ଭଞ୍ଜନଗର,୨୦/୧୦(ପିପିଟି): ଗୁଜୁରାଟର ସୁରଟ ସମେତ ଅନ୍ୟ କେତେକ ସ୍ଥାନରୁ ଚିଟଫଣ୍ଡ ଭଳି ବହୁ ସଂସ୍ଥା ସାଧାରଣ ଗରୀବ ଓ ଅସହାୟ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ଲୁଟି ନେଇଥିବା ବେଳେ ଆଉ କେତେକ ଦୁର୍ଦ୍ଦାନ୍ତ ଅପରାଧୀ ସେଠାରେ ବିଭିନ୍ନ ପ୍ରକାର ଅପରାଧ ଘଟାଇ ଫେରାର ହୋଇ ନିଜ ଗ୍ରାମକୁ ଚାଲି ଆସିଛନ୍ତି। ସେମାନଙ୍କୁ ଧରିବା ପାଇଁ ଗୁଜୁରାଟ ପୋଲିସ ଡ଼ିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଏକ ୯ଜଣିଆ ଟିମ ଆସି ଭଞ୍ଜନଗର ଠାରେ ପହଞ୍ଚିଛି। ଏହି ଟିମ ସବ ଇନିସ୍ପେକ୍ଟର ମନୋଜ ଚୌହାନଙ୍କ ନେତୃତ୍ୱରେ ୨ଜଣ ଏଏସଆଇ ସମେତ ଅନ୍ୟ ପୋଲିସ କର୍ମଚାରୀ ଫେରାର ଥିବା ଓଡ଼ିଶାର ବହୁ ଅପରାଧୀଙ୍କୁ ଧରିବା ପାଇଁ ଆସିଥିବା ଜଣାପଡିଛି। ବୁଧବାର ଭଞ୍ଜନଗର ପୋଲିସ ସହଯୋଗରେ ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ।ସେଥିମଧ୍ୟରେ ଏକ ଚିଟଫଣ୍ଡ କମ୍ପାନୀର ମାଲିକଙ୍କ ବେଲଗୁଣ୍ଠା ବ୍ଲକ ନୂଆଗାଁ ସ୍ଥିତ ଘରେ ଓ ଭଞ୍ଜନଗର ନୂଆ ସାହିରେ ଥିବା ବାସଭବନରେ ଚଢ଼ାଉ କରିଥିଲେ ଏବଂ ତାଙ୍କର ପରିବାର ଲୋକଙ୍କୁ ମଧ୍ୟ ଏସମ୍ପର୍କରେ ପଚରା ଉଚରା କରିଥିଲେ।ଏଥିସହ ଆଉ କେତେକ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଧରିବା ପାଇଁ ଟାର୍ଗେଟ କରିଥିଲେ।ହେଲେ ତଦନ୍ତରେ ବାଧା ଉପୁଜିବା କାରଣରୁ ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )