା। ମୋର ଏହି ପ୍ରୟାସ ଆଜି ମତେ ଏକ ସନ୍ତୋଷ ଏବଂ ଆନନ୍ଦ ଦେଉଛି।” — ଶକ୍ତି ମେହେର (କୁନି କଳାକାର)

ଆଜିର ଡିଜିଟାଲ୍ ଯୁଗରେ ଗ୍ରାମାଞ୍ଚଳର ମାଟିରେ ଲୁଚି ରହିଥିବା ଏହି କୁନି ପ୍ରତିଭା ଶକ୍ତି ମେହେର କେବଳ ନିଜ ଅଞ୍ଚଳର ନୁହେଁ, ବରଂ ସମଗ୍ର ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ତାଙ୍କର ଏହି ନିଷ୍କପଟ ଭକ୍ତି, ରାତିର କଠିନ ପରିଶ୍ରମ ଏବଂ ସୃଜନଶୀଳତା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ଜ୍ୱଳନ୍ତ ପ୍ରେରଣା ସାଜିଛି।

Leave A Reply

Your email address will not be published.