ଭଞ୍ଜନଗର,୦୯/୧୨(ପିପିଟି): ଦୀର୍ଘଦିନ ପରେ କରୋନା ଠାରୁ ନିସ୍ତାର ମିଳିଥିବାରୁ ଜନ ସାଧାରଣ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ଏବେ ପୁଣି କରୋନା ଫେରିଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାକୁ ରୋକିବାକୁ ପ୍ରଶାସନ ତରଫରୁ ଗୁରୁବାର ଭଞ୍ଜନଗର ବ୍ଲକ ଲାଲସିଙ୍ଗ ପଞ୍ଚାୟତର ଲଣ୍ଡେଇ ସାହି ଛେଦାଭୂମି ରୋଡ଼ର କିଛି ଅଞ୍ଚଳକୁ ମିନି କଣ୍ଟେନମେଣ୍ଟ ଜୋନଘୋଷଣା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଜଣେ ବ୍ୟକ୍ତି ଗତ ୩୦ତାରିଖରେ ବିମାନ ଯୋଗେ ଦୁବାଇରୁ ଭୁବନେଶ୍ୱର ଆସିଥିଲେ।ବିମାନ ବନ୍ଦରରେ ତାଙ୍କର ଆରଟିପିସିଆର ଟେଷ୍ଟ ହୋଇଥିଲା ହେଲେ ରିପୋର୍ଟ ଆସି ନଥିବା ବେଳେ ସେ କିନ୍ତୁ ନିଜ ଘରେ ସଙ୍ଗରୋଧରେ ନରହି ବେପରୁଆ ଭାବେ ମଙ୍ଗଳବାର ଭୋର ୪ଟା ସମୟରେ ଭଞ୍ଜନଗର ଲଣ୍ଡେଇ ସାହିରେ ରହୁଥିବା ନିଜ ସମ୍ପର୍କୀୟ ଘରକୁ ଆସିଥିଲେ।ଏହି ସମୟରେ ତାଙ୍କର କରୋନା ପଜିଟିଭ ଥିବା ରିପୋର୍ଟରେ ଜଣାପଡିଥିଲା। ଖବର ପାଇ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେଦ୍ର ତରଫରୁ ତାଙ୍କୁ ମେଡ଼ିକାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି।ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟ ମାନଙ୍କ ସ୍ୱାବ ନମୁନା ସଂଗ୍ରହ କରିବା ସହ ସଂକ୍ରମଣ ରୋକିବାକୁ ତାଙ୍କ ଘର ସମେତ ପ୍ରାୟ ୫୦ମିଟର ଅଞ୍ଚଳର ରାସ୍ତାଘାଟକୁ ସିଲ କରାଯାଇ ମିନି କଣ୍ଟେନମେଣ୍ଟ ଜୋନ କରାଯାଇଛି।ଯାହାକୁ ନେଇ ସ୍ଥାନୀୟ ଲୋକମାନେ ପୁଣିଥରେ ଭୟଭୀତ ହୋଇ ରହିଛନ୍ତି।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)
Prev Post