ବାଳିକାମାନଙ୍କୁ ସନ୍ତରଣ ଓ ଜୀବନ ରକ୍ଷା କୌଶଳ ପ୍ରଶିକ୍ଷଣ ।

0 180

ମାଲକାନଗିରି, ୦୭/୦୪(ପିପିଟି):ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସାହସୀ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥାନୀୟ ବଣ୍ଡାବାକୁଲି ବନ୍ଧଠାରେ ବାଳିକାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ତରଣ ଓ ସ୍ୱୟଂ ପ୍ରତିରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ
ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଛନ୍ତି ଯେ, ବାଳିକାମାନଙ୍କ ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସନ୍ତରଣ କେବଳ ଏକ ବ୍ୟାୟାମ ନୁହେଁ ବରଂ ଏହା ଏକ ଜୀବନ ରକ୍ଷାକାରୀ କୌଶଳ। ଏହି ପ୍ରଶିକ୍ଷଣ ବାଳିକାମାନଙ୍କ ମନରେ ସାହସ ଓ ଆତ୍ମବିଶ୍ୱାସ ଭରିବ, ଯାହାଦ୍ୱାରା ସେମାନେ ଯେକୌଣସି ଆପଦକାଳୀନ ସ୍ଥିତିର ଦୃଢ଼ତାର ସହ ମୁକାବିଲା କରିପାରିବେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ୍ରାଫ ଟିମ୍‌ର ୨୦ ଜଣ ଅଭିଜ୍ଞ ପ୍ରଶିକ୍ଷକ ବାଳିକାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଏହି ପ୍ରଶିକ୍ଷଣ ଶିବିରରେ ପ୍ରତି ବ୍ୟାଚ୍‌ରେ ୩୦ ଜଣ ବାଳିକା ଅଂଶଗ୍ରହଣ କରୁଥିବା ବେଳେ ଏହା ୭ ଦିନ ବ୍ୟାପୀ ଚାଲିବ। ଏଥିରେ ମୁଖ୍ୟତଃ ସନ୍ତରଣ ଏବଂ ବୁଡ଼ିଯିବା ସମୟରେ ଜୀବନ ରକ୍ଷା କରିବାର ବିଭିନ୍ନ କୌଶଳ ଶିକ୍ଷା ଦିଆଯାଉଛି।ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଏସଡିପିଓ ଦିବ୍ଯଜ୍ୟୋତି ଦଳେଇ ଏବଂ ଡେପୁଟି କଲେକ୍ଟର ଜରୁରୀ କାଳୀନ ଦୀପ୍ତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବାଳିକାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଆପଦକାଳୀନ ପରିସ୍ଥିତିରେ ନିଜର ଓ ଅନ୍ୟର ଜୀବନ ରକ୍ଷା କରିବାରେ ଏହି ପ୍ରଶିକ୍ଷଣ ବେଶ ସହାୟକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବରିଷ୍ଠ ରାଜସ୍ବ ସହାୟକ କୁନା ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.