ରାୟଗଡା,୨୭/୦୬(ପିପିଟି); ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଚାଂଚଡ଼ାଗୁଡା ଗ୍ରାମପଞ୍ଚାୟତ କେରାଣ୍ଡିଗୁଡା ଗ୍ରାମଠାରେ ବଜ୍ରାଘାତ ଯୋଗୁଁ ଗୋଟିଏ ପରିବାରର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ଆଜି ଅପରାହ୍ନ ୩ଟା ସମୟରେ କେରାଣ୍ଡିଗୁଡାରେ କାଳିପଙ୍ଗାଗ୍ରାମର ବୁର୍ଷା ମିଣିଆକା ଓତାଙ୍କ ପତ୍ନୀ ରାମୀ ମିଣିଆକା, ପୁଅ କାଶୀରାମ ମିଣିଆକା ଏବଂ ବୋହୁ ମାଳା ମିନିଆକା ଚାଷକରିବା ଉଦେଶ୍ୟରେ କେରାଣ୍ଡିଗୁଡାଠାରେ ଥିବା ଜଙ୍ଗଲର ଲଟା ସଫା କରିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ। ଏହି ଆକସ୍ମିକ ଦୁର୍ଘଟଣା ଯୋଗୁଁ ବୁର୍ଷା ଏବଂ ତାଙ୍କ ପତ୍ନୀ ରାମୀ ମିଣିଆକା ସେଠାରେ ନିଜ ପ୍ରାଣ ହରାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଖବରପାଇ ମେଡିକାଲ ଟିମ୍ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ୬୫ ବର୍ଷୀୟ ବାପା ବୁର୍ଷା ଏବଂ ୫୫ ବର୍ଷୀୟ ମା ରାମୀ ମୃତ୍ୟୁ ବରଣ କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ଅନ୍ୟ ଦୁଇ ଆହତ କାଶୀରାମ ଏବଂ ମାଳାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ଅଧିକ ଚିକିତ୍ସା ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କ ଅନୁସାରେ ବୁର୍ଷା ଚାଷ କରି ନିଜ ପରିବାରର ପେଟ ପୋଷଣ କରିଥାନ୍ତି,ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅବସ୍ଥା ଅତି ଦୟନୀୟ ହୋଇପଡିବ ବୋଲି ଗ୍ରାମର ମହେନ୍ଦ୍ର ନାଉରି ପ୍ରକାଶ କରିଛନ୍ତି । ଅନ୍ୟ ପଟେ ବୁର୍ଷାଙ୍କ ପୁଅ, ବୋହୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଥିବା ଯୋଗୁଁ ତାଙ୍କ ପରିବାର ନିମନ୍ତେ ପ୍ରଶାସନିକ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।
(ରିପୋର୍ଟ- ନବୀନ ନାୟକ ବେହେରା। )