ପ୍ରଶାସନର କଡା ନଜରରେ ଭୁବନେଶ୍ବର ଫେରନ୍ତା ।

0 128

ଛତ୍ରପୁର, ତା.୬.୪ ଭୁବନେଶ୍ବରରେ କରୋନାର ଭୟାବହତାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଭୁବନେଶ୍ବର ଫେରନ୍ତା ବ୍ୟକ୍ତି ମାନଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶଜାରି କରିଛନ୍ତି  । ଏହି ମର୍ମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ କ୍ବାରେଣ୍ଟାଇନ୍ ରେ ରଖିବା ପାଇଁ କହିଛନ୍ତି  । ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତନଖି ଜୋରଦାର ଚାଲିଥିବା ସ୍ଥଳେ ଅନ୍ୟାନ୍ୟ କଚ୍ଚା ସଡକ ଉପରେ ଦୃଢ ନଜର ରଖିବାପାଇଁ କୁହାଯାଇଛି  । ଯେଉଁ ମାନଙ୍କୁ ନିଜ ଘରେ କ୍ବାରେଣ୍ଟାଇନ୍ ରେ ରହିବାପାଇଁ  ଅସୁବିଧା ହେଉଛି ସେମାନଙ୍କୁ ଆନୁଷ୍ଠାନିକ କ୍ବାରେଣ୍ଟାଇନ୍ ରେ ରଖାଯିବ  । ଜିଲ୍ଲାର ଅତ୍ୟାବଶ୍ୟକୀୟ ସାମଗ୍ରୀ କାରବାର ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ  । ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ  ପରଦିନ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ  । ଏହି ସମୟ ମଧ୍ୟରେ ବାହାରେ ଦେଖିଲେ ପୋଲିସ୍ କାଙ୍କୁ ଉଠାଇବ  । ପ୍ରତ୍ୟେକ ଦୋକାନୀ ଗ୍ରାହକ ମାନଙ୍କୁ ନିର୍ଦ୍ଧାରିତ ଦୂରତ୍ବରେ ରହିବାପାଇଁ ବ୍ୟବସ୍ଥା କରିବେ  । ନଚେତ୍ ସେମାନଙ୍କ ନାଁରେ ମୋକଦ୍ଦମା ସହିତ ଦୋକାନରେ ତାଲା ଲଗାଯିବ  । ପ୍ରତ୍ୟେକ ବ୍ୟକ୍ତି ବାହାରକୁ ବାହାରିଲେ ନାକ ମୁହଁକୁ ରୁମାଲ, ଗାମୁଛା, ଟିସୁ ପେପର, ମାସ୍କ, ଓଢଣୀ କିମ୍ବା ଅନ୍ୟ କୌଣସି ପ୍ରକାରେ ଆବୃତ୍ତ କରିବେ  । ମୁହଁ ଖୋଲା ଥିଲେ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ୫୦୦ ଟଙ୍କା ଜୋରିମାନା କରିବେ  । ସରକାରୀ କର୍ମଚାରୀ ମାନଙ୍କୁ ସ୍ବତନ୍ତ୍ର ମାସ୍କ ଦେବାପାଇଁ ଜିଲ୍ଲା ପ୍ରଶାସନ ବିଚାର କରୁଛି  । ସାଧାରଣ ବଣ୍ଟନ କାର୍ଯ୍ୟକ୍ରମ ଓ ବିଭିନ୍ନ ଭତ୍ତା ବଣ୍ଟନରେ ସାମାଜିକ ଦୂରତ୍ବ ସୁନିଶ୍ଚିତ କରାଯିବ . । କୌଣସି ସ୍ଥାନରେ ବ୍ୟତିକ୍ରମ ହେଲେ ସଂପୃକ୍ତ ବିଡିଓ ଅଥବା ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରାଯିବ  । ଜିଲ୍ଲାରେ ପ୍ରତ୍ୟେକ ବ୍ଲକ୍ ରେ ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନସିବୁଲ୍ ଟିମ୍ ଆନୁସଙ୍ଗିକ ଗାଡି ଓ ଡାକ୍ତରୀଦଳ ସହିତ ମୁତୟନ ହେବେ  । ଗ୍ରାମାଞ୍ଚଳରେ ଏମାନେ ତୁରନ୍ତ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବେ  ।         ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସେକ୍ରେଟାରୀ ସମ୍ବିତ ରାଉତ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ . ।

Leave A Reply

Your email address will not be published.