ମାଲକାନଗିରି,୧୦/୦୧(ପିପିଟି): ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ନିକଟସ୍ଥ ବଡ଼ପଡା ଠାରେ ଏକ ନୂତନ କୋଭିଡ କେୟାର ସେଣ୍ଟରକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ କର କମଳରେ ଉଦଘାଟିତ ହେୀଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ସିଡିଏମଓ ଡକ୍ଟର ପ୍ରଫୁଲ୍ଲ କୁମାର ନନ୍ଦ,ବିଡିଓ ରାହୁଲ ମଣ୍ଡଳ,ଚିତ୍ରକୋଣ୍ଡା ମେଡିକାଲ ଅଫିସର କ୍ଷୀରୋଦ ଚନ୍ଦ୍ର ମହନ୍ତ, କୁଡୁମୁଳୁଗୁମ୍ମା ମେଡିକାଲ ଅଫିସର ସନ୍ତୋଷ କୁମାର ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ଏହି ମେଡ଼ିକାଲକୁ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ନିର୍ମାଣ କରାଯାଇଛି। ୨ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ଅତ୍ୟାଧୁନିକ ଆକର୍ଷଣୀୟ ମେଡିକାଲ ନିର୍ମାଣ ହେବା ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ। ଏହି ମେଡିକାଲରେ ୫୦ ଟି ଶଯ୍ୟା ରୋଗୀଙ୍କ ପାଇଁ ଉପଲବ୍ଧ ରହିଥିବା ବେଳେ ଚାରି ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି ।ପ୍ରତି ଓ୍ବାର୍ଡରେ ଶୀତତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଛି। ଅକ୍ସିଜେନ ବ୍ୟବସ୍ଥା ସହ ଭେଣ୍ଟିଲେଟର ସୁବିଧା ରହିଛି । ଡାକ୍ତର ଓ ନର୍ସ ରହିବା ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ରହିଛି । ରୋଗୀ ଏବଂ କର୍ମଚାରୀମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ଉକ୍ତ ମେଡିକାଲକୁ କେବଳ ଆମେରିକାନ ଇଣ୍ଡିଆନ ଫାଉଣ୍ଡେଶନ ପକ୍ଷରୁ ନିର୍ମାଣ ସୁବିଧା ଯୋଗାଇ ଦିଆଯାଇଛି । କେବଳ ପାରାମେଡିକାଲ ଷ୍ଟାଫ୍ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଗଦେଇଛନ୍ତି। ଅତିଥିମାନେ ତାଙ୍କ ବକ୍ତବ୍ଯରେ ପ୍ରକାଶ କରିଛନ୍ତ ଯେ, ପୂର୍ବରୁ ସ୍ୱାସ୍ଥ୍ୟ ସେବା ନେଇ ସ୍ବାଭିମାନ ଅଞ୍ଚଳବାସୀ ଅନେକ ବାଧାବିଘ୍ନର ସାମ୍ନା କରିବା ସହିତ ଅତ୍ୟାଧିକ ଖର୍ଚ୍ଚାନ୍ତ ହୋଇ ମାଲକାନଗିରି ଏବଂ କୋରାପୁଟ ଆଦି ସହରକୁ ଚିକିତ୍ସା ନିମନ୍ତେ ଯାଉଥିଲେ । ତାହା ଏବେ ବଡ଼ପଡା ମେଡିକାଲରେ ରୋଗୀମାନଙ୍କୁ ସମସ୍ତ ସୁବିଧା ମିଳିବ ବୋଲି ପ୍ରକାଶ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)