ମାଲକାନଗିରି,୩୧/୧୨(ପିପିଟି): ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜୋଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ଯବାନମାନେ କୁମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନୀର ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ବେଳେ ଗୁଇନ୍ଦା ସଂସ୍ଥା ଠାରୁ ନିର୍ଭର ଯୋଗ୍ଯ ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳେ ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି । ତନ୍ମଧ୍ଯରେ ୬ଟି ଟିଫିନ ବୋମା, ୨ଟି ପ୍ରେସର ଆଇଡି, ୨ଟି ୭.୬୨ର ଏମ.ଏମ ବଲ ଆମୁନେସ, ଗୋଟିଏ ଇନଶାସ ମାଗାଜିନ, ଗୋଟିଏ ହେଭରସେକ, ବିପୁଳ ପରିମାଣର ଔଷଧ, କୋଡେକ୍ସ କେବୁଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଏହି ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପି.ଓ ଅଭିଳାଷ ଜି କହିଛନ୍ତି । ଆଗାମୀ ଦିନରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଏହି ଅପରେସନ ଜାରି ରହିବ ବୋଲି ସେ ପ୍ପକାଶ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)