ବନ୍ଧା ହେଲେ ୩ ଚୋର ଓ ସୁନା କିଣିଥିବା ବ୍ୟକ୍ତି,୨୩.୭୩୦ ଗ୍ରାମ ଅଳଙ୍କାର ଉଦ୍ଧାର, ବଳକା ସୁନା ଅଳଙ୍କାର ଉଦ୍ଧାର ପାଇଁ ପୁଲିସର ଛାନବିନ୍ ।

0 1,559

ବ୍ରହ୍ମପୁର,୧୪/୦୧(ପିପିଟି): ପୁଣି ସଦର ଥାନା ପୁଲିସକୁ ବଡ଼ ସଫଳତା । ଲୋଚାପଡା ବ୍ରଜନଗର ତୃତୀୟ ଲାଇନ୍‌ର ଅବସରପ୍ରାପ୍ତ ଶିକ୍ଷକ ଦମ୍ପତିଙ୍କ ଘରୁ ହୋଇଥିବା ବଡ ଧରଣର ଚୋରି ଘଟଣାରେ ସଦରଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ପୁଲିସ , ଦୁଇଟି ଚେନ୍ , ୫ଟି ମୁଦି , କାନଫୁଲ ସମେତ ମୋଟ ୨୩.୭୩୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଡେଙ୍ଗାପଦର ପୁଆଁପଡା ଗ୍ରାମର ଏସ. କାହ୍ନା (୨୫) , ଏସ. ଦେବେନ୍ଦ୍ର (୨୬) , ବାଲିପଡା ନିକଟ ଇନ୍ଦିରାଆବାସ ଗ୍ରାମର ଟି. କାମ୍ପ (୨୨) ଓ ଡେଙ୍ଗାପଦର ହରିଜନ ସାହିର ସଞ୍ଜୟ ନାୟକ (୫୦) । ଏହି ଚୋରି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଓ ବଳକା ସୁନା ଅଳଙ୍କାର ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଥିବା ସଦର ଏସଡ଼ିପିଓ ଶିବଶଙ୍କର ମହାପାତ୍ର ସୁଚନା ଦେଇଛନ୍ତି । ଖବରନୁସାରେ ଲୋଚାପଡା ବ୍ରଜନଗର ତୃତୀୟ ଲାଇନରେ ରହୁଥିବା ହରିକୃଷ୍ଣ ପୃଷ୍ଟି ଓ ତାଙ୍କ ପତ୍ନୀ ପଦ୍ମିନୀ ଦେବୀ ଡିସେମ୍ବର ମାସରେ ରାୟପୁର ସ୍ଥିତ ଝିଅ ଘରକୁ ଯାଇଥିଲେ। ତାଙ୍କର ଏକମାତ୍ର ପୁଅ ଭେଙ୍କେଟରମଣ ପୃଷ୍ଟି ଭୁବନେଶ୍ୱର ଏମ୍‌ସ ମେଡ଼ିକାଲରେ ଡାକ୍ତର ଭାବେ କାର୍ଯ୍ୟକରୁଥିବାରୁ ଘରେ ତାଲା ପଡ଼ିଥିଲା । ଯାହାକୁ ନଜର ରଖିଆସୁଥିଲେ ଏହି ଲୁଟେରା ଗ୍ୟାଙ୍ଗର କାହ୍ନା , ଦେବେନ୍ଦ୍ର , କାମ୍ପ । ସୁଯୋଗ ଦେଖି ଜାନୁଆରୀ ୧ ତାରିଖ ରାତିରେ ହରିକୃଷ୍ଣଙ୍କ ତାଲା ବନ୍ଦ ଘରର କବାଟ ଭାଙ୍ଗି ୩୦ ତୋଳା ସୁନା ଅଳଙ୍କାର ଓ ନଗଦ ୮/୧୦ ହଜାର ଚୋରି କରିଥିଲେ । କିନ୍ତୁ ବହୁ କମ୍ ଦିନରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସଦର ଥାନା ପୁଲିସ । ପରଦିନ ଅର୍ଥାତ ୨ତାରିଖ ଦିନ ସକାଳୁ ଘର ସଫେଇ କରିବାକୁ ଆସୁଥିବା ଚାକରାଣୀ ଘର କବାଟ ଭଙ୍ଗା ଯାଇଥିବା ​‌ଦେଖିବା ପରେ ଘଟଣା ସମ୍ପର୍କରେ ହରିକୃଷ୍ଣଙ୍କୁ ଜଣାଇଥିଲେ । ବାପାଙ୍କୁ ଠାରୁ ଖବର ପାଇ ଭୁବନେଶ୍ୱରରେ ରହୁଥିବା ପୁଅ ଭେଙ୍କେଟ ରମଣ ବ୍ରହ୍ମପୁର ପହଞ୍ଚିଥିଲେ । ଯାଞ୍ଚ ପରେ ଘର ଭିତରେ ଜନିଷପତ୍ର ଫିଙ୍ଗା ଫୋପଡ଼ା ହୋଇଥିବା ବେଳେ ଆଲମିରା ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘରେ ଥିବା ପ୍ରାୟ ୩୦ ତୋଳା ସୁନା ଅଳଙ୍କାର ଓ ନଗଦ ୮/୧୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଭେଙ୍କେଟ ରମଣ ସଦର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ୪/୨୨ରେ ଏକ ମାମଲା ରୁଜୁ କରାଯିବା ସହ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଥିଲା । ତଦନ୍ତ ବେଳେ ପୁଲିସ ୨୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତଙ୍କୁ ନେଇ ଥାନାରେ ପଚରାଉଚରା କରିଥିଲା । ଶେଷରେ ଏହି ବଡ ଧରଣର ଚୋରି ପଛରେ ଉପରୋକ୍ତ ୩ ଅଭିଯୁକ୍ତଙ୍କ ହାତ ରହିଥିବା ପୁଲିସ ସୁରାକ ପାଇଥିଲା । ଅଭିଯୁକ୍ତଙ୍କୁ ଆଣି ପଚରାଉଚରା ବେଳେ ସେମାନେ ଚୋରି କରିଥିବା ସ୍ବୀକାର କରିବା ସହ କିଛି ସୁନା ଅଳଙ୍କାର ଡେଙ୍ଗାପଦରର ସଞ୍ଜୟ ନାୟକଙ୍କୁ ବିକି ଥିବା ପୁଲିସକୁ ସୂଚନା ଦେଇଥିଲେ । ସେହିକ୍ରମରେ ପୁଲିସ ସଞ୍ଜୟଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ସୁନାଚେନ , ମୁଦି , କାନଫୁଲକୁ ମିଶାଇ ମୋଟ ୨୩.୭୩୦ ଗ୍ରାମ ସୁନା ଅଳଙ୍କାର ଉଦ୍ଧାର କରିଥିଲା । ଅଭିଯୁକ୍ତମାନେ ଆଉ କିଛି ଜଣଙ୍କୁ ଚୋରି ସୁନା ବିକିଥିବା ପୁଲିସ ଜାଣିବାକୁ ପାଇଛି ପୋଲିସ । ଖୁବଶୀଘ୍ର ବଳକା ସୁନା ଉଦ୍ଧାର କରାଯିବା ସହ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ସୁଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି କି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସମେତ ଏହି ମାମଲାରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିପାରିଛି । ତେଣୁ ସେ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.