ସାନଖେମୁଣ୍ଡି,୧୯/୧୧(ପିପିଟି): ରାଜ୍ୟ ସରକାରଙ୍କ ଅବକାରୀ ନୀତିରେ ଗଞ୍ଜେଇକୁ ନିଷିଦ୍ଧ ନିଶାଦ୍ରବ୍ୟ ଭାବରେ ବିବେଚିତ କରି ଏହାର ବ୍ୟବହାରକୁ ନେଇ କଟକଣା ଜାରି କରିଛନ୍ତି । ଅନ୍ୟ ପକ୍ଷରେ ଗଞ୍ଜେଇ ଭଳି ମାଦକ ଦ୍ରବ୍ୟର ଅର୍ଥକାରୀ ଚାହିଦା ସମ୍ପ୍ରତି ଏହାର ଚାଷ ଏବଂ ବ୍ୟବସାୟକୁ ବହୁଳ ଭାବେ ପ୍ରଭାବିତ କରୁଅଛି । ଅଞ୍ଚଳ ବିଶେଷରେ ଜଙ୍ଗଲ ପ୍ରବଣ ଅଧ୍ୟୁଷିତ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ନିରୀହ ଅଧିବାସୀଙ୍କ ଗଞ୍ଜେଇ ଚାଷ ଓ ବ୍ୟବସାୟରେ ସହାୟତା ମାଫିଆଙ୍କୁ ଲାଭ ପହଞ୍ଚାଉଥିବା ବେଳେ ବିଭାଗୀୟ ଧରପଗଡ ସମୟରେ ଖଟିଖିଆ ନିରୀହ ଶ୍ରମିକଟିଏ ପୋଲିସ କିମ୍ବା ଅବକାରୀ ବିଭାଗ ଦ୍ଵାରା ଧରାପଡ଼ି ଜେଲ ଯାଉଥିବା ସାଧାରଣ ଘଟଣା ହେଉଅଛି । ନିଷିଦ୍ଧ ଗଞ୍ଜେଇ ନିଶା ବ୍ୟବହାର ବୃଦ୍ଧି ପାଇବା ଯୋଗୁଁ ଅସାମାଜିକ ତତ୍ତ୍ଵଙ୍କ ପ୍ରାଦୁର୍ଭାବ ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତିକୁ ଜଟିଳ କରୁଅଛି । ପରନ୍ତୁ ଏହି ମାରାତ୍ମକ ନିଶାଦ୍ରବ୍ୟ ଗଞ୍ଜେଇ ଚାଷ ଓ ବ୍ୟବସାୟ ବହୁଳ ଅଞ୍ଚଳ ଅଧିବାସୀଙ୍କୁ ଏଥିରୁ ନିବୃତ କରାଇ ଲାଭଜନକ ଫସଲ ଚାଷ ଓ ବ୍ୟବସାୟରେ ସହାୟତା କରିବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି । ଉଭୟ ପୋଲିସ ଓ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭିତ୍ତିରେ ସମୟୋପଯୋଗି ପଦକ୍ଷେପ ସହ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛି । ପାଟପୁର ଥାନା ଅଞ୍ଚଳ ପଟିଗୁଡା ଗ୍ରାମରେ ଥାନା ପକ୍ଷରୁ ଆମ ପୋଲିସ ସମିତିର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସହ ନିଷିଦ୍ଧ ଓ ବେଆଇନ ନିଶା କାରବାର ଜନିତ ବିଭାଗୀୟ କଟକଣା ଆଧାରରେ ସାଧାରଣରେ ସଚେତନତା କରାଯାଇଅଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ତହସିଲଦାର ଡ଼.ଶ୍ରୀନିବାସ ବେହେରା , ମୁଖ୍ୟବକ୍ତା ଭାବେ ସମିତିର ଉପଦେଷ୍ଟା ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ସ୍ବାଇଁ ଙ୍କ ସହ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିତ୍ଵ ପଟିଗୁଡ଼ା ପୂର୍ବତନ ସରପଞ୍ଚ ସିମଞ୍ଚଳ ଗୌଡ଼,ବିପ୍ର ଦଳେଇ ପ୍ରମୁଖ ମଞ୍ଚାସୀନ ରହି ଅଞ୍ଚଳରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଜନିତ ବ୍ୟବସାୟକୁ ନେଇ ଉପୁଜିଥିବା ସାମାଜିକ ଅସ୍ଥିରତା ଓ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସାଧାରଣରେ ଆଲୋଚନା କରିଥିଲେ । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ଭୋଟରଙ୍କ ସଚେତନତାକୁ ଗୁରୁତ୍ଵ ଦିଆଯାଉଥିବାରୁ ସଚେତନ ନାଗରିକ ଭାବେ ଶତପ୍ରତିଶତ ଭୋଟ ଦାନକୁ ପ୍ରୋତ୍ସାହିତ କରିବା ,ସଠିକ୍ ପ୍ରାର୍ଥୀଙ୍କୁ ଭୋଟ ଦେବା,ସରକାରଙ୍କ ସାଧାରଣ ନାଗରିକଙ୍କ ପ୍ରତି ଥିବା ନିର୍ବାଚନୀ ଆଚରଣ ବିଧି ପାଳନ କରିବା ନେଇ ମଧ୍ୟ ଉପସ୍ଥିତ ସାଧାରଣରେ ସଚେତନା କରାଯାଇଥିଲା । ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଟିଗୁଡା ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟଙ୍କ ସହ ବୁଦ୍ଧିଜୀବୀ ମଣ୍ଡଳୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସିମାଞ୍ଚଳ ପାତ୍ର , ଲକ୍ଷ୍ମଣ ପଣ୍ଡା , ନିରଞ୍ଜନ ନାୟକ , ଉତ୍ସବ ନାୟକ , ରାମ ପ୍ରଧାନ , ଶିବରାମ ଡାକୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )