ନିମ୍ନମାନର ସାମଗ୍ରୀରେ ଚାଲିଛି ରାସ୍ତା ନିର୍ମାଣ ।

0 251

ମାଲକାନଗିରି ,୨୧/୦୪(ପିପିଟି) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ପୋଲୁର ଭଳି ଦୁର୍ଗମ ଗ୍ରାମାଞ୍ଚଳକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସରକାରଙ୍କ ବିକାଶ ମୁଖୀ ଯୋଜନାରେ ସାମିଲ୍ କରିବା ପାଇଁ ସରକାରୀ କଳରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମୁଖ୍ୟତଃ ବିଭିନ୍ନ ଗ୍ରାମ ସହ ସଦରକୁ ଯୋଡ଼ିବାକୁ ନୂତନ ରାସ୍ତା ନିର୍ମାଣ କାମ ତୀବ୍ର ଗତିରେ ଚାଲିଥିବାବେଳେ କିଛି ଲାଭଖୋର ଠିକାଦାର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ କୋଟି କୋଟି ଟଙ୍କାର କାମ ପାଣିରେ ପଡ଼ିଲା ଭଳି ମନେ ହେଉଛି | ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସମ୍ପୂର୍ଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ ଜାରି ରହିଥ‌ିବା ଅନେକ ସ୍ଥାନରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି । କିଛି ସମାନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ପୋଲୁର ପଞ୍ଚାୟତର ପୋଲୁରଠାରୁ ନିଲାକଟା ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ I
ଗ୍ରାମ୍ୟ ଉନ୍ନୟନ ବିଭାଗ-୨ ପକ୍ଷରୁ ଏହି କାର୍ଯ୍ୟ ଚାଲିଥିବା ବେଳେ ଏହି କାମରେ ବ୍ୟବହୃତ ପଥର କ୍ରସରରୁ ଆଣିବା ବଦଳରେ ସେହି ରାସ୍ତା କଡ଼ରେ ରହିଥିବା ଧୂସର ରଙ୍ଗର ପଥରକୁ ଭାଙ୍ଗି ବ୍ୟବହାର କରାଯାଉଛି | କେତେକ ସ୍ଥାନରେ ଧଳା ରଙ୍ଗର ପଥର ସହ ଆଉ କେତେକ ସ୍ଥାନରେ ମୋରମ୍ ଖାଦାନର ଅବଶେଷ ଭାବେ ମିଳୁଥିବା ପଥରକୁ ଭାଙ୍ଗି ମେଟାଲ ଭାବେ ବ୍ୟବହାର କରାଯାଉଛି। ସେହିପରି ଏହି ରାସ୍ତା କଡ଼ରେ ଏକାଧିକ ସ୍ଥାନରୁ ମାଟି ଓ ମୋରମ୍ କଢ଼ାଯାଇ ରାସ୍ତା କାମରେ ବ୍ୟବହାର କରାଯିବା ସହ ବହୁ ଗଛ କାଟି ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ରାସ୍ତାରେ ନିମ୍ନମାନର ପଥର ବ୍ୟବହାର ହେଉଥିବା ସହ ବର୍ତ୍ତମାନ ହୋଇଥିବା ରାସ୍ତାର ଅନେକ ସ୍ଥାନରେ ଏହିପରି ନିମ୍ନମାନର ପଥର ବ୍ୟବହାର କରି ଏହା ଉପରେ ମୋରମ୍ ପକାଇ କାମ ହୋଇଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା କଡ଼ରୁ ପଥର ଖନନ ଓ ଗଛ କାଟିବା ଫଳରେ ପରିବେଶ ସନ୍ତୁଳନରେ ବ୍ୟତିକ୍ରମ ଦେଖାଦେବା ସହ ଭୂସ୍ଖଳନକୁ ସ୍ବାଗତ କରୁଥିବା ଭଳି ମନେ ହେଉଛି | ଦୁର୍ଗମ ତଥା ଗ୍ରାମାଞ୍ଚଳ ହୋଇଥିବାରୁ ସହଜରେ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ଗୁଡ଼ିକୁ ଲୁଟ୍ କରାଯାଇ ଏହି ଅଞ୍ଚଳର ରାସ୍ତାଘାଟ ନିର୍ମାଣ ଚାଲିଛି, ଯାହା ମାଛ ତେଳରେ ମାଛ ଭାଜିବା ଭଳି ସାଧାରଣରେ ମତ ପ୍ରକାଶ ପାଇଛି। ସେହିପରି ଦୁର୍ଗମ ତଥା ଅପ‌ହଞ୍ଚ ଇଲାକାର ସୁଯୋଗ ନେଇ ଠିକାଦାର ଏଭଳି ନିମ୍ନମାନର ସାମଗ୍ରୀ ବ୍ୟବହାର କରୁଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ କରିଛନ୍ତି I ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ସାଇ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ କାର୍ଯ୍ୟସ୍ଥଳକୁ ସେ ପୂର୍ବରୁ ଅନେକ ଥର ଯାଇ ଯାଞ୍ଚ କରିଛନ୍ତି, ଯେଉଁଠି ତ୍ରୁଟି ଦେଖୁଛନ୍ତି ତାହାର ସୁଧାର ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ବର୍ତ୍ତମାନ ଆସିଥିବା ଏହି ଅଭିଯୋଗକୁ ନେଇ ମଧ୍ୟ ସେ ଖୁବଶୀଘ୍ର କାର୍ଯ୍ୟସ୍ଥଳକୁ ଯାଇ ତଦନ୍ତ କରିବେ ଏବଂ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିଲେ ତାହାକୁ ପରିବର୍ତ୍ତନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ରାସ୍ତା କାମ ପାଇଁ ଜଙ୍ଗଲ ଅଞ୍ଚଳରୁ ପଥର ଖନନ ଓ ବୃକ୍ଷ କାଟିବା କୁ ନେଇ ଏମଭି ୭୯ ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅବଗତ ନ ଥିବା ପ୍ରକାଶ କରିବା ସହ ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। ତେବେ ଜଙ୍ଗଲ ବିଭାଗ ଅଧୀନରେ ଆସୁଥିବା ସ୍ଥାନରୁ ଅନେକ ବୃକ୍ଷ କାଟ ସହ ପଥର ଖନନ କରିବା ବିଷୟରେ କିପରି ବନ ବିଭାଗର ଅଧିକାରୀ ଜାଣିନାହାନ୍ତି ଏବଂ ଏହି ଖନନ ଲାଗି ତାଙ୍କୁ ଅନୁମତି ଦିଆଯାଇଛି ନା ନାହିଁ ସେନେଇ ମଧ୍ୟ ଅବଗତ ନ ଥିବା କହିବା ମଧ୍ୟ ବେଶ୍ ଆଶ୍ଚର୍ଯ୍ୟ କରିଛି। ଏପରି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ବିକାଶ ନାମରେ ହେଉଥିବା ମହା ଦୁର୍ନୀତିକୁ ରୋକାଯିବା ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦେବା ସହ ବନ ବିଭାଗ, ରାଜସ୍ବ ବିଭାଗ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପଟେ ନିର୍ମାଣାଧୀନ ଏହି ରାସ୍ତା କାମର ତଦାରଖ ପାଇଁ ଜିଲ୍ଲାସ୍ତରୀୟ ଏକ କମିଟି ଗଠନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ଠିକାଦାରଙ୍କ ଅସଲ ମୁଖା ଖୋଲିବା ସହ ଦୁର୍ନୀତିର ପର୍ଦ୍ଦାଫାସ୍‌ ହେବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.