ହିଞ୍ଜିଳିକାଟୁ,୨୦/୧୦( ପିପିଟି): ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅପହରଣ, ହତ୍ୟା ଘଟଣାରେ ସମସ୍ତ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିନେଇ ହିଞ୍ଜିଳିକାଟୁ ବସ ଷ୍ଟାଣ୍ଡ ଠାରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସରକାରଙ୍କର ପ୍ରତ୍ୟେକ୍ଷ ପ୍ରୋତ୍ସାହନରେ ଶିକ୍ଷାର ଘରୋଇକରଣ ବ୍ୟବସାୟୀକରଣ ତୀବ୍ରରୁପ ଧାରଣ କରିଛି। ଛାତ୍ରଛାତ୍ରୀଙ୍କୁ ଶୋଷଣକରି ମୁନାଫା ଲୁଟ୍ କରିବା ପାଇଁ ଶିକ୍ଷା ମାଫିଆମାନେ ସେମାନଙ୍କ ମାଲିକାନାରେ ଶିକ୍ଷାନୁଷ୍ଠାନ ଖୋଲି ଶିକ୍ଷା ବେପାର କରିଚାଲିଛନ୍ତି ଏବଂ ସରକାରୀ ଦଳର ନେତାମନ୍ତ୍ରୀମାନେ ଏହାର ପୃଷ୍ଠପୋଷକତା କରୁଛନ୍ତି। ଫଳରେ ଏହି ଶିକ୍ଷା ମାଫିଆମାନେ ଅବାଧରେ ନାନାଧରଣର କେଳେଙ୍କକାରୀ କରିବାର ପଥ ପରିଷ୍କାର ହୋଇଯାଉଛି। ଛାତ୍ରୀ, ଶିକ୍ଷୟତ୍ରୀ ତଥା ମହିଳା କର୍ମଚାରୀମାନେ ଆଜି ଏହି ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଶିକ୍ଷାର ଏହି ଘରୋଇକରଣ ବ୍ୟବସାୟୀକରଣର ପରିଣାମ ସ୍ଵରୁପ ଆଜି ମମିତା ମେହେରଙ୍କ ଅପହରଣ ଓ ହତ୍ୟାଭଳି ଜଘନ୍ୟ ଅପରାଧ ଘଟଣା ମୁଣ୍ଡ ଟେକିଛି । ଏଣୁ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ବନ୍ଦ କରିବା, ଅଶ୍ଳୀଳତା-ନଗ୍ନତା ଅପସଂସ୍କୃତି ତଥା ମଦ ମାଦକ ଦ୍ରବ୍ୟର ପ୍ରଚାରପ୍ରସାର ବନ୍ଦ ଏବଂ ଛାତ୍ରୀ ଓ ମହିଳା ମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନକଲେ ଆଗମୀ ଦିନରେ ଶକ୍ତିଶାଳୀ ଛାତ୍ର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଏ.ଆଇ.ଡି.ଏସ୍.ଓ ପକ୍ଷରୁ ଚେତାବନୀ ଦିଆଯାଛି । ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଡିଏସଓ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପଦକ ନିମାଇଁ ଚରଣ ସାହୁ, ହିଞ୍ଜଳିକାଟୁ ଆଞ୍ଚଳିକ କମିଟି ସଭାପତି ଡି. ତିରୁପତି ଦୋରା, ସମ୍ପାଦକ ନାରାୟଣ ସାହୁଙ୍କ ସମେତ ଉଦ୍ଧବ କୁମାର ମହାଙ୍କଡ଼,ପପୁନ ସାହୁ, ରଞ୍ଜନ ସେଠି, କିସନ କୁମାର ସାହୁ, କାମରାଜ ସାହୁଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା)