ଯାଜପୁର,୨୨/୦୬(ପିପିଟି) : ଶିଳ୍ପୀର ନିହାଣ ସ୍ପର୍ଶରେ ପଥର ମୂର୍ତ୍ତିରେ ରୂପାନ୍ତରିତ ହୋଇଥାଏ । ଶିଳ୍ପୀର କଠୋର ପରିଶ୍ରମ ଏହା ପଛରେ ଲୁଚି ରହିଥାଏ । ପରିଶ୍ରମର ମୂଲ୍ୟ ତାକୁ ମିଳିଥାଏ ଯଶ ଓ ଖ୍ୟାତି । ଏହି ପ୍ରତିଷ୍ଠା ଓ ପରିଚୟକୁ ନେଇ ସୁଖରେ ବଂଚିବା ଅପେକ୍ଷା ଦୁଃଖରେ କାଳାତିପାତ କରେ ଶିଳ୍ପୀ ଜଣକ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ପଞ୍ଚାୟତ ନୀଳାଦେଇପୁର ଗ୍ରାମରେ । ଲଛମନ ରାଉତଙ୍କ ପୁଅ ଜଟେଶ୍ୱର ରାଉତ (୩୭) ଆଜକୁ ୧୦ ବର୍ଷ ହେବ ଗାଁ ମୁଣ୍ଡ ନୀଳାଦେଇପୁର ଛକରେ ପଥର ଆଣି ମୂର୍ତ୍ତି ତିଆରି କରୁଛନ୍ତି । ସେ ୧୬ ବର୍ଷ ବୟସରେ ଛତିଆ ଯାଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଥର ଶିଳ୍ପୀ ମହେଶ୍ୱର ଓଝା ନିକଟରୁ ଏହି କଳା ଶିକ୍ଷା ଲାଭ କରିଥିଲେ । ୧୦ ବର୍ଷ ଶିକ୍ଷା ଲାଭ କଲାପରେ ନିଜ ଅଞ୍ଚଳରେ ମୂର୍ତ୍ତି ନିର୍ମାଣ କରିବାକୁ ମନସ୍ଥ କଲେ । ସେହିଦିନ ଠାରୁ ସେ ନୀଳାଦେଇପୁର ଛକରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ତାଲାବନ୍ଦ ପାଇଁ କଞ୍ଚାମାଲ (ପଥର ) ଆସିପାରୁ ନାହିଁ । ଫଳରେ ମୂର୍ତ୍ତି ତିଆରିରେ ଅସୁବିଧା ସୃଷ୍ଟି ହେଉଛି । ତିଆରି ମୂର୍ତ୍ତି ଗୁଡିକୁ ମଧ୍ୟ ଅନ୍ୟତ୍ର ପଠାଯାଇ ପାରୁନାହିଁ । ଏହିସବୁ ପଥର ଉପରେ ବହୁତ କଟକଣା ରହିଛି । ଯାହାଦ୍ୱାରା ଅଧିକ ଖର୍ଚ୍ଚ କରି ଖୋର୍ଦ୍ଧାର ତାପଙ୍ଗ , ମୟୁରଭଞ୍ଜର ଖିଚିଂ ଓ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ପଥର ଅଣାଯାଇଥାଏ । ମୁଗୁନି ଓ ବଉଳମାଳିଆ (ଶାଣପଥର) ଏହି ଦୁଇ ପ୍ରକାର ପଥରରେ ମୂର୍ତ୍ତି ନିର୍ମାଣ କରାଯାଇଥାଏ । ସେ ଗଣେଶ,ବୁଦ୍ଧ, ହନୁମାନ, ଲଷ୍ମୀ, ଦୁର୍ଗା , ମଙ୍ଗଳା , ରାଧାକୃଷ୍ଣ ,ସାଇବାବ, ବୃଷବ ଆଦି ମୂର୍ତ୍ତି ନିର୍ମାଣ କରିଥାନ୍ତି । ଏହି ସବୁ ମୂର୍ତ୍ତି ଧର୍ମଶାଳା ଓ ଅନ୍ୟ ଅଞ୍ଚଳରେ ବିକ୍ରୟ କରାଯାଇଥାଏ । ପରିଶ୍ରମ ମୁତାବକ ମୂଲ ମିଲେନା । କଳା ପ୍ରତି ଆଗ୍ରହ ଥିବାରୁ ମୂର୍ତ୍ତି ନିର୍ମାଣ କରୁଛି । ବହୁ ଅନାଟନ ମଧ୍ୟରେ ପରିବାର ଗତିକରୁଛି । ହେଲେ କଳାକୁ ଛାଡି ହେଉ ନାହିଁ । ଏହି କଳାକୁ ଆପଣାଇ ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ ବୋଲି ଜଟେଶ୍ୱର କହନ୍ତି । ସରକାରଙ୍କ ପକ୍ଷରୁ ଏ ଦିଗରେ ପ୍ରୋତ୍ସାହନ ମଧ୍ୟ କଳାକାର ମାନଙ୍କୁ ମିଳୁନାହିଁ । ସେଥିପାଇଁ ପାଇଁ ବାଧ୍ୟହୋଇ ପଥର ଶିଳ୍ପୀମାନେ ଏହି କାର୍ଯ୍ୟ ଛାଡ଼ୁଛନ୍ତି ।ସେମାନେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ବିଭିନ୍ନ ବର୍ଗର ଶିଳ୍ପୀ ମାନଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ବୁଡି ଯାଉଥିବା କଳା ଗୁଡିକ ବଞ୍ଚି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
(ରିପୋର୍ଟ – ଅକ୍ଷୟ କୁମାର ରାଉତ। )