ମାଲକାନଗିରି,ତା:୨୦/୦୮(ପିପିଟି); ମାଲକାନଗିରି ସଦର ମହକୁମା ସ୍ଥିତ ସଂସ୍କୃତି ଭବନ ଠାରେ ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଓଡିଶାର ପ୍ରତ୍ଯେକ ଲୋକ ମୋ ପରିବାର । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ।ଗରିବ ଲୋକମାନେ ଚିକିତ୍ସା ଲାଗି କେବେ ଅନ୍ଯ ପାଖରେ ଅସହାୟ ହୋଇ ହାତ ପାତିବେ ନାହିଁ । ଆଜି ମାଲକାନଗିରି ରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତବ୍ଯକ୍ତ କରିଥିଲେ ।ବଣ୍ଡା ଘାଟିର ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମେ ହେଲଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ପଦକ୍ଷପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ କିମ୍ବା ଖଟିଖିଆ ମଜୁରିଆଟିଏ ହେଉ କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ ।ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ପର୍ଯନ୍ତ ଖର୍ଚ୍ଚ କରିବା ସୁବିଧା ରହିଥିବା ବେଳେ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ଖର୍ଚ୍ଚ କରିବା ରାଜ୍ୟ ସରକାର ସଂକଳ୍ପ ବଦ୍ଧ। ଆଗାମୀ ସେପ୍ଟେମ୍ବର ପହିଲାରୁ ଏହି ଯୋଜନା ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ୧ ଲକ୍ଷ ୫୫ ହଜାର୮୨୩ ପରିବାର ବର୍ଗଙ୍କୁ ଏହି ହେଲଥ କାର୍ଡ ବଣ୍ଟନ କରାଯିବ I
ଏଥି ପାଇଁ ବିଭିନ୍ନ ବ୍ଲକକୁ ହେଲଥ କାର୍ଡ ବଣ୍ଟନ ଲାଗି ମନ୍ତ୍ରୀ ଏବଂ ସାଂସଦଙ୍କୁ ଦାୟିତ୍ଵ ନ୍ଯସ୍ତ କରାଯାଇଛି ,ସେମାନେ ୨୧ ତାରିଖ ଠାରୁ ୨୫ ତାରିଖ ମଧ୍ଯରେ ଏହି ବଣ୍ଟନ ବ୍ଯବସ୍ଥା ସଂପନ୍ନ କରିବେI
ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍ପିଟାଲରେ କିଛି ଡକ୍ୟୁମେଣ୍ଟ ଦେବାକୁ ଦରକାର ପଡ଼ିବ ନାହିଁ ବୋଲି ସେ କହିଥିଲେ। କେବଳ ଏହି ସ୍ମାର୍ଟ ହେଲଥ କାର୍ଡ ସାଥିରେ ନେଇ ହସପିଟାଲ ଯିବାକୁ ହେବ। ଦେଶର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା ସୁବିଧା ପାଇପାରିବେ । ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବା ରେ ସାରା ଦେଶରେ ଓଡିଶା ପ୍ରଥମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି ।ଏହା ଛଡା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ମାଲକାନଗିରି ବିଧାୟକ ଆଦିତ୍ଯ ମାଢି ପ୍ରମୁଖ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ମାଲକାନଗିରି ଜିଲ୍ଲାରୁ ପ୍ରଥମେ ମୁଖ୍ଯ ମନ୍ତ୍ରୀ ଟଙ୍କାକିଆ ଚାଉଳର ଶୁଭାରମ୍ଭ କରିଥିଲେ । ଆଜି ମଧ୍ଯ ଏହି ହେଲଥ କାର୍ଡ ବଣ୍ଟନ ପ୍ରଥମେ ମାଲକାନଗିରି ଜିଲ୍ଲାରୁ କରିବା ପ୍ରସଙ୍ଗରେ ସ୍ଥାନୀୟ ନେତାମାନେ ମୁଖ୍ଯ ମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।ମାଲକାନଗିରିରେ ସାତ ତାଲା ବିଶିଷ୍ଠ ନୂତନ ମେଡିକାଲ ପ୍ରତିଷ୍ଠା କରିବା, ଗୁରୁପ୍ରିୟା ସେତୁ ନିର୍ମାଣ କରି ବିଛିନ୍ନାଞ୍ଚଳକୁ ସ୍ବଭିମାନ ଅଞ୍ଚଳରେ ପରିଣତ କରିବା ଏବଂ ମାଲକାନଗିରି ଜିଲ୍ଲାରେ ଗମନାଗମନ,ପାନୀୟ ଜଳ, ଶିକ୍ଷା,କୃଷିର ବିକାଶ ଦିଗରେ ଆଲୋକପାତ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)