ବରୀ ରାଜନୀତି , ବିଜେପି ଓ କଂଗ୍ରେସ ଲେଉଟାଣିରେ ବ୍ୟାକଫୁଟକୁ ଯାଉଛି ବିଜେଡି ! ଏବେବି ଦେବାଶିଷଙ୍କ ପ୍ରତି ବରୀବାସୀଙ୍କ ଭଲପାଇବା ଅତୁଟ ।

0 300
ଯାଜପୁର,୦୬/୦୬,ଯାଜପୁର ନିର୍ବାଚନକୁ ବର୍ଷ ପୁରିଛି । ଏହି ବର୍ଷକ ମଧ୍ୟରେ ବରୀରେ ବହୁ ରାଜନୈତିକ ଗତିବିଧି ଦେଖିବାକୁ ମଧ୍ୟ ମିଳିଛି । ନିର୍ବାଚନକୁ ବର୍ଷ ପୁରିବା ପରେ ବିଜେପି ଓ କଂଗ୍ରେସ ଲେଉଟାଣି ଦେଇଥିଲାବେଳେ ବିଜେଡି ଝୁଂଟିବା ଆରମ୍ଭ କଲାଣି । ଆଗକୁ ବିଜେଡି ପାଇଁ ବରୀରେ କଂଟକିତ ପଥ ପ୍ରସ୍ତୁତ କରୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନିର୍ବାଚନ ସମୟରେ ବରୀ ପଂଚାୟତ ସମିତିର ଅଧ୍ୟକ୍ଷା ପଦଭାର ସମ୍ଭାଳୁଥିବା ଏବର ବିଧାୟିକା ସୁନନ୍ଦା ଦାସ ଅଧ୍ୟକ୍ଷା ପଦରୁ ଇସ୍ଥଫା ଦେଲାପରେ ବିଜେପି ଅଧିନରେ ଥିବା ବରୀ ପଂଚାୟତ ସମିତିକୁ ବିଜେଡି କରାୟତ କରିବ ବୋଲି ଆଲୋଚନା ଆରମ୍ଭ ହୋଇଥିଲା । ନୂଆ ବିଧାୟିକା ହୋଇଥିବାରୁ ଓ ମୁଣ୍ଡ ଉପରେ ଦଳର ଅନ୍ୟତମ କ୍ଷମତାକେନ୍ଦ୍ରର ହାତ ଥିବାରୁ ବିଜେପି ହାତରୁ ବରୀ ପଂଚାୟତ ସମିତିକୁ ବିଜେଡି ଛଡାଇ ନେବ ବୋଲି ଆଲୋଚନା ଆରମ୍ଭ ହୋଇଥିଲା । ହେଲେ ବରୀ ରାଜନୀତିରେ ଯୁବ ବିଜେପି ନେତା ବିଶ୍ୱରଞ୍ଜନଙ୍କର ଯେ କେତେ ଦବଦବା ତାହା ପୁନର୍ବାର ପ୍ରମାଣିତ ହୋଇଥିଲା ଯେତେବେଳେ ସମିତିକୁ ପୁନର୍ବାର ବିଜେପି ଦଖଲ କରିଥିଲା ଓ ସୁବାସିନୀ ଶର୍ମା ଅଧ୍ୟକ୍ଷା ହୋଇଥିଲେ । ପରିସ୍ଥିତି ଏପରି ହେଲା ଶାସକ ବିଜେଡି ନିର୍ବାଚନରେ ପ୍ରାର୍ଥୀ ଦେବାକୁ ବି ପଛଘୁଂଚା ଦେଲା । ଏହା ପରେ ବରୀ ରାଜନୀତିରେ ଏକ ପ୍ରକାର ଶିଥିଳତା ଦେଖାଦେଲା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ନୀରବ ହୋଇଗଲେ । ରାଜନୈତିକ ବିରୋଧ ନରହିବା କାରଣରୁ ବିଜେଡିର ମନମାନି ଆରମ୍ଭ ହେଲା । ବୁଲବୁଲ ବାତ୍ୟା ସହାୟତା ପାଇଁ ବ୍ଲକକୁ ଆସିଥିବା ୪ କୋଟି ୨୯ ଲକ୍ଷ ଟଙ୍କାର ସହାୟତା ରାଶିକୁ ବିଜେଡି ନିଜ କର୍ମୀଙ୍କ ମଧ୍ୟରେ ବାଂଟି ଦେଇଥିଲା । ଯାହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେପି । ଯାହାର ଫଳ ସ୍ୱରୁପ ଉଚ୍ଚ ନ୍ୟାୟାଳୟ ଏହି କାମ ଉପରେ ନିକଟରେ ରୋକ ଲଗାଇଛନ୍ତି । ବିଜେପି ଓ କଂଗ୍ରେସର ନୀରବତାର ସୂଯୋଗ ନେଇ ବିଜେଡି ନିଜର କ୍ଷମତା ଜାହିର କରିବା ବେଳେ ବହୁ ସ୍ଥାନରେ ନିଜର ପ୍ରଭାବ ଦେଖାଇବାକୁ ଯାଇ ବିଧାୟିକାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଅପଦସ୍ତ ହେଲା ପର୍ଯ୍ୟନ୍ତ କଥା ଯାଇଛି । ଏକ ଦଳିତ ହୋମଗାର୍ଡଙ୍କୁ ଚପଲରେ ମାରିବା ସହିତ ହତ୍ୟା ଧମକ ଦେବା ତାଙ୍କ ପାଇଁ ମହଙ୍ଗା ହୋଇଛି । ଏହିପରି ଭାବେ ବରୀ ରାଜନୀତିକୁ ବର୍ଷେ ବିତିବାକୁ ଯାଉଥିଲାବେଳେ କରୋନାର ଆତଙ୍କରେ ସାରା ବିଶ୍ୱ ଆତଙ୍କିତ ହେବା ସହିତ ଆମ ରାଜ୍ୟ ଓ ବରୀ ମଧ୍ୟ ସେଥିରୁ ବାଦ ପଡିନଥିଲା । କରୋନାକୁ ପ୍ରତିହତ କରିବା ପାଇଁ ସରକାର ହଠାତ ଲକ ଡାଉନ ଘୋଷଣା କରିବାରୁ ସବୁ ବନ୍ଦ ହୋଇ ଯାଇଥିଲା । ଫଳରେ ବହୁ ଗରିବ ଘଟିଖିଆ, ବ୍ୟବସାୟୀ, ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଭୟ ଆଉ ଭୋକରେ ଲୋକ ଜୀବନ ବଂଚୁଥିଲାବେଳେ କଂଗ୍ରେସ ଯୁବନେତା ଉମେଶ ଜେନା ପ୍ରଥମେ ସହାୟତାର ହାତ ବଢାଇଥିଲେ ବରୀବାସୀଙ୍କୁ । ମାକ୍ସ ଓ ସାନିଟାଇଜର ବଂଟନ କରି ଲୋକଙ୍କୁ ସଚେତନ କରିବା ସହିତ ଲୋକମାନଙ୍କ ପାଖକୁ ଯାଇଥିଲେ । ସେତେବେଳ ପର୍ଯ୍ୟନ୍ତ ଶାସକ ବିଜେଡି ପକ୍ଷରୁ କୈାଣସି କାର୍ଯ୍ୟକ୍ରମ ହୋଇ ନଥିଲାବେଳେ ବିଧାୟିକା କିମ୍ବା ଅନ୍ୟ ନେତୃତ୍ୱ ଜନସାଧାରଣଙ୍କ ନିକଟରେ ପହଂଚିନଥିଲେ । ଅନ୍ୟ ପକ୍ଷରେ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ ମଧ୍ୟ ବରୀବାସୀଙ୍କ ନିକଟତର ହେବା ସହିତ ସଚେତନ କାର୍ଯ୍ୟକ୍ରମ ଓ ସହାୟତା ପ୍ରଦାନ ଆରମ୍ଭ କରିଥିଲେ । ଉଭୟ ଯୁବନେତାଙ୍କ ତୋଫାନୀ ବରୀଗସ୍ତକୁ ନେଇ ବିଜେଡି ଶିବିରରେ ଭାଳେଣି ପଡିଥିଲାବେଳେ ଦୀର୍ଘଦିନ ଅନ୍ତରାଳରେ ବିଧାୟିକା ପହଂଚିଥିଲେ ବରୀରେ । ପ୍ରଥମେ ଅଟୋଚାଳକଙ୍କୁ ଖାଦ୍ୟ ପୁଡିଆ ଦେଇ ସହାୟତା କରିବାକୁ ଉଦ୍ୟମ କରିଥିଲାବେଳେ ତାଙ୍କୁ ଚେକ ଦେଇଥିଲେ ବିଜେପି ନେତା ବିଶ୍ୱରଞ୍ଜନ ଓ କଂଗ୍ରେସ ନେତା ଉମେଶ । କେବଳ ଗୋଟିଏ ଗୋଷ୍ଠିକୁ ସହାୟତା ପ୍ରଦାନ ବଦଳରେ ବିଭିନ୍ନ ବର୍ଗ ଓ କଂଟେନମେଂଟ ଜୋନରେ ଖାଦ୍ୟ ବଂଟନ କରିଥିଲେ । ଏହା ପରେ ଉଭୟ ନିଜର ସହାୟତାକୁ ବେଶ ତୀବ୍ର କରି ବରୀ ନିର୍ବାଚନ ମଣ୍ଡଳୀ ସାରା ନିଜନିଜ କାର୍ଯ୍ୟଧାରାକୁ ବିସ୍ତାର କରିଥିଲେ । ଉଭୟ ଯୁବନେତାଙ୍କ ନିରବତା ଭଙ୍ଗ ଓ ଆକ୍ରମଣାତ୍ମକ କାର୍ଯ୍ୟରେ ବିଜେଡି ଏକ ପ୍ରକାର ହଡବଡେଇ ଯିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବରୀର ପ୍ରାକ୍ତନ ବିଧାୟକ ଦେବାଶିଷ ନାୟକଙ୍କ କରୋନା ସଚେତନତା ପାଇଁ ଭିଡିଓ ବାର୍ତା କେବଳ ବରୀ ନୁହେଁ ସାରା ଜିଲାରେ ଭାଇରାଲ ହୋଇଥିଲା । ବରୀରେ ମଧ୍ୟ ଦେବାଶିଷଙ୍କ ଭିଡିଓ ବାର୍ତାକୁ ବିପୁଳ ସମର୍ଥନ ମିଳିବା ବରୀ ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ଉଭୟ ଯୁବନେତା ଓ ଅନ୍ୟପଟେ ବରୀରେ ୨୦ ବର୍ଷ ବିଧାୟକ ରହି ବରୀର ବିକାଶର ବାର୍ତାବହ ହୋଇଥିବା ଦେବାଶିଷଙ୍କ ନିରବତା ଭଙ୍ଗ ବରୀ ବିଜେଡିକୁ ନୀରବ କରି ଦେଇଥିଲା । ଠିକ ଏହି ସମୟରେ କଂଗ୍ରେସ ପକ୍ଷରୁ ଏକ ବର୍ଷ ମଧ୍ୟରେ ସରଳ ବରୀବାସୀଙ୍କୁ ବିଜେଡିର ବିଧାୟିକା ବିକାଶର ଧୁଆଁବାଣ ଦେଇଥିବା ଅଭିଯୋଗ ସହିତ ୧୩ଟି ପ୍ରଶ୍ନ କରାଯାଇଥିଲା । ହେଲେ ବିଜେଡି ପକ୍ଷରୁ କଂଗ୍ରେସକୁ ଉତର ଦେବା ଦେଖିବାକୁ ମିଳିଲାନାହିଁ । ମାତ୍ର ୭ ହଜାର ଭୋଟ ପାଇଥିବା କଂଗ୍ରେସ ନେତାଙ୍କ ପ୍ରଶ୍ନର ଉତର ନରଖି ତାକୁ ନୀରବରେ ଆଡଇ ଯିବାକୁ ବିଜେଡି ବୋଧହୁଏ ଯୋଜନା କରିଛି । ହେଲେ ଏହାକୁ ନେଇ ସୋସିଆଲ ମିଡିଆରେ କଂଗ୍ରେସ ପକ୍ଷରୁ ବିଧାୟିକା ଓ ବିଜେଡିକୁ ତୀବ୍ର ଆକ୍ଷେପ କରାଯାଇଥିଲାବେଳେ ସୋସିଆଲ ମିଡିଆରେ ବିଜେଡି ପଛରେ ପଡିଯାଇଛି । ଏପରି ସ୍ଥଳେ ବିଧାୟିକାଙ୍କ ଠାରୁ ମାତ୍ର ୪ ହଜାର ଭୋଟରେ ହାରିଥିବା ବିଜେପିର ବିଶ୍ୱରଞ୍ଜନ ଯଦି ବିଜେଡିକୁ ପ୍ରଶ୍ନ କରନ୍ତି ତେବେ ବିଜେଡିର ଅବସ୍ଥା କଣ ହେବା ତାହା ସ୍ପଷ୍ଟ ଅନୁମେୟ । ଅନ୍ୟ ପକ୍ଷରେ ନିର୍ବାଚନ ସମୟରେ ବିଜେଡି ଦଳ ପାଇଁ ଦିନରାତି ଏକ କରି କାମ କରିଥିବା ଓ ଦଳକୁ ବିଜୟୀ କରିଥିବା ନେତା ଓ କର୍ମୀ ଏବେ ଦଳଠାରୁ ଯୋଜନ ଯୋଜନ ଦୂରକୁ ଚାଲି ଯାଇଛନ୍ତି । ବିଜେପିକୁ ଓ କଂଗ୍ରେସକୁ ଦୁର୍ବଳ କରିବାକୁ ଏହି ଦଳର ନେତାଙ୍କୁ ଦଳକୁ ଆଣି ଆଗରେ ରଖିଛନ୍ତି କର୍ମୀଙ୍କ ଦ୍ୱାରା ନିଜକୁ ଦଳର ଚାଣକ୍ୟ ସଜାଇଥିବା ଦେବେନ୍ଦ୍ର ଦାସ । ଯାହା ଦଳ ମଧ୍ୟରେ ତୀବ୍ର ଗୋଷ୍ଠି ବିବାଦକୁ ଛିଡା କରାଇ ସାରିଛି । ପ୍ରକୃତ ବିଜେଡି ନେତା ଯେଉଁମାନେ ୨୦ ବର୍ଷ ହେଲା ଦଳ ପାଇଁ ଝାଳଦେଇ କାମ କରିଛନ୍ତି ସେମାନେ ଆଜି କୋଣଠେସା । ନିର୍ବାଚନରେ ଯେଉଁମାନେ ଦଳ ବିପକ୍ଷରେ ଥିଲେ ସେମାନେ ଆଜି ଦଳର ଆଗଧାଡିର ନେତା ବୋଲି ପୁରୁଖା ବିଜେଡି କର୍ମୀ ମତ ଦେଉଛନ୍ତି । ଫଳ ସ୍ୱରୁପ ବିଜେଡିର ବହୁ ନେତା ଓ କର୍ମୀ ଏବେ ବିଜେପି ଓ କଂଗ୍ରେସ ନେତାଙ୍କ ସଂପର୍କରେ ଅଛନ୍ତି । ବିଜେପି ଓ କଂଗ୍ରେସର ସାମାନ୍ୟ ଆକ୍ରମଣରେ ବିଜେଡି ବରୀ ନିର୍ବାଚନ ମଣ୍ଡଳୀରେ ଝୁଂଟିବାକୁ ଆରମ୍ଭ କରିଥିଲାବେଳେ ଦୁଇ ସମର୍ଥ ଯୁବନେତା ଆଗାମି ଦିନରେ ନିଜର ଆକ୍ରମଣକୁ ଆହୁରି ଶାଣିତ କଲେ ବିଜେଡିର ଅବସ୍ଥା କଣ ହେବ ତାହା ସ୍ପଷ୍ଟ ଅନୁମେୟ । କାରଣ ଉଭୟ ଯୁବନେତା ଏହି କାର୍ଯ୍ୟ କରିବାକୁ ସକ୍ଷମ ମଧ୍ୟ । ଏପରି ସ୍ଥଳେ ବିଜେଡି ଓ ଦଳର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ଦଳକୁ ଆସି ବିଧାୟିକା ହୋଇଥିବା ସୁନନ୍ଦା ଓ ତାଙ୍କ ସ୍ୱାମୀ ତଥା ଏବର ବରୀ ବିଜେଡିର ଚାଣକ୍ୟ ଦେବେନ୍ଦ୍ର ଦଳକୁ କେତେ ଆଗକୁ ନେବେ ଓ ସଂଗଠନକୁ ବଂଚାଇବେ ତାହା ସଂଦେହ ସୃଷ୍ଟି କରିଛି ।
Leave A Reply

Your email address will not be published.