ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ ପୁଅକୁ ହାଣି ମାଟିରେ ପୋତିଦେଲା ।

0 2,015

ଖଲ୍ଲିକୋଟ,ତା- ୧୯/୦୬(ପିପିଟି); ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତିରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ଯ  ଖେଳାଇଦେଇଛି । ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମରେ । ଗୋପପୁର ହରିଜନ ସାହିର ଦୁଇତା ନାହାକ(୫୫)ଜଣେ ଶ୍ରମଜୀବୀ ମହିଳା । ସ୍ୱାମୀ ଇନ୍ଦ୍ର ନାହାକ ୧୦ ବର୍ଷ ତଳେ ପରଲୋକ ଗମନ କରିଛନ୍ତି ।ଦୁଇ ପୁଅ ସୁକୁରିଆ ନାହାକ ଓ ଧନୁ ନାହାକ । ସାନ ପୁଅ ଧନୁ ସୁରତ ରେ କାମ କରୁଥିବା ବେଳେ ବଡ଼ ପୁଅ ସୁକୁରିଆ ଗ୍ରାମରେ ରହୁଥିଲେ । ସୁକୁରିଆ ସବୁବେଳେ ମଦ୍ୟପାନ କରି ମାଆକୁ ମାଡ଼ ମାରୁଥିବା ବେଳେ ଗ୍ରାମବାସୀଙ୍କ ସହ ମଧ୍ୟ ଗଣ୍ଡଗୋଳ କରେ । ସମସ୍ତେ ତାର ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ । ସାନ ପୁଅ ଧନୁ ଗତ କିଛି ଦିନ ତଳେ ସୁରଟରୁ ଫେରି କଞ୍ଚଣା ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଆସିଥିଲା । ଗତକାଲି ରାତିରେ ସୁକୁରିଆ ମାଆକୁ ଖାଇବା ପାଇଁ ମାଗି ପ୍ରବଳ ମାଡ଼ ମାରିଥିଲା । ସେ ଖାଇବା ପରେ ମଦ ନିଶାରେ ସୋଇପଡିଥିଲା । ମାଡ଼ ଖାଇ ଖାଇ ଅତିଷ୍ଠ ହୋଇପଡିଥିବା ମାଆ ଦୁଇତା ଘରେ ଥିବା ଏକ ଧାରୁଆ କାତି ସାହାଯ୍ୟ ରେ ସୁକୁରିଆ ର ମୁଣ୍ଡ, ଛାତି, ହାତ, ଗୋଡ଼ ପ୍ରଭୃତି ସ୍ଥାନକୁ ହାଣି ଦେଇଥିଲେ । ଫଳରେ ଶୋଇବା ଘରେ ତାର ମୃତ୍ୟୁ ହୋଇଥିଲା । ସୁକୁରିଆ ମରିଯିବା ପରେ ତାର ମୃତ ଦେହକୁ ଘର ପଛ ପଟେ ମାଟି ଖୋଳି ପୋତିଦେଇଥିଲା । ସେହି ସାହିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଶୋଇଥିବା ସାନ ପୁଅ ଧନୁ ସକାଳୁ ଆସି ମାଆକୁ ଭାଇ ସମ୍ପର୍କରେ ପଚାରିବାରୁ ମାଆ ସବୁକଥା କହି ଦେଇଥିଲେ । ଧନୁ ଏ ସମ୍ପର୍କରେ ଖଲ୍ଲିକୋଟ ପୋଲିସକୁ ଜଣାଇବା ପରେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସ୍.ଆଇ. ସିଲୁ ଧଳ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ଆଗରେ ମାଆ ଦୁଇତା ସବୁକଥା ମାନି ଯାଇଥିଲା । ଖଲ୍ଲିକୋଟ ତହସିଲଦାର ତଥା ଏକଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଚକ୍ରଧର ପାଢ଼ୀଙ୍କ ଉପସ୍ଥିତରେ ମୃତ ଦେହକୁ ମାଟି ଭିତରୁ ବାହାର କରିଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ କରି ହତ୍ୟାରେ ବ୍ୟବହୃତ କାତିକୁ ଜବତ କରିଥିଲା ପୋଲିସ । ମାଆକୁ ଗିରଫ କରାଯିବା ସହ ସାନ ପୁଅ ଧନୁ କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୨୩୮/୨୦୨୦ ଦଫା ୩୦୨,୨୦୧,ଆଇ ପି ସି ଅନୁସାରେ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.