ପୋଲସରା, ୨୦/୦୯(ପିପିଟି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ଉକ୍ତ ପାର୍ଟିର ଶହ ଶହ କର୍ମୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲେ । ସେଠାରୁ ଯାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆରମ୍ଭରେ ଏହି ପାର୍ଟି ର ପୋଲସରା ଆଞ୍ଚଳିକ ସମ୍ପାଦକ ଦଣ୍ଡପାଣି ସାମଲ , ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଏବଂ ଅଖିଳ ଭାରତ ଯୁବକ ସଂଘର ରାଜ୍ୟ ସଭାପତି ପ୍ରଦୀପ ସେଠୀ ପ୍ରମୁଖ ଉପସ୍ଥିତ କର୍ମୀ ମାନଙ୍କୁ ଉଦବୋଧନ ଦେଇ ପୋଲସରା ଅଞ୍ଚଳର ବିକାଶ ଭାଷଣରେ ହୋଇଛି ବୋଲି କହିବା ସହିତ ନିର୍ମାଣ ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ , ଶିକ୍ଷା , ଝିଅ ବାହାଘର , ନିର୍ମାଣ ଶ୍ରମିକ ଆବାସ ଏବଂ ତାଲିମ କାଳୀନ ପ୍ରୋତ୍ସାହନ ରାଶି ଦିର୍ଘ ବର୍ଷ ହେଲା ମିଳି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏବଂ ଯଥାଶୀଘ୍ର ଏହି ସବୁ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଅଚଳ କରିଦେବେ ବୋଲି ଚେତାବନୀ ଦେଇଥିଲେ। ତେବେ ପୋଲସରା ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ ବିକ୍ଷୋଭ ସ୍ଥାନକୁ ଆସି ତାଙ୍କ ଦ୍ଵାରା ଯେଉଁ ସବୁ କାର୍ଯ୍ୟ ସମ୍ଭବ ଖୁବ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ କାରି କମ୍ୟୁନିଷ୍ଟ କର୍ମୀ ମାନେ ବିକ୍ଷୋଭ ରୁ ଓହରି ଥିଲେ। ସର୍ବଶ୍ରୀ ହରି ହର ପାତ୍ର , ଗଣପତି ସାହୁ, ତ୍ରିନାଥ ସାମଲ, ଦୁର୍ଯ୍ୟୋଧନ ରାଉତ , ଲକ୍ଷ୍ମୀ ପାତ୍ର , ସୀମା ପାତ୍ର , ଜ୍ୟୋତ୍ସ୍ନା ମହାରଣା , ନମିତା ମହାପାତ୍ର , ନଗରବାସି ପ୍ରଧାନ , ରବୀନ୍ଦ୍ର ଜେନା , ଧୋବା ନାହାକ , ରୁନୁ ମହାରଣା ଓ କୃତିବାସ ପ୍ରମୁଖ ଶୋଭାଯାତ୍ରା ଓ ବିକ୍ଷୋଭର ନେତୃତ୍ବ ନେଇଥିଲେ।
(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା)