ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ ।

0 280

ଦିଗପହଣ୍ଡି,(ପିପିଟି)୦୬/୦୬,ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ମାଡରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରନୁଯାୟୀ , ଶନିବାର ଦିନ ଗୋପୀନାଥପୁର ଗ୍ରାମର ପୂର୍ଣ୍ଣ ନାଇକ ନାମକ ଜଣେ ଯୁବକ ନିଜର ଗାଈମାନଙ୍କୁ ସବୁଦିନ ଭଳି ଗ୍ରାମ ନିକଟସ୍ଥ ଖୋଲା ପଡ଼ିଆକୁ ଚରାଇବାକୁ ନେଇଥିଲେ । କିନ୍ତୁ ହଠାତ ଅପରାହ୍ନରେ ଆକାଶରେ କଳା ବାଦଲ ଘୋଟି ଆସି ପ୍ରବଳ ବର୍ଷା ସହ ବଡବଡ ଘଡଘଡି ମାରିଥିଲା । ପୂର୍ଣ୍ଣ ନିଜ ପରିବାର ପେଟ ପୋଷଣ କରୁଥିବା ଗାଇପଲକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଏକ ଗଛ ମୂଳକୁ ନେଇଯାଇଥିଲା । ଯାହାଫଳରେ କିଛି ସମୟପରେ ଏହି ବଜ୍ରପାତ ମାଡରେ ୭ ଟି ଗାଇ ସହ ୨ ବାଛୁରୀ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ଘଟଣାପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ମୋହନ ଶବର ଓ ଗ୍ରାମବାସୀ ପହଞ୍ଚି ଭ୍ରମରପୁର ରାଜସ୍ବ ନିରୀକ୍ଷକ ସନାତନ ରଣାଙ୍କୁ ଖବର ଦେଇଥିଲେ । ଏହା ପରେ ତହସିଲଦାର ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଆରଆଇ ଶ୍ରୀ ରଣା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖି ଥିଲେ । ତେବେ ପୂର୍ଣ୍ଣ ନିହାତି ଜଣେ ଗରିବ ହୋଇଥିବା ଯୋଗୁଁ ମୃତ୍ୟୁବରଣ କରିଥିବା ଗାଈମାନଙ୍କ ଆକଳନ କ୍ଷତି ଦେବା ସହ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।
ରିପୋର୍ଟ – ସାଇଦୀପ ପୂଜାରୀ ।

Leave A Reply

Your email address will not be published.