ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ; ଅଭିଯୁକ୍ତ ବାପା ପୁଅ ଗିରଫ ।

0 172

 ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୩/୦୪- ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୨ଜଣ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଦିଗପହଣ୍ଡି ବିଡ଼ିଓଙ୍କ ନିର୍ଦ୍ଦେଶାନୁସାରେ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା, ପଞ୍ଚାୟତ ଗ୍ରାମ ରୋଜଗାର ସେବକ, ୱାର୍ଡ ସଭ୍ୟ ପ୍ରମୁଖ ବୋମକେଇ ଗାଁର ହିତାଧିକାରୀଙ୍କୁ କରୋନା ସହାୟତା ପାଇଁ ଅର୍ଥରାଶି ବଣ୍ଟନ କରୁଥିଲେ। ଏହି ସମୟରେ ଶତ୍ରୁଘ୍ନ ତାଙ୍କ ଘର ସମ୍ମୁଖରେ ଭଗବାନଙ୍କୁ ଜବରଦସ୍ତ ଅଟକାଇ ମୋର ରାସନ କାର୍ଡ କାହିଁକି ହୋଇନାହିଁ ବୋଲି ଗାଳିଗୁଲଜ କରିଥିଲେ। ଭଗବାନ ଏହାର ପ୍ରତିବାଦ କରିବାରୁ ଶତ୍ରୁଘ୍ନ ଓ ତାଙ୍କ ସ୍ତ୍ରୀ ସେଠାକୁ ଆସି ତାଙ୍କୁ ଠେଲାପେଲା କରିଥିଲେ। ପରେ ତାଙ୍କ ନାବାଳକ ପୁଅ ସେଠାକୁ ଆସି ହାତରେ ଧରିଥିବା ଏକ କାତିରେ ଭଗବାନଙ୍କ ବେକକୁ ଆକ୍ରମଣ କରିଥିଲେ। ସେ ଘୁଞ୍ଚିପଡିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।ଏନେଇ ଭଗବାନ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି ବୋଲି ଥାନା ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ବାପା ଓ ତାଙ୍କ ନାବାଳକ ପୁଅଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ଥାନା ମାମଲା ନଂ.୯୦/୨୦ ଦଫା-୨୯୪/ ୩୦୭/୩୨୩/୩୪୧/୫୦୬/୩୪ ଅନୁଯାୟୀ ଅଭିଯୁକ୍ତ ବାପା ଶତ୍ରୁଘ୍ନ ପ୍ରଧାନଙ୍କୁ ଗୁରୁବାର ଦିଗପହଣ୍ଡି କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଅନ୍ୟତମ ଅଭିଯୁକ୍ତ ନାବାଳକଙ୍କୁ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଏଥିସହ ହତ୍ୟା ଉଦ୍ୟମ ମାମଲାରେ ବ୍ୟବହୃତ କାତିକୁ ଜବତ କରାଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜ୍ଞାନରଞ୍ଜନ ସେଠୀ କହିଛନ୍ତି।
ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.