ମାଲକାନଗିରି,ତା:୦୫/୦୮(ପିପିଟି); ସରକାରଙ୍କ ଗରିବ ପାଇଁ ମାଳ ମାଳ ଯୋଜନା । କିନ୍ତୁ ଏହି ଗରିବ କଲ୍ଯାଣ ଯୋଜନାରୁ ବହୁ ୬ରିବ ତାହାର ବାସ୍ତବ ସୁଫଳ ଅକ୍ତୟାର କରି ପାରନ୍ତି ନାହିଁ । ଏହାର ଏକ ମାତ୍ର କାରଣ ସରକାରୀ କଳର ଘୋର ଉଦାସିନତା । ଫଳରେ ଗରିବ ସର୍ବଦା ଚିର ଅବହେଳାର ଶିକାର ହୋଇ ଭାଗ୍ଯ ଭଗବାନଙ୍କ ଉପରେ ଭରସା କରି ଜୀବନ ନିର୍ବାହ କରିଥାଏ । କାରଣ ଗରିବର ଗୁହାରୀ ଶ୍ରବଣ କରିବା ପାଇଁ କାହା ପାଖରେ ଯେମିତି ସମୟ ନାହିଁ I ସାତ ଜଣ ପ୍ରାଣୀ ଭଙ୍ଗା ଚାଳିଆରେ ପଲିଥିନ ଘୋଡାଇ ଜୀବନ ବିତାଉଥିବା ଏକ କରୁଣ ଚିତ୍ର ସାମ୍ମନାକୁ ଆସିଛି ।ବର୍ଷା ହେଲେ ଚାଳରୁ ପଡୁଛି ପାଣି, ଘରେ କୃତ୍ତ୍ରିମ ବନ୍ୟା । ତଥାପି ଉପାୟ ଶୂନ୍ୟ ହୋଇ ଏଭଳି ସନ୍ତସନ୍ତିଆ ପରିବେଶରେ ପଲିଥିନ ଟାଣି ଘରେ ରହି ଆସୁଛନ୍ତି କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଈ ପଞ୍ଚାୟତ ନିକଟସ୍ଥ ଏମଭି- ୯୯ ଗ୍ରାମର ସ୍ବର୍ଗତ ନିରଞ୍ଜନ ଘରାମୀଙ୍କ ସ୍ତ୍ରୀ କଳ୍ପନା ଘରାମୀ । ତାଙ୍କର ୬ ଜଣ ପୁଅ ଝିଅ। କିଛି ବର୍ଷ ପୂର୍ବେ ସ୍ଵାମୀ ନିରଞ୍ଜନଙ୍କ ମୃତ୍ୟୁ ହେଲା ପରେ ଯେପରି ଏହି ପରିବାରକୁ ଦଇବ ଦାଉ ସାଧିଛି । ଦିନକୁ ଦୁଇ ଓଳି ଦାନା ଯୋଗାଡ ପାଇଁ କଳ୍ପନା ପର ଘରେ ମୂଲ ଲାଗୁଥିବା ବେଳେ ଅବସର ସମୟରେ ଘରେ ବିଡି ବାନ୍ଧି ୬ ପିଲଙ୍କ ଗୁଜୁରାଣ ମେଣ୍ଟାଉଥାନ୍ତି। ଅନ୍ୟପଟେ ପେଟକୁ ଦି ମୁଠା ଦାନା ସଂଗ୍ରହ ପାଇଁ ସଂଘର୍ଷ କରୁଥିବା ଏହି ପରିବାରର ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସ୍ଵାମୀ ବଞ୍ଚିଥିବା ବେଳେ ଗଢ଼ିଥିବା ମାଟି ଝାଟିର ଘର ଖଣ୍ଡେ । ଏହି ଘରେ ସମସ୍ତେ ମୁଣ୍ଡ ଗୁଞ୍ଜି ରହୁଥିବା ବେଳେ ବର୍ତ୍ତମାନ ଏହି ଘରର ମାଟି କାନ୍ଥରୁ ମାଟି ଖସି ପଡ଼ିଲାଣି। ଏଥିସହ ଗତ କିଛି ଦିନ ତଳେ କାଳ ବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଯିବାରୁ ବର୍ଷା ହେଲେ ପାଣି ଗଳୁଥିଲା । ତହସିଲ କାର୍ଯ୍ଯାଳକୁ କଳ୍ପନା ଯାଇ ଖଣ୍ଡେ ପଲିଥିନ୍ ମାଗିଆଣିଥିବାରୁ ପଲିିଥିନ ଆବୃତ୍ତ କରି ସପରିବାରେ ରହୁଛନ୍ତି ଏହି ଭଙ୍ଗା ଘରେ । କଳ୍ପନାଙ୍କ ପରିବାରରେ ୪ ଝିଅ ଓ ଦୁଇଟି ପୁଅ ଥିବା ବେଳେ ମଝିଆ ଝିଅ ଦିବ୍ୟାଙ୍ଗ ହୋଇଥିବାରୁ, ତାର ଭବିଷ୍ୟତକୁ ନେଇ କଳ୍ପନା ଚିନ୍ତା ପ୍ରକଟ କରିଛନ୍ତି। କଳ୍ପନା ଗତ ଚାରି ବର୍ଷ ଧରି ବାସଗୃହ ଖଣ୍ଡିଏ ପାଇବା ପାଇଁ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହୋଇଥିବା ବେଳେ କେହି ଦୃଷ୍ଟି ଦେଉନଥିବା ଜଣା ପଡିଛି । ଶେଷରେ ଗଣମାଧ୍ୟମ ଜରିଆରେ ନିଜର ସ୍ଥିତି ସମ୍ପର୍କରେ ବଖାଣିବା ସହ ବାସଗୃହ ଟିଏ ଯୋଗାଇ ଦେବାକୁ କାନ୍ଦି କାନ୍ଦି କହିଥିଲେ। ଏପରିସ୍ଥିତିରେ କଳ୍ପନାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ବାସଗୃହ ଯୋଜନାରେ ସାମିଲ କରି ତୁରନ୍ତ ବାସଗୃହ ଟିଏ ଯୋଗାଇ ଦେବାକୁ ନବ ନିଯୁକ୍ତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post