ଏରସମା,୦୫/୨୦(ପିପିଟି): ଜିରାଇଲୋ ପଞ୍ଚାୟତ ଚାଷୀ କମିଟି ପକ୍ଷରୁ ଶତାଧିକ ଚାଷୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା କରିବା ଦାବିରେ ଆଜି ଏରସମା ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ । ଚାଷୀ କମିଟି ନେତୃତ୍ୱରେ ଏକ ପଟୁଆର ମହିମା ଆଶ୍ରମ ନିକଟରୁ ବାହାରି ବଜାର ପରିକ୍ରମା ପୂର୍ବକ ତହସିଲ ସମ୍ମୁଖରେ ପଂଚାୟତର ମୁରବି ତଥା ଚାଷୀ ନେତା ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଚାଷୀ କମିଟି ଆବାହକ ରବୀନ୍ଦ୍ର ପାଇଟାଳ ଦାବିପତ୍ର ପାଠ କରିବା ସହିତ ବକ୍ତବ୍ୟ ରଖି ଥିଲେ । ଚାଷୀ ନେତା ଅଭିଜିତ ସାହୁ, କ୍ଷୀରୋଦ ବୋଡିକିଆ, ଜନ ରାଉତ ପ୍ରମୁଖ ବକ୍ତବ୍ୟ ରଖି ଜିରାଇଲୋ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା, ଚାଷୀକୁ ଏକର ପିଛା ୨୦୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ, ଭାଗ ଚାଷୀ ଚି଼ହ୍ନଟ କରି କ୍ଷତିପୂରଣ ପ୍ରଦାନ, ସମସ୍ତ କୃଷି ଋଣ ଛାଡ଼ ଓ ନୂତନ କୃଷି ଋଣ ପ୍ରଦାନ, ଚିଙ୍ଗୁଡ଼ି ଚାଷର କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ, ଧାନ ଚାଷୀଙ୍କୁ ଶତ ପ୍ରତିଶତ ଇନ୍ସୁରାନ୍ସ ପ୍ରକ୍ୱାଦାନ ଇତ୍ୟାଦି ଦାବୀ କରିଥିଲେ । ଆସନ୍ତା ୧୫ ଦିନ ଭିତରେ ଦାବି ପୂରଣ ନହେଲେ ଜିରାଇଲୋ ପଞ୍ଚାୟତ ଚାଷୀ କମିଟି ତହସିଲ ସମ୍ମୁଖରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା କରିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ଯୋଗେନ୍ଦ୍ର ସ୍ୱାଇଁ, ବିଜୟ ସାହୁ, ଦେବେନ୍ଦ୍ର ହାତି, ସୂର୍ଯ୍ୟକାନ୍ତ ସ୍ୱାଇଁ,ଅଜାମିଲ ଗାଉଁଣିଆ,କାଳନ୍ଦୀ ଛାଟୋଇ, ରମେଶ କରଣ, ବିଶ୍ୱଜିତ ସାହୁ, ହରିପଦ ସାହୁ, ଗୌତମ ହାତି, ସର୍ବେଶ୍ୱର ସାହୁ, ଉତ୍ତମ ହାତି, ହରେକୃଷ୍ଣ ମହାରଣା,ପରେଶ ପ୍ରଧାନ, ବିଷ୍ଣୁ ନାୟକ, କ୍ଷେତ୍ରବାସୀ ନାୟକ ପ୍ରମୁଖ ଆନ୍ଦୋଳନକୁ ପରିଚାଳନା କରିଥିଲେ ।