ଲୋକାର୍ପିତ ହେଲା ନୂଆ ଟିଭି ଚ୍ୟାନେଲର ଲୋଗୋ ‘ବଡ଼ ଖବର’ ଲୋକଙ୍କ ଚ୍ୟାନେଲ – ଅର୍ଦ୍ଧେନ୍ଦୁ ।

0 882

ଭୁବନେଶ୍ୱର,୧୬/୦୮; ଆସୁଛି ନୂଆ ଓଡ଼ିଆ ସ୍ୟାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ । ସ୍ୱାଧୀନତା ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଲୋଗୋ ଲୋକାର୍ପିତ ହୋଇଛି । ‘ବଡ଼ ଖବର’ ଓଡ଼ିଶାବାସୀଙ୍କ ମୁଖପାତ୍ର ହେବ ବୋଲି ଘୋଷଣା କରିଛନ୍ତି ଏହାର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଆରା ଢଙ୍ଗରେ ଅତିଥି ଭାବେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସ୍ଥାପନା କରାଯାଇଥିଲା । ‘ବଡ଼ ଖବର’ ଲୋଗୋ ଉନ୍ମୋଚନ ପରେ ଏହାର ଆଭିମୁଖ୍ୟ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖିଥିଲେ ଅର୍ଦ୍ଧେନ୍ଦୁ । ଓଡ଼ିଶା ଟେଲିଭିଜନ ଇତିହାସରେ ପ୍ରଥମ ଥର କୌଣସି ପୁଞ୍ଜିପତି କିମ୍ବା ରାଜନେତାଙ୍କ ପୃଷ୍ଠପୋଷକତା ବିନା କିଛି ସାମ୍ବାଦିକଙ୍କ ଉଦ୍ୟମରେ ଏହି ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲ ତିଆରି ହୋଇଥିବା ସେ କହିଛନ୍ତି । ଏହା ସହ ସେ କହିଥିଲେ, ଗଣମାଧ୍ୟମ ଚାପରେ ଅଛି । ସାଧାରଣ ଲୋକଙ୍କ ପାଇଁ ଦି’ପଦ କହିବାର ଦମ୍ଭ ରଖୁ ନାହିଁ । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଲୋକଙ୍କ ପ୍ରଶ୍ନ ପଚରାଯାଉ ନାହିଁ । ଯାହା ତାଙ୍କ ମନରେ ବିଦ୍ରୋହ ତିଆରି କରାଇଛି । ସେଥିଲାଗି ସେ ଭୟ ଓ ଚାପକୁ ଅଣଦେଖା କରି ଏକ ନିରପେକ୍ଷ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ଆରମ୍ଭ କରିବାକୁ ପ୍ରୟାସ କରିଛନ୍ତି । ତାଙ୍କ ପାଖରେ ଅର୍ଥବଳ ନାହିଁ । ତେଣୁ ରାଜ୍ୟବାସୀଙ୍କ ସହଯୋଗ ଓ ସମର୍ଥନରେ ହିଁ ଏହି ଚ୍ୟାନେଲ ଆଗକୁ ବଢିବ । ଏହି ଚ୍ୟାନେଲ ପାଇଁ ସାଧାରଣ ଲୋକଙ୍କ ଖବର ହିଁ ବଡ଼ ହେବ । ଏହି ଚ୍ୟାନେଲ ଲୋକଙ୍କ ସହ ରହିବ, ଲୋକଙ୍କ ସମସ୍ୟା ବୁଝିବ, ଲୋକଙ୍କ କଥା କହିବ । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଲୋକଙ୍କ ପ୍ରଶ୍ନ ପଚାରିବ । ମହାମାରୀର ଏହି ଘଡ଼ିସନ୍ଧି ମୁହୁର୍ତ୍ତରୁ ହିଁ ଲୋକଙ୍କ ସମସ୍ୟା ସାମ୍ନାକୁ ଆଣିବାର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ପୂର୍ବରୁ ଅନେକ ସଂସ୍ଥାରେ ଚାକିରି କରି ସେ ଦୁର୍ନୀତି ବିରୋଧରେ ଖବର ପ୍ରସାରଣକୁ ପ୍ରାଧାନ୍ୟ ଦେଇଛନ୍ତି । ଏବେ ସେହି କାମ ଆହୁରି ଜୋରଦାର ହୋଇପାରିବ ବୋଲି ସେ କହିଛନ୍ତି । ମାତ୍ର କିଛି ଦିନ ମଧ୍ୟରେ ‘ବଡ଼ ଖବର’ର ପ୍ରସାରଣ ଆରମ୍ଭ ହେବ । ସମସ୍ତ କେବଲ ଓ ଡିଟିଏଚ ପ୍ଲାଟଫର୍ମରେ ଏହାକୁ ଦର୍ଶକ ଦେଖିପାରିବେ ।

Leave A Reply

Your email address will not be published.