ଅତାବିରାରେ ବିକାଶର ନୂଆ ଅଧ୍ୟାୟ,,, ୩.୮୪ କୋଟିରେ ନିର୍ମାଣ ହେବ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ, ଶିଳାନ୍ୟାସ କଲେ ବିଧାୟକ।
ରେଙ୍ଗାଲିକ୍ୟାମ୍ପ, ୧୨/୦୬:ଅତାବିରା ଏନ୍ଏସି ଅଞ୍ଚଳର ବ୍ୟବସାୟିକ ଭିତ୍ତିଭୂମିକୁ ସଦୃଢ଼ କରିବା ସହ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ସ୍ଥାନୀୟ ବିଧାୟକ ନିହାର ମହାନନ୍ଦଙ୍କ ଦ୍ୱାରା ଏକ ଉନ୍ନତଧରଣର ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ପ୍ରାୟ ୩.୮୪ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ, ଯେଉଁଥିରେ ୮୦ରୁ ଅଧିକ ଦୋକାନ ଗୃହ ରହିବ। ନିର୍ମାଣ କାର୍ଯ୍ୟ ଯୋଗୁଁ ସାମୟିକ ଭାବେ ପ୍ରଭାବିତ ହୋଇଥିବା ପୁରୁଣା ଦୋକାନୀମାନଙ୍କୁ ପ୍ରଥମେ ଏଠାରେ ଦୋକାନ ଗୃହ ଆବଣ୍ଟନ କରାଯିବ। ଏହା ସହିତ ଅନ୍ୟ ବ୍ୟବସାୟୀମାନେ ମଧ୍ୟ ନୂତନ ଦୋକାନ ଗୃହ ପାଇଁ ଆବେଦନ କରିପାରିବେ। ନିର୍ମାଣ ଅବଧି ମଧ୍ୟରେ ପ୍ରଭାବିତ ବ୍ୟବସାୟୀଙ୍କୁ ସାମାନ୍ୟ ଧୈର୍ଯ୍ୟ ଧରିବାକୁ ବିଧାୟକ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ଉଠାଦୋକାନୀ ଓ ଠେଲା ବ୍ୟବସାୟୀମାନଙ୍କ ବ୍ୟବସ୍ଥିତ ଥଇଥାନ ପାଇଁ ଖୁବ୍ଶୀଘ୍ର ଏକ ସ୍ୱତନ୍ତ୍ର ‘ଫୁଟ୍ କୋର୍ଟ’ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।
ଅତାବିରା ଗ୍ରାମ୍ୟ ନ୍ୟାୟାଳୟ ସମ୍ମୁଖ ପଢ଼ାରେ ୧.୮୦ କୋଟି ଟଙ୍କା ବ୍ୟୟରେ ଏକ ଭବ୍ୟ ଡାକବଙ୍ଗଳା (ଇନ୍ସପେକ୍ସନ ବଙ୍ଗଳା) ନିର୍ମାଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ସ୍ଥାନୀୟ ପଢ଼ାବାସୀଙ୍କୁ ରେଙ୍ଗାଲିକେମ୍ପ ଅଞ୍ଚଳରେ ଘର ତିଆରି କରି ଦିଆଯିବ। ଏଥିସହ ସେଠାରେ ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଭଳି ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରାଯାଇ ବଣ୍ଟନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ଶିଳାନ୍ୟାସ ଅବସରରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମହାନନ୍ଦ କହିଛନ୍ତି ଯେ, ଆଗାମୀ ଦିନରେ ଅତାବିରାର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ। କେତେକ ଅସହିଷ୍ଣୁ ବ୍ୟକ୍ତି ଅଞ୍ଚଳର ଏହି ପ୍ରଗତିକୁ ସହ୍ୟ ନକରି ସାମାଜିକ ଗଣମାଧ୍ୟମ ରେ ଭ୍ରମାତ୍ମକ ଓ ବିଭ୍ରାନ୍ତିକର ମତ ସୃଷ୍ଟି କରୁଛନ୍ତି। ଜନସାଧାରଣ ଏଭଳି ଅପପ୍ରଚାରରେ ନପଡ଼ି ସହରର ବିକାଶ ଧାରାରେ ସାମିଲ ହେବା ସହ ପ୍ରଶାସନକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହି ବିଶେଷ ବୈଠକରେ ଏନ୍ଏସି କାଉନସିଲର ଦୀପକ ରାୟ ଓ ନିର୍ବାହୀ ଅଧିକାରୀ ନରେନ୍ଦ୍ର ପଧାନ ମଞ୍ଚାସୀନ ଥିବାବେଳେ, ଦୁର୍ଯ୍ୟୋଧନ ସାହୁ ମଞ୍ଚ ପରିଚାଳନା କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।